ଭୁବନେଶ୍ୱର-ଏ ଶୀତରେ ଓଡ଼ିଶା ଥରୁପଛେ, କିନ୍ତୁ ହାରି ନଯାଉ କଦାପି-ଏହା ହିଁ ହେଉ ନିଆରାପଣ ଆମ ସମସ୍ତଙ୍କର । ଦୁଃଖୀ ଜନତାର ଶୁଖିଲା ଓଠରେ ଚେନାଏ ସ୍ମିତହସ ଫୁଟାଇବା ପାଇଁ ସମସ୍ତେ ଆମେ ଶୀତ ଋତୁର ମିତ-ଗାଇଯିବା ଚିରବସନ୍ତର ଉଷୁମ ଗୀତ । ‘ଥିଲେ ଦିଅ-ନଥିଲେ ନିଅ’ ନିଆରା ନାରା ଦେଇ ବିଶିଷ୍ଟ ଶ୍ରମିକନେତା, ସାହିତ୍ୟିକ ମାୟାଧର ନାୟକ ଆରମ୍ଭ କରିଛନ୍ତି ଶୀତବିପ୍ଳବ ।
ଜାନୁୟାରୀ ୨ରୁ ଯାଜପୁର ରୋଡ଼ରେ ନୂଆପୁରୁଣାବସ୍ତ୍ର ସଂଗ୍ରହକରି ୫ ଦିନରେ ଶୀତ ପୀଡ଼ିତମାନଙ୍କୁ ଯୋଗାଇ ଦିଆଯାଇଛି । ହଜାର ହଜାର ଅସହାୟ ମଣିଷଙ୍କ ମୁହଁରେ ସାମାନ୍ୟ ଚେନାଏହସ ଫୁଟିଉଠିଥିଲା । ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, କଟକ ଓ ଯାଜପୁରରୋଡ଼ରେ ଶୀତବସ୍ତ୍ର ସଂଗ୍ରହ କରାଯାଉଛି । ଆସନ୍ତା ୧୧ ତାରିଖରୁ ଭୁବନେଶ୍ୱର ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନ ଜଣାଇ ଶୀତବିପ୍ଳବ ଅଭିଯାନ ଆରମ୍ଭ ହେବ । ଆଜାଦୀ ଠେଙ୍ଗା ବାହିନୀର ୫୦ ଜଣ ସୈନିକ ଦାରିଙ୍ଗିବାଡ଼ି, ଫୁଲବାଣୀ, କନ୍ଧମାଳ, ନୂଆପଡ଼ା, କୋରାପୁଟ, କେନ୍ଦୁଝର ଓ ମୟୁରଭଞ୍ଜ ଶୀତ ଅଞ୍ଚଳକୁ ଯାଇ ଅସହାୟଙ୍କୁ ଭେଟି ସଂଗୃହିତ ଦାନ ଶୀତବସ୍ତ୍ର ବାଣ୍ଟିଦେଇ ଆସିବେ ।
ଶ୍ରୀ ନାୟକ ରାଜ୍ୟର ବ୍ୟବସାୟୀ ପ୍ରତିଷ୍ଠାନ , କଳକାରଖାନା, ଖଣିଖାଦାନମାଲିକ, ଠିକାଦାର, ରାଜ୍ୟର ୧୪୭ ବିଧାୟକ ଗାଁଗଣ୍ଡାରେ ନେତୃତ୍ୱ ନେଉଥିବା ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତିବିଶେଷ, ଏନ୍.ଜି.ଓ. ଓ ସମାଜସେବୀ ସହୃଦୟ ବ୍ୟକ୍ତିଙ୍କୁ ବିନୀତ ନିବେଦନ କରି କହିଛନ୍ତି-ଯେଉଁମାନେ ଏ ହେମାଳଜାଡ଼ର ଦାଉରେ ହନ୍ତସନ୍ତ, ଆମଠୁ ଲୋଡୁଛନ୍ତି ଅଳ୍ପଟିକେ ଉଷୁମଆଦର...ତାଙ୍କ ପାଇଁ ଯତ୍ନ ସହକାରେ ଯୋଗାଇ ଦିଅନ୍ତୁ ଶୀତବସ୍ତ୍ର...ଘରେ ବାହାରେ ଗୋଟେ ଗୋଟେ ଶୀତ ପୀଡ଼ିତ ସଂସାର ଆପଣମାନଙ୍କ ଆନ୍ତରିକତା ଆପେକ୍ଷାରେ... । ଦୁଃଖିନୀ ଓଡ଼ିଶାଭୂଇଁର ସନ୍ତାନମାନଙ୍କୁ ଶୀତବସ୍ତ୍ର ଯୋଗାଇଦେଇ ଶୀତବିପ୍ଳବ ଅଭିଯାନରେ ସାମିଲ୍ ହେବାକୁ ଶ୍ରୀ ନାୟକ ବିନୀତ ଅନୁରୋଧ କରିଛନ୍ତି ।