ଏଡିଇଓ ଏବଂ ପିଇଓଙ୍କ ପାଇଁ ପଞ୍ଚାୟତରେ ଡିଜିଟାଲ ଉପସ୍ଥାପନ ଲାଗୁ
ଓଡ଼ଗାଁ,୨୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ସ୍ବତନ୍ତ୍ର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ପଞ୍ଚାୟତ ମାନଙ୍କରେ ରହିଥିବା ଆକାଉଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ), ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଏବଂ ଏନ୍ଆରଜିଏସ ବ୍ଳକ ପୋଗ୍ରାମ ଅଧିକାରୀ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ମନରେଗା ଯୋଜନା ଅନ୍ତର୍ଗତ ଅନିୟମିତ ପ୍ରକଳ୍ପ ଗୁଡ଼ିକୁ ଏକମାସ ମଧ୍ୟରେ ନିୟମିତ କରିବାକୁ ବ୍ଳକ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ପଞ୍ଚାୟତରେ ଏଡିଇଓ ଏବଂ ପିଇଓମାନେ ନିୟମିତ ବାୟୋମେଟ୍ରିକ୍ ପ୍ରଣାଳୀରେ ଡିଜିଟାଲ ଉପସ୍ଥାପନ ଦେବା ସହିତ ଡିଜିଟାଲ ଉପସ୍ଥାପନକୁ ପିଡିଏଫ୍ ଫରମାଟରେ ପ୍ରତି ମାସର ୨୪ ତାରିଖରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ଏବିଡିଓ)ଙ୍କ ନିକଟକୁ ପଠାଇବେ। ଏବିଡିଓଙ୍କ ସୁପାରିଶ ପରେ ଦରମା ବିଲ୍ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା। ଦୀର୍ଘ ଦିନ ଧରି ପଡ଼ି ରହିଥିବା ଅନ୍ତଦ୍ବୟ ଗୃହ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ପ୍ରଦାନର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସାରିଥିବାରୁ ମିଳୁଥିବା ଅତିରିକ୍ତ ପ୍ରୋତ୍ସାହନ ଅର୍ଥ ଏବଂ ମନରେଗା ଯୋଜନାରୁ ମିଳୁଥିବା ଅର୍ଥରୁ ଯେପରି କୌଣସି ହିତାଧିକାରୀ ବଞ୍ଚିତ ନ ହୁଅନ୍ତି, ସେନେଇ ଏଡିଇଓ ଏବଂ ପିଇଓ ମାନଙ୍କୁ ପରାମର୍ଶ ଦିଆଗଲା । ମନରେଗା ଯୋଜନାରେ ମଞ୍ଜୁର ହୋଇଥିବା ନୂତନ ପ୍ରକଳ୍ପ ଗୁଡ଼ିକର ଯଥାଶୀଘ୍ର ଆରମ୍ଭ କରିବା ପାଇଁ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହଯୋଗ ଲୋଡ଼ାଯାଇଥିଲା । ଏବିଡିଓ କବିତା କୁମାରୀ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା, ରଣପୁର ବିଧାୟକଙ୍କ ପ୍ରତିନିଧି ଲିଙ୍ଗରାଜ ପାତ୍ର ଏବଂ ମନରେଗା ପ୍ରୋଗ୍ରାମ ଅଫିସର ବିଭୂ ପ୍ରସାଦ ସାଥୁଆଙ୍କ ସହିତ ବ୍ଳକର ୩୬ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପିଇଓ ଏବଂ ଏଡିଇଓ ମାନେ ଅଧିବେଶନରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।











