ହେଡଲାଇନସ୍:

ଯୁବ ରେଡ୍ କ୍ରସ ରାୟଗଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ-୨୦୨୫ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା,୧୨/୦୯ :ୟୁଥ୍‌ ରେଡ୍‌ କ୍ରସ୍‌ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ-୨୦୨୫ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି ଶ୍ରୀ ନବୀନ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ, ଯୁବ ରେଡ୍ କ୍ରସ ମାଧ୍ୟମରେ ଯୁବପୀଢ଼ୀଙ୍କୁ ସମାଜସେବା, ମାନବିକତା, ସଚେତନତା ଓ ନୈତିକ ମୂଲ୍ୟବୋଧରେ ଅଗ୍ରଣୀ ଭୂମିକା ନେବାକୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଯେ, "ଆଜିର ଯୁବଗୋଷ୍ଠୀ କେବଳ ଶିକ୍ଷାରେ ନୁହେଁ, ସମାଜର ସମସ୍ୟା ପ୍ରତି ସଚେତନ ହୋଇ ସହାୟତାର ହାତ ବଢ଼ାଇବା ଉଚିତ୍ । ଜିଲ୍ଲା ରେଡ୍ କ୍ରସ ର ସଭାପତି ତଥା ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ସଭାରେ ଅଧ୍ୟକ୍ଷତା କରିଥିଲେ । ସେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଯୁବ ରେଡ୍ କ୍ରସ ଦ୍ଵାରା ଯୁବକମାନଙ୍କୁ ସାମାଜିକ, ସାଂସ୍କୃତିକ ଓ ସେବାମୂଳକ କାର୍ଯ୍ୟରେ କିପରି ପ୍ରେରିତ କରାଯାଉଛି, ତାହା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସଂଯୋଜକ ଟିକେଶ୍ୱର ମାଝୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ପୂର୍ବବର୍ଷର କାର୍ଯ୍ୟକଳାପ ଉପରେ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିଥିଲେ । ସେ ଯୁବ ରେଡ୍ କ୍ରସ ର ଶିବିର, ସଚେତନତା ରାଲି, ରକ୍ତଦାନ ଶିବିର, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ, ସ୍ୱଚ୍ଛତା ଅଭିଯାନ , ରେଡ୍ ରୀବନ୍ କ୍ଲବ୍ ଅଭିଯାନ ଇତ୍ୟାଦିର ସଫଳତାକୁ ଉଲ୍ଲେଖ କରିଥିଲେ । ଜିଲ୍ଲା ସମନ୍ୱୟ ଅଧିକାରୀ ପ୍ରଶାନ୍ତ ପଣ୍ଡା ଆଗାମୀ ବର୍ଷ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରି, ସମସ୍ତ କଲେଜ୍‌ ୱାଇ. ଆର୍. ସି. ୟୁନିଟ ଙ୍କୁ ସେଥିରେ ସକ୍ରିୟ ଭାବରେ ଯୋଗଦେବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, "ଯୁବ ରେଡ୍ କ୍ରସ କେବଳ ଏକ ସଂଗଠନ ନୁହେଁ ବରଂ ଏହା ଏକ ଆନ୍ଦୋଳନ ଯାହା ସଚେତନ ଯୁବ ପୀଢ଼ୀକୁ ତିଆରି କରୁଛି ।" ଜିଲ୍ଲାର ବିଭିନ୍ନ କଲେଜର ଅଧ୍ୟକ୍ଷ ଓ ଯୁବ ରେଡ୍ କ୍ରସ କାଉନସେଲରମାନେ ସଭାରେ ତାଙ୍କର ମୂଲ୍ୟବାନ ପରାମର୍ଶ ରଖିଥିଲେ । ସେମାନଙ୍କର ସହଭାଗୀତା ଯୁବ ରେଡ୍ କ୍ରସର ଆଗାମୀ କାର୍ଯ୍ୟକ୍ରମକୁ ଦୃଢ଼ ଏବଂ ସଫଳ କରିବାରେ ଶକ୍ତି ଦେଇଥିଲା । ସଭାର ଶେଷରେ ରେପରାମର୍ଶଦାତା ପ୍ରିୟଦର୍ଶିନୀ ବଳ ଧନ୍ୟବାଦ ଜ୍ଞାପନ କରିଥିଲେ, ଯେଉଁଥିରେ ସେ ସମସ୍ତ ଅତିଥି, ଅଧ୍ୟକ୍ଷ, କାଉନସେଲର ଓ ସ୍ବେଛାସେବୀମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହି ସଭା ଯୁବ ରେଡ୍ କ୍ରସ ଆନ୍ଦୋଳନକୁ ରାୟଗଡା ଜିଲ୍ଲାରେ ଆହୁରି ସକ୍ରିୟ, ସଚେତନ ଓ ସମାଜମୁଖୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

0
0
0
s2sdefault