ହେଡଲାଇନସ୍:

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଖାଦ୍ୟ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଅକ୍ଟୋବର ୧୬ : ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚୁ୍ୟଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ ପକ୍ଷରୁ ଗୁରୁବାର ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ବନ୍ୟ ସଂରକ୍ଷକ ଡକ୍ଟର ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବପିଢ଼ି ଉଦ୍ୟୋଗୀ ହେବା ସହ କୃଷି କାର୍ଯ୍ୟ ପ୍ରତି ମଧ୍ୟ ମନୋନିବେଶ କରିବା ଉଚିତ୍ ବୋଲି କହିଥିଲେ । କୃଷକ ମାନେ ସମାଜର ମେରୁଦଣ୍ଡ ହୋଇଥିବା ବେଳେ ମଣିଷକୁ ଖାଦ୍ୟ କେବଳ ସେମାନେ ହିଁ ଯୋଗାଇଥାନ୍ତି । ତେଣୁ ଜଙ୍ଗଲ ସଂରକ୍ଷଣ ସହିତ କୃଷି କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଡକ୍ଟର ମିଶ୍ର କହିଥିଲେ ।
କାର୍ଯ୍ୟକ୍ରମରେ ଓଡ଼ିଶାର ମାଣ୍ଡିଆ ରାଣୀ ଭାବେ ପରିଚିତ ଡକ୍ଟର ରାଇମତି ଘିଉରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚାଷୀମାନଙ୍କୁ ଆଗକୁ ବଢ଼ିବାରେ ମାଣ୍ଡିଆ ହିଁ ସବୁଠାରୁ ଅଧିକ ସାହାଯ୍ୟ କରିବା ସହ ଅର୍ଥ ରୋଜଗାରର ମାଧ୍ୟମ ପାଲଟିଥିବା କହିଛନ୍ତି । ସେ ନିଜେ ୪୦ ପ୍ରକାରର ମାଣ୍ଡିଆ ଚାଷ କରୁଥିବା ବେଳେ ଗରୀବର ଖାଦ୍ୟ ବୋଲାଉଥିବା ଏହି ମାଣ୍ଡିଆ ଦେଶ ବିଦେଶରେ ଆଜି ପରିଚିତ ହୋଇପାରିଛି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଆଏଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ଭାବେ ପାଳନ କରାଯାଉଥିବା କହିବା ସହ ଚଳିତ ବର୍ଷର ପ୍ରସଙ୍ଗ “ହ୍ୟାଣ୍ଡ ଇନ୍ ହ୍ୟାଣ୍ଡ ଫର ବେଟର ଫୁଡ୍ସ ଆଣ୍ଡ ବେଟର ଫୁ୍ୟଚର” ସମ୍ପର୍କରେ ଆଲୋକପାତ କରିଥିଲେ ।
ବିଶ୍ୱର ୧୫୦ ଟି ଦେଶ ଏହି ଦିବସ ପାଳନ କରିଥାନ୍ତି ବୋଲି ସେ ସୂଚନା ଦେଇଥିଲେ । ଖାଦ୍ୟ ସୁରକ୍ଷା, କ୍ଷୁଧାର୍ତକୁ ଖାଦ୍ୟ ଯୋଗାଇବା, ଖାଦ୍ୟର ଅପମିଶ୍ରଣକୁ ରୋକିବା ଏବଂ ପାଣିପାଗର ପ୍ରଭାବରୁ କୃଷିକୁ ବଂଚାଇ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ ବୋଲି ପ୍ରଫେସର ରାଉତ କହିଥିଲେ ।
କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ଅନୁଗୁଳ, କଟକ, ଢେ଼ଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ପ୍ରାୟ ୭୦ ରୁ ଊଦ୍ଧ୍ୱର୍ କୃଷକଙ୍କ ସମେତ ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ଶେଷରେ ଉଦ୍ଭିଦ ଆନୁବଂଶିକି ଓ ଉଦ୍ଭିଦ ପ୍ରଜନନ ବିଭାଗର ମୁଖ୍ୟ ଡକ୍ଟର ଆର୍.କେ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଡକ୍ଟର ଅରୁଣ କୁମାର ମିଶ୍ର ସ୍ୱାମୀନାଥନ ବକ୍ତୃତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କୃଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ଡକ୍ଟର ଅସିତ ପ୍ରସାଦ ଦାସ, ଡକ୍ଟର ରାଜେଶ କର, ଡକ୍ଟର ବିଶ୍ୱଜିତ ଲେଙ୍କା, ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ଦିବ୍ୟାଭାରତୀ ସାହୁ, ଡକ୍ଟର ସନ୍ଦୀପ ସିଂହ, ଡକ୍ଟର ଦର୍ଶନା ପାତ୍ର, ଶ୍ରୀ ଅଭିଷେକ ସାମଲ, ଶ୍ରୀମତି ଶୁଭ୍ରା ମିଶ୍ର, ଶ୍ରୀମତି ଗୋପାଲିନା ମାଇତି, ଶ୍ରୀମତି ଚିନ୍ମୟୀ ବେହେରା, ଶ୍ରୀ ରାଜୀବ କୁମାର ବେହେରା ଏବଂ ଶ୍ରୀମତି ଗାୟତ୍ରୀ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault