ହେଡଲାଇନସ୍:

ସଦରମହକୁମା ବାହାରେ ମେଡିକାଲ କଲେଜ ନିର୍ମାଣ ସୂଚନାକୁ ଜିଲ୍ଲାର ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ ସହିତ କୁରାଳ ବାଉଁଶ ଗାଡ଼ିଆ ବରିଷ୍ଠ ନାଗରିକ ମଞ୍ଚର ଚିନ୍ତା ପ୍ରକଟ,

ଓଡ଼ଗାଁ,୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ସଦର ମହକୁମା ବାହାରେ ମେଡିକାଲ କଲେଜ ନିର୍ମାଣ ସୂଚନା ପାଇ ଜିଲ୍ଲାର ସବୁ କ୍ଷେତ୍ରରୁ ବିରୋଧ ଆରମ୍ଭ ହୋଇଥିବା ବେଳେ ଓଡ଼ଗାଁ ସମେତ କୁରାଳ ବାଉଁଶ ଗାଡ଼ିଆ ଆଦି ସ୍ଥାନରୁ ବରିଷ୍ଠ ନାଗରିକ ମାନେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜ ଜିଲ୍ଲା ସଦରମହକୁମା ପରିବର୍ତ୍ତେ ଏଠାରୁ ପ୍ରାୟ ୫୦ କିଲୋମିଟର ଦୂର ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ ଚାନ୍ଦପୁର ଠାରେ ସ୍ଥାପନା ପାଇଁ ରାଜ୍ୟର ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ଆଲୋଚିତ ହୋଇଛି । ଏହାର ସୂଚନା ପାଇ କେବଳ ଓଡ଼ଗାଁ ବ୍ଳକ ନୁହେଁ, ସମଗ୍ର ଜିଲ୍ଲାରେ ଅସନ୍ତୋଷର ବାର୍ତ୍ତା ପ୍ରକାଶ ପାଇଛି । ଓଡ଼ଗାଁ ବ୍ଲକ ଅଞ୍ଚଳର ଓଡ଼ଗାଁ ସହିତ କୁରାଳ, ବାଉଁଶ ଗାଡ଼ିଆ ଆଦି ସ୍ଥାନର ହଜାର ହଜାର ସଂଖ୍ୟାରେ ବରିଷ୍ଠ ନାଗରିକ ପ୍ରସ୍ତାବିତ ମେଡିକାଲ କଲେଜ ସ୍ଥାନକୁ ବିରୋଧ କରିବା ସହିତ ଦଳମତ ନିର୍ବିଶେଷରେ ପ୍ରତ୍ୟେକ ରାଜନୈତିକ ଦଳ, ଓକିଲ ସଂଘ, ଶିକ୍ଷକ ସଂଘ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧି ଓ ବୁଦ୍ଧିଜୀବୀ ଗଣ ସଂଗଠିତ ଭାବେ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ନିର୍ମାଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏହା ଦ୍ବାରା କେବଳ ନୟାଗଡ଼ ଜିଲ୍ଲାର ୪ ବିଧାନ ମଣ୍ଡଳ ନୁହେଁ, ଗଞ୍ଜାମ, କନ୍ଧମାଳ, କଟକ, ଖୋର୍ଦ୍ଧା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକର ବହୁ ସଂଖ୍ୟାରେ ଜନ ସାଧାରଣ ଉପକୃତ ହୋଇପାରିବେ। ସରକାର ଏହାକୁ ନଜର ଅନ୍ଦାଜ ନକରି
ଉପଯୁକ୍ତ ସ୍ଥାନରେ ନିର୍ମାଣ କରିବା ନିମନ୍ତେ ଯତ୍ନବାନ ହେବେ ବୋଲି ଆଶା ରହିଛି । ଚାନ୍ଦପୁର ବସନ୍ତ ମଞ୍ଜରୀ ଯକ୍ଷ୍ମା ରୋଗ ଚିକିତ୍ସାଳୟରେ ୧୮ ଶଯ୍ୟା ବିଶିଷ୍ଟ ଆଇସିୟୁ ଥିବା ବେଳେ ସ୍ଥାନୀୟ ରୋଗିମାନେ ଅନତି ଦୂର ଖୋର୍ଦ୍ଧା କିମ୍ବା ଭୁବନେଶ୍ବରରେ ଚିକିତ୍ସା ପାଇଁ ଉଚିତ୍ ମଣୁଛନ୍ତି । କାରଣ ସେଠାରେ ଅନେକ ବିକଳ୍ପ ସୁବିଧା ରହିଛି । ଏପରି କ୍ଷେତ୍ରରେ ଉକ୍ତ ଚିକିତ୍ସାଳୟର ପୁନରୁଦ୍ଧାର ସହିତ ସେଠାରେ ମେଡିକାଲ କଲେଜ ନିର୍ମାଣ ପାଇଁ ବାଚସ୍ପତିଙ୍କ ସହିତ ଆଲୋଚନା ସମ୍ପର୍କିତ ମନ୍ତବ୍ୟ ଖଣ୍ଡପଡ଼ା ବିଧାୟକ ବିଧାନ ସଭାରେ ରଖିବା ପରେ ଉକ୍ତ ସୂଚନା ପାଇ ବିଭିନ୍ନ ସଂଗଠନ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ନୟାଗଡ଼ ବିଧାୟକ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ନହେଲେ ଆନ୍ଦୋଳନ ତିବ୍ର ହେବ । ଏବଂ ଏହି ପରିଣାମ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି । ଏଠି ସୂଚନା ଦିଆଯାଇପାରେ, ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଳକ, ଗଞ୍ଜାମ ସୀମାନ୍ତରେ ଥିବା ନୃସିଂହ ପ୍ରସାଦ ଠାରୁ ପ୍ରସ୍ତାବିତ ମେଡିକାଲ କଲେଜ ଦୂରତା ୭୨ କିମି ହେଉଥିବା ବେଳେ ନୟାଗଡ଼କୁ ୩୭ କିଲୋମିଟର ହେଉଛି । ଏହି ବ୍ଳକର ମାଳିଆଝୋଲାରୁ ଚାନ୍ଦପୁର ୭୭ କିଲୋମିଟର ହେଉଥିବା ବେଳେ ନୟାଗଡ଼ ୪୦ କିଲୋମିଟର । ସେହିପରି ଗଣିଆ ବ୍ଲକ ବାଣିଗୋଛାରୁ ୧୧୭ କିମି. ହେଉଥିବା ବେଳେ ନୟାଗଡ଼ ୭୪ କିମି. । ଖଣ୍ଡପଡ଼ା ବ୍ଳକ କଣ୍ଟିଲୋରୁ ଚାନ୍ଦପୁର ୭୪ କିମି. ନୟାଗଡ଼କୁ ୩୪ କିମି । ଏବଂ ଫତେଗଡରୁ ଚାନ୍ଦପୁର ୫୨ କିମି ହେଉଥିବା ବେଳେ ନୟାଗଡ଼ ୩୫ କିମି ହେଉଛି । ଗମନାଗମନ ଓ ଯୋଗାଯୋଗ ନିମନ୍ତେ ନୟାଗଡ଼ ସଦର ମହକୁମାକୁ ସମସ୍ତ ଦିଗରୁ ବିସ୍ତୃତ ଭାବେ ରହିଥିବା ବେଳେ ଚାନ୍ଦପୁରକୁ ଗମନାଗମନର ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ରହିଛି । ଚାନ୍ଦପୁର ଠାରେ ମେଡିକାଲ କଲେଜ ନିର୍ମାଣ ହେଲେ ଜିଲ୍ଲାର ୮ ବ୍ଳକରୁ କେବଳ ରଣପୁର ବ୍ଲକର କିଛି ଅଂଶ ସହିତ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ ଉପକୃତ ହୋଇପାରନ୍ତି। ତେବେ ଅନ୍ୟ ବ୍ଳକ ସଦର ମହକୁମାରୁ ଚାନ୍ଦପୁର ପରିବର୍ତ୍ତେ ଭୁବନେଶ୍ୱରକୁ ଗମନାଗମନ କ୍ଷେତ୍ର ସୁଦୃଢ ଥିବା ସହିତ ବହୁତ ଗୁଡିଏ ବିକଳ୍ପ ବ୍ୟବସ୍ଥା ଥିବାରୁ ରୋଗିମାନେ ଚାନ୍ଦପୁର ପରିବର୍ତ୍ତେ ଭୁବନେଶ୍ୱରକୁ ପ୍ରଥମ ପସନ୍ଦ କରିବେ। ଅପରପକ୍ଷରେ ନୟାଗଡ଼ରେ ମେଡିକାଲ କଲେଜ ହେଲେ ଗୁରୁତର ରୋଗି ମାନେ ନୟାଗଡ଼ରୁ ଯଥାଶୀଘ୍ର ସ୍ବଳ୍ପ ଖର୍ଚ୍ଚରେ ଭୁବନେଶ୍ୱର କିମ୍ବା କଟକରେ ପହଞ୍ଚି ପାରିବେ । ଏହି ସମସ୍ତ ବିଷୟ ବସ୍ତୁକୁ ବିଚାର କଲେ ଚାନ୍ଦପୁର ପରିବର୍ତ୍ତେ ନୟାଗଡ଼ ଠାରେ ମେଡିକାଲ କଲେଜ ନିର୍ମାଣ ସମସ୍ତଙ୍କ ପାଇଁ ଅଧିକ ଗ୍ରହଣୀୟ ହୋଇପାରିବ ବୋଲି ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବି ମାନେ ପରାମର୍ଶ ଦେଇଛନ୍ତି।

0
0
0
s2sdefault