
ଓଡ଼ଗାଁ,୨୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ମଧ୍ୟ ଦେଇ ଯାଇଥିବା ଗୁରୁତ୍ବପୂର୍ଣ୍ଣ ୨୧ ନମ୍ବର ରାଜ୍ୟ ରାଜପଥରେ ବିଭିନ୍ନ ସମୟରେ ବେପରୁଆ ଗାଡି ଚାଳନା ସହିତ ଗୋରୁଗାଈଙ୍କ ଅବାଧ ବିଚରଣ ପାଇଁ ଦୃଘଟଣା ମାନ ଘଟିଚାଲିଛି । ଦୃଘଟଣାରେ କେତବେଳେ ମଣିଷ ତ କେତବେଳେ ଗୋରୁଗାଈ ମୃତ ଅବା ଗୁରୁତର ହୋଇ ପଡିଥାନ୍ତି ।
ଏପରି ଘଟଣାରେ ଗତ ୨୧ ତାରିଖ ରବିବାର ସନ୍ଧ୍ୟାରେ ବନବିଭାଗ କାର୍ଯ୍ୟାଳୟ ସାମ୍ନାରେ ନୟାଗଡ଼ ପାଖରୁ ଆସୁଥିବା ଗୋଟିଏ ବୋଲେରୋ ଗାଡ଼ିର ଶକ୍ତ ଧକ୍କାରେ ରାସ୍ତାରେ ଥିବା ଦାମ୍ବୁଡି ବଳଦଟିଏ ବହୁବାଟ ଘୋଷାଡି ହୋଇ ଛିଟିକି ପଡ଼ି ଗୁରୁତର ହୋଇପଡ଼ିଥିଲା । ଏବଂ ଘଟଣା ସ୍ଥଳରୁ ଗାଡ଼ିଟି ପଳାଇ ଯାଇଥିଲା । ମାତ୍ର ଦେଖଣାହାରୀ ଗାଡିକୁ ତଡ଼ି ଧରିବାରେ ସଫଳ ହୋଇଥିଲେ । ଏବଂ ଖବରପାଇ ରଘୁନାଥ ଯୁବ ସେନା ଗୋ ସେବା ପରିଷଦ, ଓଡ଼ଗାଁର ସଦସ୍ୟ ମାନେ ଘଟଣାସ୍ଥଳରେ ପହଁଞ୍ଚି ଚିକିତ୍ସକଙ୍କ ଜରିଆରେ ମୃତବତ୍ ବଳଦଟିର ଚିକିତ୍ସା ଆରମ୍ଭ କରିଦେଇଥିଲେ । ପ୍ରଥମ ଅବସ୍ଥାରେ ସମସ୍ତେ ତାର ବଞ୍ଚିବାର ଆଶା ଛାଡ଼ିଦେଇ ଥିବା ବେଳେ ଗୋ ସେବକ ପରିଷଦ ସଦସ୍ୟ ମାନଙ୍କ ଦ୍ଵାରା ଦୀର୍ଘ ୮ ଦିନର ଅକ୍ଳାନ୍ତ ପରିଶ୍ରମରେ ବଳଦଟି ଅନେକାଂଶରେ ସୁସ୍ଥ ହୋଇପାରିଛି । ଏବଂ ସେମାନଙ୍କ ସେବା ଜାରି ରହିଥିବା ବେଳେ ବଳଦ ମାଲିକ ଦୁରେଇ ରହିବା ଓ ଚିକିତ୍ସାରେ ପ୍ରାଣୀ ଚିକିତ୍ସାଳୟର ଅବହେଳା ସେମାନଙ୍କୁ ବ୍ୟଥିତ କରିଥିବା ପରିଷଦର ସଭାପତି ତପନ ସାମନ୍ତରାୟ, ସମ୍ପାଦକ ଲକ୍ଷ୍ମୀକାନ୍ତ ସାହୁ ଓ କୋଷାଧ୍ୟକ୍ଷ ଶୁଭମ୍ ନନ୍ଦଙ୍କ ସହିତ ଅନ୍ୟ ସଭ୍ୟମାନେ କହିଛନ୍ତି । ସୂଚନା ଥାଉକି ଓଡ଼ଗାଁ ଏନ୍ଏସି ଦ୍ବାରା ଗୋରୁଗାଈଙ୍କୁ ଗୁହାଳରେ ବାନ୍ଦିରଖିବା ପାଇଁ ବାରମ୍ବାର ସଚେତନ କରାଯାଉଥିବା ବେଳେ ନିଜର ଏବଂ ଅନ୍ୟର ସୁରକ୍ଷାପାଇଁ ନୀତି ନିୟମ ମଧ୍ୟରେ ଗାଡ଼ି ଚାଳନା ପାଇଁ ଆରଟିଓ ଓ ପୋଲିସ ବିଭାଗ ଦ୍ବାରା ମଧ୍ୟ ମିଳିତ ସଚେତନ କରାଯାଉଛି । ତେବେ ଏଥିପ୍ରତି ସତର୍କ ନରହିବା ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜିବୀ ମାନେ ମତପ୍ରକାଶ କରିଛନ୍ତି ।











