ଗଞ୍ଜାମ ଓ କୋରାପୁଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଉପଭୋକ୍ତା ସଂପ୍ରଦାୟ ସାମିଲ
ବ୍ରହ୍ମପୁର, ସେପ୍ଟେମ୍ୱର: ଟାଟା ସେଚ୍ଛାସେବୀ ସପ୍ତାହ ଉପଲକ୍ଷେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମର ରଙ୍ଗେଇଲୁଣ୍ଡା ବ୍ଲକସ୍ଥିତ କମଳାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ କୋରାପୁଟର ଗିରିଲିଗୁଡ଼ା ଗ୍ରାମରେ ଡିଜିଟାଲ୍ ସାକ୍ଷରତା ଅଭିଯାନ ଅନୁଷ୍ଠିତ ହୋଇଛି । ଏହି ସାକ୍ଷରତା ଅଭିଯାନ ଅଧିନରେ ଗ୍ରାମାଞ୍ଚଳ ଓ ଛୋଟ ସହରାଞ୍ଚଳଗୁଡ଼ିକର ଏସଏଚଜି ମହିଳା ତଥା ଉପଭୋକ୍ତା ସଂପ୍ରଦାୟଙ୍କୁ ଡିଜିଟାଲ ଶିକ୍ଷା ଦିଆଯାଇଛି ।
ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତୀ ମଞ୍ଜୁ ଗର୍ଗ ମହିଳାମାନଙ୍କୁ ଡିଜିଟାଲ ସାକ୍ଷରତାର ମହତ୍ତ୍ୱ ଓ ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । କମ୍ପାନୀ ପକ୍ଷରୁ ସ୍ୱେଚ୍ଛାସେବୀ କର୍ମଚାରୀମାନେ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଏସମ୍ପର୍କରେ ଶିକ୍ଷା ପ୍ରଦାନ କରିବା ସହ ଡିଜିଟାଲ ପଦ୍ଧତି କିପରି କାର୍ଯ୍ୟ କରେ ସେନେଇ ବୁଝାଇଥିଲେ ।
ସେହିପରି, ଦୈନନ୍ଦିନ ଜୀବନରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର, ଅନଲାଇନ ପେମେଣ୍ଟ ସିଷ୍ଟମ୍, ନିରାପଦ ଡିଜିଟାଲ୍ ଅଭ୍ୟାସ ଓ ସରକାରୀ ତଥା ବେସରକାରୀ ବ୍ୟାଙ୍କରେ ଡିଜିଟାଲ ସେବାର ବ୍ୟବହାର ଦିଗରେ ସଚେତନତା ସୃଷ୍ଟି କରାଯାଇଥିଲା।
କୋରାପୁଟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ଏସଏଚଜି ମହିଳାମାନେ ଯୋଗ ଦେଇଥିବା ବେଳେ ସାଧାରଣ ଜୀବନରେ ଡିଜିଟାଲ ସେବାର ଉପଲବ୍ଧତା ଓ ଏହାର ସଠିକ ପରିଚାଳନା ସମ୍ପର୍କରେ ଶିକ୍ଷା ଗ୍ରହଣ କରିଥିଲେ । ପୁରା ଅଧିବେଶନଟି ଦ୍ୱିପାକ୍ଷିକ ଆଲୋଚନାରେ ପରିଚାଳିତ ହୋଇଥିଲା, ଯାହାଫଳରେ ମହିଳାମାନେ ଡିଜିଟାଲ ସେବା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ କର୍ମଚାରୀମାନେ ସେମାନଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ ।
ଟିପିଏସ୍ଓଡିଏଲର ଏଭଳି ପଦକ୍ଷେପ ଉପଭୋକ୍ତା ସଂପ୍ରଦାୟଙ୍କ ମଧ୍ୟରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବା ସହ ସେମାନଙ୍କୁ ଅଧିକ ସଶକ୍ତ କରିପାରୁଛି । ଦକ୍ଷିଣ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଉପଭୋକ୍ତାଙ୍କ ଜୀବନ ମାନରେ ଉନ୍ନତି ଆଣିବା ନେଇ କମ୍ପାନୀ ସଦା ପ୍ରତିବଦ୍ଧ ରହିଛି ।