ହେଡଲାଇନସ୍:

ନୂଆପଡ଼ା ଉପନିର୍ବାଚନରେ ସ୍ୱଚ୍ଛତା ରକ୍ଷା ପାଇଁ ବିଜେଡିର ଅପିଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସରକାରୀ ଯୋଜନା ଆଳରେ ଦଳୀୟ ପ୍ରଚାର

  • ପୁଣି ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ


ଭୁବନେଶ୍ୱର, ୨୬/୧୦/୨୦୨୫: ନୂଆପଡ଼ା ଉପନିର୍ବାଚନରେ ସରକାରୀ ସମ୍ପତ୍ତିର ଦୂରୁପଯୋଗ ନେଇ ଶାସକ ବିଜେପି ବିରୋଧରେ ପୁଣି ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଆଜି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ବିଜେଡି ନେତୃବୃନ୍ଦ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଏବଂ ବିଜେପି ବିରୋଧରେ ଫେରାଦ୍ ହୋଇ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଭଳି ସଙ୍ଗୀନ ଅଭିଯୋଗ କରିଛି । ବିଜେଡି ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛନ୍ତି ଯେ ଚଳିତ ମାସ ୨୫ରେ ନୂଆପଡ଼ାରେ ବିଜେପି ପକ୍ଷରୁ “ସୁଭଦ୍ରା ଶକ୍ତି ସମାବେଶ” ନାମରେ ଏକ ସଭା ଆୟୋଜନ କରାଯାଇଥିଲା । କିନ୍ତୁ ପ୍ରକାରାନ୍ତରରେ ଏହାକୁ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସଭା ବୋଲି ଦର୍ଶାଯାଇଥିଲା । ଏହି ସଭାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢ଼ୋଲକିଆ ଓ ଅନ୍ୟାନ୍ୟ ବିଜେପି ନେତାମାନେ ଉପସ୍ଥିତ ଥିଲେ । ବିଜେଡି ଅଭିଯୋଗ କରିଛି ଯେ, ସରକାରୀ ଯୋଜନାର ନାମ ଓ ହିତାଧିକାରୀଙ୍କୁ ଦଳୀୟ ପ୍ରଚାର ପାଇଁ ବ୍ୟବହାର କରାଯାଇଛି, ଯାହା ନିର୍ବାଚନ ଆଚରଣବିଧିର ସ୍ପଷ୍ଟ ଉଲଂଘନ ଓ ସରକାରୀ ଯୋଜନାର ଦୂରୁପଯୋଗ ବୋଲି ବିଜେଡି କହିଛି ।
ତେଣୁ ଏହି ଘଟଣା ଉପରେ ତକ୍ରାଳ ନିରପେକ୍ଷ ତଦନ୍ତ ଆରମ୍ଭ କରିବା ସହ ନିର୍ବାଚନ ଆଚରଣବିଧି ଓ ଜନପ୍ରତିନିଧି ଆଇନ ୧୯୫୧ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ସିଇଓଙ୍କ ନିକଟରେ ଦାବି ଜଣାଇଛି । ସିଇଓଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ବିଜେଡି ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସ୍ୱାଧୀନତା ରକ୍ଷା ହେବା ନିତ୍ୟାନ୍ତ ଆବଶ୍ୟକ । ସରକାରୀ ଯୋଜନାକୁ ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଲୋକତନ୍ତ୍ର ପ୍ରତି ବଡ଼ ବିପଦ । ତେଣୁ ଆମ ଅଭିଯୋଗ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଜରୁରୀ । ବିଜେଡିର ଏହି ପ୍ରତିନିଧି ଦଳରେ ଡ.ଲେନିନ ମହାନ୍ତି, ସୁମିତ୍ରା ଜେନା, ମିହିର ରାୟ, ନାରାୟଣ ଜେନା, ସଂଗ୍ରାମ ମହାପାତ୍ର, ରିତାଞ୍ଜଳି ପ୍ରଧାନ, ସୋଫିଆ ଆଲମ, ଜ୍ୟୋତ୍ସ୍ନାମୟୀ ପରିଡା, ଅଂଶୁ ତ୍ରିପାଠୀ, ଇଲା ସ୍ୱାଇଁ ଓ ପ୍ରଦୀପ ପଣ୍ଡା ସାମିଲ ଥିଲେ ।

0
0
0
s2sdefault