ସୁନ୍ଦରଗଡ଼ ଦଳ ଟାଇବ୍ରେକରରେ ବିଜୟୀ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଏମ୍-ଗଣ୍ଡପାଲି ସ୍ଥିତ ଗୁରୁବାରୀ ମିର୍ଦ୍ଧା ମିନି ଷ୍ଟାଡିୟମ୍ ପରିସରରେ ଅମରଦୀପ ଯୁବକ ସଂଘ ପକ୍ଷରୁ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ଦ୍ବିଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଭବ୍ୟ ଭାବେ ଉଦ୍ଯାପିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବରଗଡ଼, କୁଚିଣ୍ଡା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୀରମହାରାଜପୁର, ରେଙ୍ଗାଲି, ରାଉରକେଲା ଓ ବିଜେପୁର ଅମୃତଧାରା ଫାଉଣ୍ଡେସନ୍ର ଦଳଗୁଡ଼ିକ ଅଂଶଗ୍ରହଣ କରିଥିଲେ।
ଫାଇନାଲ ମ୍ୟାଚରେ ସୁନ୍ଦରଗଡ଼ ଓ ବିଜେପୁର ଅମୃତଧାରା ଫାଉଣ୍ଡେସନ୍ ମଧ୍ୟରେ ହୋଇଥିଲା ଜୋରଦାର ସଂଘର୍ଷ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ସମୟରେ ଅତ୍ୟନ୍ତ ରୋମାଞ୍ଚକ ରଣକ୍ଷେତ୍ର ସୃଷ୍ଟି ହୋଇଥିଲା। ନିର୍ଦ୍ଧାରିତ ସମୟରେ ଦୁହେଁ ଦଳ ସମାନ ସ୍କୋର କରିବା ପରେ ଟାଇବ୍ରେକର ଜରିଆରେ ନିଷ୍ପତ୍ତି ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଦଳ ୧୩-୩ ଗୋଲ୍ରେ ବିଜେପୁର ଅମୃତଧାରା ଫାଉଣ୍ଡେସନ୍କୁ ପରାଜିତ କରି ଟ୍ରଫି ଜିତିଥିଲେ।
ଉଦ୍ଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ବିଜେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ଅମୃତଧାରା ନର୍ସିଂ ହୋମ ଚେୟାରମେନ ଯଶୋବନ୍ତ ମେହେର,ରୋଜାଲିନ ମେହେର, ଯୋଗିନ୍ଦ୍ର ପଧାନ, ଓ ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ, ଉପସ୍ଥିତ ହୋଇ ବିଜେତା ଓ ଉପବିଜେତା ଦଳମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।
ଅତିଥିମାନେ ଉଦ୍ବୋଧନ ଦେଇ ଖେଳାଳିମାନଙ୍କୁ ସନ୍ଦେଶ ଦେଇଥିଲେ ଯେ — “ଖେଳ ଜୀବନର ଅଂଗ, ଜିତିବା ହିଁ ସବୁକିଛି ନୁହେଁ; ନିଜ ଶ୍ରେଷ୍ଠତା ଓ ଦଳୀୟ ମନୋଭାବକୁ ଗଢ଼ି ତୋଳିବା ହିଁ ଏକ ଖେଳାଳିର ପ୍ରକୃତ ସଫଳତା।”
ଏହି ଆୟୋଜନକୁ ସଫଳ କରିବାରେ ଅମରଦୀପ ଯୁବକ ସଂଘ ପକ୍ଷରୁ କୀର୍ତ୍ତିଚନ୍ଦ୍ର ସାହୁ ସହ ଦଳର ସଦସ୍ୟ ଅଗ୍ରଣୀ ଭୂମିକା ନେଇଥିଲେ।
ଦୁଇଦିନିଆ ଟୁର୍ଣ୍ଣାମେଣ୍ଟ ସମୟରେ ଷ୍ଟାଡିୟମ ପରିସର ଖେଳପ୍ରେମୀ ଦର୍ଶକମାନଙ୍କ ଉପସ୍ଥିତିରେ ଉତ୍ସବମୁଖର ରହିଥିଲା। ଏହା ମାଧ୍ୟମରେ ସ୍ଥାନୀୟ ଯୁବମାନେ ଫୁଟବଲ୍ ପ୍ରତି ନିଜର ଆଗ୍ରହ ଓ ଦକ୍ଷତାକୁ ଦେଖାଇ ଏକ ନୂତନ ଦିଗରେ ପଦାର୍ପଣ କରିଥିଲେ।











