ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ - ୨୦୨୫ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ କହିଥିଲେ ଯେ , ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ଚାହିଦା ଦୃଷ୍ଟିରୁ ପାରଳାଖେମୁଣ୍ଡି ସହରରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ସହରକୁ ସଫାସୁତୁରା ରଖିବା ଦିଗରେ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନିଆଯାଇଛି । ଆଗକୁ ଆହୁରି ଉନ୍ନତିମୂଳକ କାର୍ଯ୍ୟ କରାଯିବ , ସେଥିପାଇଁ ଜନସାଧାରଣଙ୍କ ସହଯୋଗ ମିଳିଲେ ପାରଳା ସହରକୁ ଏକ ଅଗ୍ରଣୀ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ରେ ବିଶେଷ ସହାୟକ ହୋଇପାରିବ ବୋଲି କହିଥିଲେ।
ଏହି ଅବସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ଉଦବୋଧନ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ପାରଳାବାସୀ ମିଳିମିଶି ସହଯୋଗ କରିବାକୁ କହି ପୌର ପରିଷଦ କର୍ମଚାରୀ ମାନେ ସେମାନଙ୍କ ଦାୟିତ୍ବ ସ୍ଵଚ୍ଛତାର ସହ ନିର୍ବାହ କରି ଜନସାଧାରଣଙ୍କ ସେବାରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ।
ଏହି ଅବସରରେ ପାରଳା ପୌର ପରିଷଦ ଅଞ୍ଚଳରେ ରହିଥିବା ୧୬ ଗୋଟି ୱାର୍ଡ ରେ ରହିଥିବା ବରପୁତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସହ ସ୍ଥାନୀୟ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ଅତିଥି ଭାବେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ , ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି , ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୂର୍ମୁ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ପୌର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ ଙ୍କ ସମେତ ସମସ୍ତ କାଉନସିଲର ମଞ୍ଚାସୀନ ଥିଲେ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ଙ୍କ ଦ୍ବାରା ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।
ପରେ ପାରଳାର ଅଗ୍ରଣୀ ସାଂସ୍କୃତିକ ପଦାମୃତ ନୃତ୍ୟାୟନ , ସମଲେଇ ନୃତ୍ୟକଳା ପରିଷଦ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , କ୍ରିଏଟିଭ୍ ଆର୍ଟସ୍ , ମିରାକେଲ୍ ଡେନ୍ସ ଷ୍ଟୁଡ଼ିଓ , ଡ୍ରିମ୍ ଡେନ୍ସ , ବନ୍ଦେମାତାମ୍ ର କଳାକାରମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ପୌର ପରିଷଦର ବିରଞ୍ଚି ମିଶ୍ର , ଘନଶ୍ୟାମ ବେହେରା , ସ୍ଵଚ୍ଛାସାଥି ଏବଂ ପୌର ପରିଷଦର ଅନ୍ୟାନ୍ୟ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ।