ହେଡଲାଇନସ୍:

ବିନା ସୂଚନାଫଳକରେ ଚାଲିଛି ମହିଳା କଲେଜ ଭବନ ନିର୍ମାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ ମହିଳା କଲେଜରେ ଦୁର୍ନୀତି ଗନ୍ଧ - ବିଭାଗୀୟ ଅଧିକାରୀଙ୍କ ନୀରବତା ଉପରେ ପ୍ରଶ୍ନ

ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ଟିଟିଲାଗଡ ବେଲଗାଁ ରାସ୍ତାରେ ନିର୍ମାଣାଧୀନ ମହିଳା କଲେଜ ଭବନ କାମ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି। କାମ ଚାଲିଥିବା ସ୍ଥଳରେ ଏପର୍ଯ୍ୟନ୍ତ କୌଣସି ସୂଚନା ଫଳକ (Information Board) ଲଗାଯାଇ ନାହିଁ , ଯାହା ସରକାରୀ ନିୟମ ଅନୁଯାୟୀ ଅବଶ୍ୟକ। ସାଧାରଣତଃ ଯେକୌଣସି ସରକାରୀ ପ୍ରକଳ୍ପ ଆରମ୍ଭ ପୂର୍ବରୁ ସ୍ଥଳରେ ଠିକାଦାରଙ୍କ ନାମ, ପ୍ରକଳ୍ପର ଅନୁମାନିତ ଖର୍ଚ୍ଚ, ଅନୁଦାନ ବିଭାଗ ଓ କାର୍ଯ୍ୟ ଆରମ୍ଭ ଓ ସମାପ୍ତି ସମୟସୀମା ଲିଖିତ ଥିବା ସୂଚନାଫଳକ ଲଗାଇବା ଆବଶ୍ୟକ ଥାଏ। ଏହା ଲୋକଙ୍କ ଜ୍ଞାତବ୍ୟ ଓ ସ୍ପଷ୍ଟତା ପାଇଁ ଆବଶ୍ୟକ। କିନ୍ତୁ ଟିଟିଲାଗଡ ବେଲଗାଁ ରାସ୍ତାରେ ଏହି ନିୟମ ଉଲଂଘନ ହୋଇ ନିର୍ମାଣ କାମ ଚାଲିଥିବାରୁ ଦୁର୍ନୀତି ଓ ଅସାଧୁଚରଣ ନେଇ ଚର୍ଚ୍ଚା ଚାଲିଛି।
ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି “ଯଦି କାମ ନିୟମିତ ଓ ସରକାରୀ ଅନୁଦାନରେ ହୁଏ, ତେବେ ସୂଚନାଫଳକ ରଖିବାରେ ଭୟ କାହିଁକି? ଏହା ମାନେ କିଛି ଲୁଚାଯାଉଛି କି?” କିଛି ସଚେତନ ନାଗରିକ କହୁଛନ୍ତି ଯେ, ସୂଚନାଫଳକ ନ ଥିବାର ଅର୍ଥ ହେଉଛି ପ୍ରଶାସନୀୟ ନିରୀକ୍ଷଣ ନଥିବା ଓ ନିୟମ ଅନୁପାଳନ ନ ହେବା। ଏହା ଦୁର୍ନୀତିର ସୁଯୋଗ ସୃଷ୍ଟି କରେ ଏବଂ ସରକାରୀ ଧନର ଅସତ୍ୟ ବ୍ୟବହାର ହେବା ଆଶଙ୍କା ରହିଥାଏ। ସ୍ଥଳର ଚାଲିଥିବା କାମକୁ ଦେଖି ସ୍ପଷ୍ଟ ହେଉଛି ଯେ ପ୍ରକଳ୍ପ ଆରମ୍ଭ ହୋଇ ଅନେକ ଦିନ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରାଥମିକ ସୂଚନା ଜନସାଧାରଣଙ୍କ ପାଖକୁ ପହଞ୍ଚାଇ ନାହିଁ। ଏହା ନିଶ୍ଚୟ ଭାବେ ଏକ ପ୍ରଶାସନୀୟ ଅସାବଧାନତା ଓ ଅବହେଳା । ସମ୍ବନ୍ଧିତ ବିଭାଗୀୟ ଅଧିକାରୀଙ୍କ ନିରବତା ଏହି ସନ୍ଦେହକୁ ଆହୁରି ଗଭୀର କରିଛି। ଲୋକମାନେ ପ୍ରଶ୍ନ କରୁଛନ୍ତି “ବିଭାଗୀୟ ଅଧିକାରୀମାନେ ଏହି ଅନିୟମିତିକୁ ଦେଖୁନାହାନ୍ତି କି? ନା ସେମାନେ ମଧ୍ୟ ଏପରି କାର୍ଯ୍ୟକୁ ସହମତ ଓ ସହଯୋଗ କରୁଛନ୍ତି?” ସଚେତନ ନାଗରିକ ଓ ସମାଜସେବୀ ସଂଗଠନଗୁଡ଼ିକ ଦାବି କରୁଛନ୍ତି ଯେ ଏହି ମହିଳା କଲେଜ ଭବନ ନିର୍ମାଣରେ ନିୟମ ଉଲଂଘନ ହୋଇଥିବା ମାମଲାରେ ତତ୍କାଳ ତଦନ୍ତ ଆରମ୍ଭ କରାଯାଉ, ଦାୟୀ ଅଧିକାରୀ ଓ ଠିକାଦାରଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ।
କିଏ ଏହି କାମର ଠିକାଦାର?
କେତେ ଅନୁମୋଦିତ ଖର୍ଚ୍ଚରେ କାମ ହେଉଛି? ବିଭାଗୀୟ ନିରୀକ୍ଷଣ ଅଧିକାରୀ କିଏ? ସୂଚନାଫଳକ ନ ଥିବା ଯୋଗୁ ଆଇନ ଉଲଂଘନ ହେଉନି କି?
ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଲୋକେ ଆଜି ଆଶା କରୁଛନ୍ତି।
"ସ୍ପଷ୍ଟତା ଓ ଜବାବଦେହିତା ହିଁ ନିୟମିତ ଶାସନର ଆଧାର।"

0
0
0
s2sdefault