ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ବ୍ରହ୍ମପୁର ରୋଟାରି କ୍ଳବ୍ ତରଫରୁ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ କାର୍ଯ୍ୟଶୈଳୀର ସ୍ୱୀକୃତି ସ୍ୱରୂପ ଗରିମାମୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ସ୍ଥାନୀୟ ରୋଟାରୀ ସଭାଗୃହରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବକୁ ଅତିଥି ଶିକ୍ଷକ ମାନଙ୍କୁ ବୀରବାଦ୍ୟ , ଫୁଲ ଚନ୍ଦନ ସହ ସଭାଗୃହକୁ ପାଛୋଟି ନିଆଯାଇଥିଲା।
ରୋଟାରୀ ସଭାପତି ଇଂ.ଭେଙ୍କେଟ୍ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଡିଷ୍ଟ୍ରକ୍ଟ ଗଭର୍ଣ୍ଣର ରୋଟାରି , ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ , ଜୋନାଲ୍ ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ପାଢ଼ି , ସମ୍ପାଦକ ଶ୍ରୀ ଟି. ରାହୁଲ , ପ୍ରକଳ୍ପ ଚେୟାରପର୍ସନ ଶ୍ରୀ ଅଜିତ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।
ମଞ୍ଚାସୀନ ଅତିଥି ବୃନ୍ଦ ଶିକ୍ଷକଙ୍କ ଭୂମିକାକୁ ସମାଜର ପଥପ୍ରଦର୍ଶକ , ଜାତିର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିବା ସହ ଆଦର୍ଶ ଭାବି ନାଗରିକ ସୃଷ୍ଟି କରିବାକୁ ଅଭିପ୍ରେରିତ କରିଥିଲେ। ରୋଟାରୀ କ୍ଲବର ପଦାଧିକାରୀ ମାନେ "ଶିକ୍ଷକମାନଙ୍କର ପରିଶ୍ରମ , ସମର୍ପଣ ଓ ନିଷ୍ଠା ବିନା ସୁଶିକ୍ଷିତ ସମାଜର ସ୍ୱପ୍ନ ସମ୍ଭବ ନୁହେଁ ବୋଲି ନିଜ ମତ ରଖିଥିଲେ ।
ରୋଟାରି କ୍ଳବ ତରଫରୁ ପୂର୍ବ ସ୍ଥିରୀକୃତ ଗଜପତି ଜିଲ୍ଲାର ଶ୍ରେଷ୍ଠ ଦଶ ଜଣ କୃତି ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ , ଗୁମ୍ମା ବ୍ଳକ , ଶ୍ରୀ ହରିକୃଷ୍ଣ ମିଶ୍ର , କାଶୀନଗର ବ୍ଲକ୍ , ଶ୍ରୀମତୀ ରସ୍ମିତା ସାମଲ , ଗୋଷାଣୀ ବ୍ଳକ୍ , ଶ୍ରୀ ଗୌରହରି ପଲାଇ , ମୋହନା ବ୍ଲକ, ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ , ଗୁମ୍ମା ବ୍ଲକ୍ , ଶ୍ରୀ ଆନନ୍ଦ ଶତପଥି , ରାୟଗଡ଼ା , ଶ୍ରୀମତୀ ସଙ୍ଗୀତା ପାତ୍ର , ପୌରାଞ୍ଚଳ ପ୍ରମୁଖଙ୍କୁ ଉପଢୌକନ , ପୁଷ୍ପଗୁଚ୍ଛ , ପ୍ରମାଣପତ୍ର , ସ୍ମାରକ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା ।
ପୁରସ୍କାରପ୍ରାପ୍ତ ଶିକ୍ଷକ , ଶିକ୍ଷୟତ୍ରୀମାନେ ଏହି ଭବ୍ୟ ସମାରୋହରେ ସମ୍ମାନ ପାଇ ଭାବ ବିହ୍ୱଳ ହେବା ସହ ଆଗାମୀ ଦିନରେ ଶିକ୍ଷାର୍ଥୀ ଶିକ୍ଷଣ ଓ ମାନବିକ ମୁଲ୍ୟବୋଧର ଗଠନ ନିମନ୍ତେ ନିରନ୍ତର ପ୍ରୟାସ କରିବୁ ବୋଲି ମତବ୍ୟକ୍ତ କରିଥିଲେ।
ସଭା ଶେଷରେ ସମ୍ବର୍ଦ୍ଧିତ ରାଷ୍ଟ୍ର ନିର୍ମାଣ ପୁରସ୍କାର ପ୍ରାପ୍ତ ଶିକ୍ଷକ , ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଜଣାଇ ସମସ୍ତ ରୋଟାରିଆନ୍ ଦଣ୍ଡାୟମାନ ପୂର୍ବକ କରତାଳି ଦେଇଥିଲେ।
ଏହି ଖବର ପାଇଁ ଗଜପତି ଜିଲ୍ଲା ଶିକ୍ଷକ ସମାଜରେ ଆନନ୍ଦର ଲହରୀ ଖେଳିଯିବା ସହ ସମ୍ବର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।