ଓଡ଼ଗାଁ,୧୯।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପଞ୍ଚଶଖା ଶିକ୍ଷା ସେତୁ ସଙ୍ଗଠନ ସଭାପତି ତଥା ଓଡ଼ଗାଁର ଖେଳ ମଣିଷ ଦିବାକର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା,ଏହି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଗଣିଆରୁ ଅବସର ଗ୍ରହଣ କରିଥିବା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ଦାଶ, ପ୍ରାକ୍ତନ ନୟାଗଡ଼ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ଖିଲାର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ର ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । ଭଲ ମଣିଷ ହୁଅ, ଦକ୍ଷତାର ପୂର୍ଣ୍ଣ ବିନିଯୋଗ କର। ଚେତନା ଯୁକ୍ତ ସତ୍ୟ କୁହ। ମନରେ ଆସୁଥିବା ଅସୁମାରୀ ପ୍ରଶ୍ନର ଉତ୍ତର ଅନ୍ବେଷଣ କର । ଏବେର ଛାତ୍ର ସ୍ଥାଣୁ, ନିର୍ଜିବ ଓ ନିଷ୍କ୍ରିୟତା ମଧ୍ୟରୁ ବାହାରି ଆସିବା ଦରକାର ! କାରଣ ଭବିଷ୍ୟତ ତା'ଙ୍କମାନଙ୍କ ଠାରୁ ଅନେକ କିଛି ଆଶାକରେ। ଜଣେ ଛାତ୍ର ଭଲ ଶ୍ରୋତାଟିଏ ହେଲେ, ଭଲ ଛାତ୍ରଟିଏ ହୋଇ ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା ପହଁଞ୍ଚିଥିଲେ ମଧ୍ୟ ପ୍ରଶାସନିକ ଜରୁରୀ କାର୍ଯ୍ୟ ପାଇଁ ଫେରି ଯିବାକୁ ପଡ଼ିଥିଲା । ଉକ୍ତ ବିଦ୍ୟାଳୟ ୧୦ମ ବୋର୍ଡ ପରୀକ୍ଷାର ନୋଡାଲ କେନ୍ଦ୍ର ହୋଇଥିବାରୁ ଏଠାରେ ଗୋଟିଏ ଷ୍ଟ୍ରଙ୍ଗ ରୁମ ନିର୍ମାଣର ଆବଶ୍ୟକତା ରହିଛି । ଆଲୋଚନା ଚକ୍ର, ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଏକ ପାଇଁ ଅଡିଟୋରିୟମ, ଷ୍ଟାଫ୍ କ୍ବାଟର ସହିତ ଛାତ୍ର ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ପାକଶାଳା ନିର୍ମାଣର ଆବଶ୍ୟକତା ରହିଛି ବୋଲି ବିବରଣୀ ପାଠ ବେଳେ ପ୍ରଧାନ ଶିକ୍ଷକ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସର୍ବୋପରି ଏହି ବିଦ୍ୟାଳୟର ୧୯୮୭ ବର୍ଷ ଛାତ୍ର କଲ୍ୟାଣ ସଙ୍ଗଠନ ତରଫରୁ ସୁଶାନ୍ତ କୁମାର ପାତ୍ରଙ୍କ ଉପସ୍ଥିତିରେ ୧୦ମ ଶ୍ରେଣୀ ଛାତ୍ର ସମ୍ୟକ ପଣ୍ଡା ଏବଂ ନାରାୟଣ ସାହୁଙ୍କୁ ଉତ୍ତମ ପାଠ ପଢ଼ା ପାଇଁ ସହାୟକ ସ୍ଵରୁପ ୫ ହଜାର ଲେଖାଏଁ ଟଙ୍କା ପୁରସ୍କୃତ କରାଯାଇଥିଲା।ଶେଷରେ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଶିକ୍ଷୟିତ୍ରୀ ନୀଳିମା ବାହିନୀପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
- Hits: 7











