ରାଜଗାଙ୍ଗପୁର (ସୁନ୍ଦରଗଡ଼).ତା ୩୦-୧୧-୨୫. ସରକାରୀ ଚାଉଳ ହେରଫେର ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରୁ ରାୟ ଆସିଛି। କୋର୍ଟ ଗୁରୁଣ୍ଡିଆ ବ୍ଲକ୍ର ପୂର୍ବତନ ମୁଖ୍ୟ କିରାଣି ବିହାରୀଲାଲ ତାଜନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟ ହେଲେ କାରାଦଣ୍ଡ ୪ ମାସ ବୃଦ୍ଧି ହେବ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ଶ୍ରୀ ତାଜନ ୨୦୦୫ରେ ଗୁରୁଣ୍ଡିଆ ବ୍ଳକ୍ରେ ମୁଖ୍ୟ କିରାଣି ଥିବା ସମୟରେ ଅଫିସ ନଥିପତ୍ରକୁ ଏପଟସେପଟ କରି ୧୦୯୪ କ୍ରିଣ୍ଟାଲ ୩ କେଜି ୫୫୦ ଗ୍ରାମ ଅର୍ଥାତ୍ ୬ ଲକ୍ଷ ୭୯ ହଜାର ୪୦୬ ଟଙ୍କାର ସରକାରୀ ଚାଉଳ ହେରଫେର କରିଥିଲେ। ଏ ସମ୍ପର୍କରେ ପ୍ରମାଣଯୋଗ୍ୟ ତଥ୍ୟ ମିଳିବା ପରେ ସମ୍ବଲପୁର
ଭିଜିଲାନ୍ସ କିରାଣିଙ୍କ ନାମରେ ମାମଲା ରୁଜୁ କରି ଭିଜିଲାନ୍ସ କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ମାମଲାର ବିଚାର ଚାଲିଥିବାବେଳେ କୋର୍ଟ ସମସ୍ତ ପ୍ରାମାଣିକ ତଥ୍ୟ ଓ ଭିଜିଲାନ୍ସ ରିପୋର୍ଟ ଆଧାରରେ ପୂର୍ବତନ କିରାଣିଙ୍କୁ ଦଣ୍ଡାଦେଶ କରିଛନ୍ତି ଦଣ୍ଡିତ ପୂର୍ବତନ କିରାଣି ଅବସର ନେଇ ସାରିଥିବାବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କ ପେନସନ ବନ୍ଦ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବେ ରାଉରକେଲା ଭିଜିଲାନ୍ସ ୟୁନିଟ୍ ମୁଖ୍ୟ ଡିଏସପି ଏ.କେ. ସାହୁ ତଦନ୍ତ କରିଥିବାବେଳେ ସ୍ବତନ୍ତ୍ର ଭିଜିଲାନ୍ସ ଜନ ଅଭିଯୋଜକ ଶ୍ୟାମସୁନ୍ଦର ମିଶ୍ର ମାମଲାର ପରିଚାଳନା କରିଥିଲେ । ସ୍ବତନ୍ତ୍ର ଜନ ଅଭିଯୋଜକ ଉଦିତ ବାଟୁଶର୍ମା, ସହକାରୀ ଜନ ଅଭିଯୋଜକ ସନ୍ଦୀପ ପଣ୍ଡା ସହଯୋଗ କରିଥିଲେ ।











