ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଶରତ ଋତୁର ଶେଷ ତଥା ପ୍ରମୁଖ ପର୍ବ ହେଉଛି କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା । ପୁରାଣ ବର୍ଣ୍ଣନା ଅନୁଯାୟୀ ସମୁଦ୍ର ମନ୍ଥନରୁ ଉଭୟ ମା’ଲକ୍ଷ୍ମୀ ଏବଂ ଚନ୍ଦ୍ରଙ୍କର ଆବିର୍ଭାବ ହୋଇଥିଲା । କୁମାର ପୂର୍ଣ୍ଣିମା ମୁଖ୍ୟତଃ କୁମାରୀ ମାନଙ୍କର ବ୍ରତ । ଆଶ୍ୱୀନ ମାସର ପୂର୍ଣ୍ଣିମା ତିଥି ସମଗ୍ର ପୁରପଲ୍ଲୀରେ କୁମାର ପୂର୍ଣ୍ଣିମା ଗଜଲକ୍ଷ୍ମୀ ପୂଜାର ପବିତ୍ର ଦିନ । କୁମାରୀ ମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ । ଚନ୍ଦ୍ର ପରି ଶାନ୍ତ, ନିର୍ମଳ ଏବଂ ଶ୍ରେଷ୍ଠ ପୁରୁଷ କାର୍ତ୍ତିକେୟଙ୍କ ପରି ସୁନ୍ଦର ଜୀବନ ସାଥିଟିଏ କାମନା କରି କୁମାରୀ ଝିଅ ମାନେ ଏହି ବ୍ରତ ପାଳନ କରିଥାନ୍ତି । ବୋରିକିନା ଅଞ୍ଚଳରେ କୁମାରପୂର୍ଣ୍ଣିମା ପର୍ବ ପାଳିତ ହୋଇଛି । ଏହି ଅବସରରେ କୁମାରୀ ଝିଅ ମାନେ ସାରାଦିନ ଉପବାସ ରହି ପ୍ରାତଃ କାଳରୁ ଉଠି କୁମାରୀ ମାନେ ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ପ୍ରାତଃରେ ଖଇ ଆଞ୍ଜୁଳି ଧରି ସୂର୍ଯ୍ୟପୂଜା ଓ ସଂଧ୍ୟାରେ ଚନ୍ଦ୍ରପୂଜା ଏବଂ ବୃନ୍ଦାବତୀଙ୍କ ପୂଜା କରାଯାଇଥାଏ । ଝିଅ ମାନେ ଏକାଠି ହୋଇ ଉଖୁଡା, ନଡ଼ିଆ ଓ ଅନ୍ୟାନ୍ୟ ଫଳମୂଳ ଭୋଗ କରି ସାଙ୍ଗ ହୋଇ ନଦୀ କୂଳ ଅଥବା ପୋଖରୀ କୂଳକୁ ଯାଇ ସାଙ୍ଗ ସାଥୀ ମାନଙ୍କୁ ନେଇ ଭୋଗ ଖୁଆଇ ଚନ୍ଦ୍ରକୁ ସାକ୍ଷୀ ରାଖୀ ଚାନ୍ଦ ହୋଇଥାନ୍ତି । ଏହି କୁମାର ପୂର୍ଣ୍ଣିମା ପାଇଁ ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଥିଲା । ହେଲେ ଦୁର୍ଭାଗ୍ୟ ଏହି କି ଯେ, ଲଘୁଚାପ ଜନିତ ଲଗାଣ ବର୍ଷା ସମ୍ପୂର୍ଣ୍ଣ ଭାବେ କୁମାର ପୂର୍ଣ୍ଣିମା ରେ ପାଣି ପୁରେଇ ଦେଲା । ଯାହା ଫଳରେ କୁମାରୀ ମାନେ ଘରୁ ବାହାରି ନଥିବା ଦେଖିବାକୁ ମିଳିଛି । ଗାଁ ଗହଳରେ କୁମାର ପୂର୍ଣ୍ଣିମା ଅବସରରେ କୁମାରୀ ଝିଅ ମାନେ ରାତିରେ ଉଜାଗର ରହି ‘କୁମାର ପୂର୍ଣ୍ଣିମି ଜହ୍ନି ଗୋ, ଫୁଲ ବଉଳବେଣୀ’ ଗୀତ ଗାଇ ପୁଚି ଓ ବୋହୁଚୋରୀ ଆଦି ଖେଳ ଖେଳିଥାନ୍ତି । ଏହା ଦ୍ୱାରା କୁମାରୀ ମାନଙ୍କ ମଧ୍ୟରେ ଆତ୍ମୀୟତା ବଢିବା ସହିତ ନିଜ ନିଜ ଭିତରେ ସହଯୋଗର ବନ୍ଧୁତା ସ୍ଥାପନ ହୋଇଥାଏ ।
ରାଜ୍ୟ
ଲଗାଣ ବର୍ଷାରେ ଫିକା ପଡ଼ିଲା କୁମାର ପୂର୍ଣ୍ଣିମା
- Hits: 58











