ଘର ମଧ୍ୟରୁ ୬ ସିଲିଙ୍ଗ ଫ୍ୟାନ ସହିତ ଅନେକ ସାମଗ୍ରୀ ଉଭାନ
ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ନିର୍ମାଣ ହୋଇଥିବା କୋଭିଡ କେନ୍ଦ୍ରର ମୁଖ୍ୟ ଦ୍ବାରାରେ ଏବେ ତାଲା ଝୁଲି ଥିବା ବେଳେ ଝରକା କାଚ ଭାଙ୍ଗି ସେଠାରେ ଲାଗିଥିବା ୬ ଗୋଟି ନାମିଦାମି କମ୍ପାନୀର ସିଲିଙ୍ଗ ଫ୍ୟାନକୁ କେହି ଦୁବୃର୍ତ୍ତ ଚୋରି କରି ନେଇଛି । କେବଳ ଫ୍ୟାନର ଉପର ଅଂଶରେ ଲାଗିଥିବା ରଡ୍ ଗୁଡିକ ସେଠାରେ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଫ୍ୟାନ ଗୁଡ଼ିକ ଚୋରି ହୋଇଥିବା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ସୂଚନା ଥାଉକି ୨୦୨୧ ମସିହାରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଉକ୍ତ କୋଭିଡ କେନ୍ଦ୍ର ଓଡ଼ଗାଁ କିମ୍ବା ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର ହୋଇନଥିବାରୁ ଏନେଇ ଓଡ଼ଗାଁ କିମ୍ବା ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହିତ ନୟାଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏହାର କୌଣସି ସୂଚନା ନାହିଁ । କେହି ନିର୍ମାଣକାରୀ ସଂସ୍ଥା ଏଠାକୁ ଆସିବା କିମ୍ବା ଯିବାର କୌଣସି ତଥ୍ୟ ଓଡ଼ଗାଁ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ସ୍ବାସ୍ଥ୍ୟ ଅଧିକାରୀଙ୍କ ପାଖରେ ନାହିଁ । ବହୁ ଅର୍ଥ ବ୍ୟୟରେ ନିର୍ମିତ ଏହି ଗୃହଟି ଅବ୍ୟବହୃତ ହୋଇ ପଡି ରହିଥିବାରୁ ସୁଯୋଗ ଉଣ୍ଡି କେହି ଦୁର୍ବୁତ୍ତ ଝରକା କାଚ ଭାଙ୍ଗି ଭିତରେ ପଶି ସବୁ ଛାରଖାର କରିଛନ୍ତି । ଏଥି ସହିତ ରାସ୍ତାକୁ ମାଡ଼ି ଗୃହଟି ରହିଥିବାରୁ ଅଣ ଓସାରିଆ ରାସ୍ତାରେ ରୋଗିନେଇ ଆସୁଥିବା ୪ ଚକିଆ ଯାନ ଯାଆ ଆସ କରିବାରେ ସମସ୍ୟା ସୃଷ୍ଟି ହେଉଛି ।ଅପରପକ୍ଷରେ ଅନ୍ୟ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଉକ୍ତ ଗୃହକୁ ବ୍ୟବହାର ଉପଯୋଗୀ କରାଯାଉ, ଅନ୍ୟଥା ଭାଙ୍ଗିଦେଇ ସ୍ଥାନକୁ ଖାଲି କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ହେଲେ ଏହାକୁ କାହା ନିର୍ଦ୍ଦେଶରେ ନିର୍ମାଣ କରାଯାଇଛି ଓ କାହିଁକି କରାଯାଇଛି ଏବଂ ସେ ଏବେ କୁଆଡେ ଗଲା ତାହାର କୌଣସି ଖୋଜଖବର ବ୍ଳକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ କାହାରି ପାଖରେ ଉତ୍ତର ନାହିଁ । ତେବେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏ ନେଇ ଚିନ୍ତାକଲେ ସମସ୍ତ ତଥ୍ୟ ପଦାକୁ ଆସିପାରିବ। ଏବଂ ପରିତ୍ୟକ୍ତ ଗୃହ ବ୍ୟବହାର ଉପଯୋଗୀ ହୋଇପାରିବ ।











