କେନ୍ଦୁଝର (ଶାସକ ପ୍ରଶାସକ) : ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ କୁଣ୍ଢେଇ ଗାଁର ଶ୍ରୀ ରାବଣ ଜୁଆଙ୍ଗ ର ଏକମାତ୍ର ପୁତ୍ର । ପିଲାବେଳୁ ଭିନ୍ନକ୍ଷମ । ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ। ସରକାରୀ ସାହାଯ୍ୟ ଆଶାରେ ପରିବାର।
କୁଣ୍ଢେଇ ଗାଁ ର ରାବଣ ଜୁଆଙ୍ଗ ର ଗୋଟିଏ ବୋଲି ପୁଅ । ବିଜୟ। ବୟସ ଏବେ ଦଶ ବର୍ଷ। ଛୋଟବେଳୁ ମୁଣ୍ଡରେ ସମସ୍ୟା । କଥା କହି ପାରେ ନାହିଁ। କାଲ ସାଙ୍ଗକୁ ଗୁଙ୍ଗା ମଧ୍ୟ । ପାଠ ପଢ଼ିବାକୁ ଯାଇ ପାରେ ନାହିଁ।
ରାବଣ ନିଜ ଚେଷ୍ଟାରେ କିଛି ମାତ୍ରାରେ ଚିକିତ୍ସା କରାଇଥିଲେ । କିନ୍ତୁ, ପିଲା ଏବେ ମଧ୍ୟ ସୁସ୍ଥ ହୋଇ ନାହିଁ। ଦିନକୁ ଦିନ ରୋଗ ବଢି ଚାଲିଛି। ଏକ ମାତ୍ର ପୁଅର ସ୍ଵାସ୍ଥ୍ୟକୁ ନେଇ ବାପ, ମା' ବଡ ଚିନ୍ତାରେ।
ରାବଣ ଜଣେ ଜୁଆଙ୍ଗ ଜନଜାତିର ଗରିବ ବ୍ୟକ୍ତି। ଆର୍ଥିକ ଅବସ୍ଥା ସ୍ଵଛଳ ନୁହେଁ। ପୁଅର ପୁରା ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ କରିବା ତା' ପକ୍ଷରେ ଅସମ୍ଭବ। ଯାହା ତାହା କରି ସେ ପରିବାର ପୋଷଣ କରେ।
କେହି ଦେଖିବାକୁ ନାହିଁ। ସରକାର କିଛି ଭତ୍ତା ଦେଇ ଚୁପ୍ ହୋଇ ଗଲେ। ଚିକିତ୍ସା ପାଇଁ କିଛି ବି ବ୍ୟବସ୍ଥା କଲେ ନାହିଁ। ନା ପଞ୍ଚାୟତ, ନା ଜିଲ୍ଲା ପ୍ରଶାସନ, ନା ବିଧାୟକ କେହି ଚିକିତ୍ସା ପ୍ରତି ଧ୍ୟାନ ଦେଲେ ନାହିଁ। ଜୁଆଙ୍ଗ ଉନ୍ନୟନ ସଂସ୍ଥା ନିଘୋଡ଼ ନିଦରେ। ପିଲାଟିକୁ ଅଣଦେଖା କରାଗଲା। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇଥିଲେ, ହୁଏତ ପିଲାଟି ସୁସ୍ଥ ହୋଇ ପାରିଥାନ୍ତା। ସମୟ କ୍ରମେ ରୋଗ ବଢି ବଢି ଚାଲିଛି । ପରିବାରର ବୋଝ ଉଠାଇବା ସାଙ୍ଗକୁ ପିଲାର ଦିନକୁ ଦିନ ବିଗୁଡୁ ଥିବା ସ୍ଵାସ୍ଥ୍ୟ କୁ ନେଇ ବାପ, ମା' ନିରାଶ ହୋଇ ପଡ଼ୁଛନ୍ତି।
ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ନଜରକୁ ଆସିଛି ଏ ସମସ୍ୟା। " ଆଶା" ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଲେଖା ଯାଇଛି। ବର୍ଦ୍ଧିତ ହାରରେ ଭତ୍ତା ଦେବା ସହିତ ପିଲାର ଚିକିତ୍ସା ଭାର ହାତକୁ ନେବାକୁ ଅନୁରୋଧ କରାଯାଇଛି। ଗୋଟିଏ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏ କୁଣ୍ଢେଇ ଗାଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ। ଏ ପରିବାର ତାଙ୍କର ଭୋଟର। ସେଇଥି ପାଇଁ ରାବଣର ପରିବାର ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ଆଶା ରଖିଛନ୍ତି - ପିଲାଟିର ଚିକିତ୍ସା ଦାୟିତ୍ବ ସରକାର ନେବେ। ଦେଖାଯାଉ, ସରକାର କେବେ ଓ କେତେ ସହାୟକ ହେଉଛନ୍ତି, ଏ ଗରିବ ଆଦିବାସୀ ପରିବାର ପାଇଁ।











