ହେଡଲାଇନସ୍:

ମୟୂରଭଞ୍ଜବାସୀଙ୍କ ନିମନ୍ତେ ଖୁସି ଖବର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଖୁବ ଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

ବାରିପଦା (ଦିଲ୍ଲୀପ ମହାନ୍ତି ):- ମୟୂରଭଞ୍ଜବାସୀ ତଥା ଆର୍ବାନ ବ୍ୟାଙ୍କର ଜମାକାରୀମାନଙ୍କ ନିମନ୍ତେ ଖୁସୀର ଖବର । ବାରିପଦା ଆର୍ବାନ କୋ-ଅପରେଟିଭ ବ୍ୟାଙ୍କରେ ଜମାକାରୀମାନଙ୍କର ଜମା ରାଶି ଖୁବ ଶୀଘ୍ର ଫେରିପାଇବାର ଆଶା ସୃଷ୍ଟି ହୋଇଛି । ନିଜନିଜର କଷ୍ଟଲବ୍ଧ ଉପାର୍ଜନରୁ କାଟି ବ୍ୟାଙ୍କରେ ଟଙ୍କା ଜମା ରଖି ହରଡ଼ଘଣାରେ ପେଶି ହେଉଥିବା ଜମାକାରୀମାନେ ସେମାନଙ୍କ ଜମାରାଶି ଫେରସ୍ତ ପାଇବା ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନର ରାସ୍ତା ଫିଟିବାରେ ଲାଗିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଓ ଆର୍ବାନ ବ୍ୟାଙ୍କକୁ ପୁନଃ କାର୍ଯକ୍ଷମ କରିଇବା ନିମନ୍ତେ ଘୋଷଣା କରିବାକୁ ଯାଉଛନ୍ତି । 

          ଓଡ଼ିଶାରେ ବିଜଦ ଓ ଭାଜପାର ମିଳିତ ସରକାର ଚାଲିଥିବାବେଳେ ଅର୍ଥାତ୍ ୨୦୦୯ ମସିହା ପୂର୍ବରୁ ରାଜ୍ୟସରକାର ବାରିପଦା ଆର୍ବାନ ବ୍ୟାଙ୍କର ପରିଚାଳନା ପରିଷଦ ନିର୍ବାଚନ ନ କରାଇ ଦଳର ଜିଲାସ୍ତରୀୟ ନେତାଙ୍କୁ ବ୍ୟାଙ୍କରେ ଥଇଥାନ କରାଇବାର ବ୍ୟବସ୍ଥା ଶେଷରେ ମହଙ୍ଗା ସାବ୍ୟସ୍ତ ହେଲା । ବ୍ୟାଙ୍କର ସଭାପତିଭାବରେ ଥଇଥାନ ହୋଇଥିବା ନେତାଙ୍କର ପରିଚାଳନାଗତ ଅପାରଗତା, ରିଜର୍ଭ ବ୍ୟାଙ୍କର ଗାଇଡ଼ ଲାଇନକୁ ଅଣଦେଖା ପୂର୍ବକ ମନମୁଖୀ ଋଣ ଲଗାଣ ସହିତ ବ୍ୟାଙ୍କକର୍ମଚାରୀମାନଙ୍କ ସହିତ ମିଳିମିଶି ଜମାକାରୀମାନଙ୍କ ଜମାରାଶିକୁ ହେରାଫେରି କରିବା, ବ୍ୟାଙ୍କର ଆୟବ୍ୟୟ ସହିତ ହାନୀଲାଭର ଭୂଲ ବିବରଣୀ ରିଜର୍ଭବ୍ୟାଙ୍କକୁ ପ୍ରଦାନ କରିବା ଫଳରେ ୧୯୬୦ ଅପ୍ରେଲ ୨୪ରୁ  ମୁଣ୍ଡଟେକି ଓଡ଼ିଶାର ସର୍ବଶ୍ରେଷ୍ଠ  ଅଗ୍ରଣୀ ବ୍ୟାଙ୍କଭାବରେ ପୁରସ୍କାର ହାସଲ କରିଆସୁଥିବା ବାରିପଦା ଆର୍ବାନ ବ୍ୟାଙ୍କ ଶେଷରେ ତାରସତ୍ତା ହରାଇ ବସିଲା । 

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଲାଇସେନ୍ସ ଆରବିଆଇ ଦ୍ୱାରା ଗତ ୧୬/୧୦/୨୦୧୪ ଗୁରୁବାର ରଦ୍ଧ ହେବା ପରେ ୧୭ ତାରିଖ ଶୁକ୍ରବାର ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହାଫଳରେ ଶହଶହ ଜମାକାରୀ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅପ୍ରିତିକର ପରିସ୍ଥିତି ଯେ ପରିସୃଷ୍ଟି ନ ହୁଏ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷର ହସ୍ତକ୍ଷେପ ଓ ୨୨/୧୦/୨୦୧୪ ତାରିଖ ବୁଧବାର ମଧ୍ୟରେ କଣ ନିଷ୍ପତ୍ତି ଗ୍ରହଣ ହେଉଛି ତାହା ପ୍ରକାଶ କରିବେ ବୋଲି କହିବା ପରେ ରସ୍ତା ରୋକ ହଟିଥିଲା । ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି , ସରକାରୀ ନିଦେ୍ର୍ଧଶ ନାମା ଆସିଲେ ଶୀଘ୍ର ଜମାକାରୀମାନେ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେହି ସମୟରେ ତକ୍ରାଳୀନ ଏଆରସିଏସ ତଥା ବ୍ୟାଙ୍କ ଚିଫ ମ୍ୟାନେଜର ଦମୟନ୍ତୀ ସିଂ ସୂଚନା ଦେଇଥିଲେ । ଅକ୍ଟୋବର ୭ରେ ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କର ଲାଇସେନ୍ସ ରଦ୍ଧ କରାଯାଇଥିବା ପତ୍ର ସଂଖ୍ୟା ୟୁବିଡି.ସିଓ.ବିଏସଡି ଆଭି/୨୪୧୧/୧୨.୨୯.୨୦୪/୨୦୧୪-୧୫ ମାଧ୍ୟମରେ ବ୍ୟାଙ୍କକୁ ଅବଗତ କରାଯାଇଥିଲା । ଯାହା ବ୍ୟାଙ୍କର ହସ୍ତଗତ ହେବା ପରେ ଏଭଳି ପରିସ୍ଥିତି ସୃଷ୍ଟିହୋଇଥିଲା ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ,୧୯୪୯ ଧାରା ୨୨ ମୁତାବକ ଏହି ଲାଇସେନ୍ସ ରଦ୍ଧ କରାଯାଇଥିବା ଆରବିଆଇ ସ୍ପଷ୍ଟ କରି ଦେଇଥିଲା । ବ୍ୟାଙ୍କର ଏନପିଏ ହ୍ରାସନେଇ ୨୦୧୪ ମସିହା କାରଣ ଦର୍ଶାଅ ନୋଟିସ ଜାରି ହେବା ପରେ ଏହି ନିଷ୍ପତ୍ତିି ଗ୍ରହଣ କରାଯାଇଥିଲା । ବ୍ୟାଙ୍କର କୌଣସ ଉନ୍ନତି ପରିଲକ୍ଷିତ ନ ହେବା ହୃଦୟଙ୍ଗମ କରିବା ସହିତ ଆରବିଆଇ ଗାଇଡ ଲାଇନ ମୁତାବକ କାର୍ଯ୍ୟକରୁ ନ ଥିବା ଦର୍ଶାଇ ଏହି ରଦ୍ଦ  ନୋଟିସ ଜାରିକରିଥିଲା ଆରବିଆଇ  । ଲାଇସେନ୍ସ ରଦ୍ଦ  ନୋଟିସ ବ୍ୟାଙ୍କ ପରିସରରେ ଟଙ୍ଗାଯିବାକୁ ମଧ୍ୟ ନିଦେ୍ର୍ଧଶ ରହିଥିଲା । ଏଥି ସହିତ ବ୍ୟାଙ୍କ ଏବଂ ତାର ସମସ୍ତ ଶାଖାର ଲାଇସନ୍ସକୁ ଆରବିଆଇକୁ  ଫେରସ୍ତ କରିବା ପାଇଁ ମଧ୍ୟ ନିଦେ୍ର୍ଧଶ ଜାରି କରାଯାଇଥିଲା । ଯାହାଫଳରେ ଜମାକାରୀମାନେ ସେମାନଙ୍କର ଜମାଟଙ୍କା ଫେରି ପାଇବା ନେଇ ଆଶଙ୍କା ଦେଖା ଦେଇଥଲା । ଗତ ୨୦୧୨ ମସିହା ନଭେମ୍ବର ୧୫ ତାରିଖରେ ଆରବିଆଇ ବ୍ୟାଙ୍କର ଜମା ଓ ଉଠାଣ ଉପରେ କଟକଣା ଜାରି କରିଥିଲା । ବ୍ୟାଙ୍କ ଏନପିଏ ପରିମାଣକୁ ହ୍ରାସକରିବାକୁ ସକ୍ଷମ ନ ହେବା ସହ ୨୦୦୫ ମସିହା ମେ ୨୭ ତାରିଖ ପରଠାରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ କରିବାରେ ବିଫଳ ହୋଇଛି ଯାହାକି ଓଡ଼ିଶା ସମବାୟ ସମିତି ଆକ୍ଟ , ୧୯୬୨ ଧାରା ୨୨  ସିଧାସଳଖ ଖିଲାପ କରାଯାଇଥିବା ଆରବିଆଇ ଉଲ୍ଲେଖ କରିଥିଲା । ଅନ୍ୟପକ୍ଷରେ ଜମାକାରୀମାନେ ବ୍ୟାଙ୍କର ଗାଇଡ଼ଲାଇନ ମୁତାବକ ସେମାନଙ୍କ ଟଙ୍କା ଫେରସ୍ତ ଦିଆଯିବ ବୋଲି ବ୍ୟାଙ୍କକର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପରେ ବାରିପଦା ଆର୍ବାନ ବ୍ୟାଙ୍କର ନିର୍ବାଚନ କରାଗଲା । ନିର୍ବାଚନରେ ବିଜେପିର ଗିରିଧାରୀ ପୃଷ୍ଟି ପରିଚାଳନା ପରିଷଦର ସଭାପତି ହୋଇଥିଲେ । କିନ୍ତୁ ନବ ନିର୍ବାଚିତ ବୋଡର଼୍ ପୁରୁଣା ପାଠର ପୁନଃ ଆବୃତ୍ତି କରିଥିଲେ । ରିଜର୍ଭବ୍ୟାଙ୍କର ଗାଇଡ଼ଲାଇନ ବାହାରକୁ ଯାଇ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ରିଜର୍ଭ ବ୍ୟାଙ୍କଖର୍ଚ୍ଚ , ଋଣ ଲଗାଣ ଆଦି ବିଭିନ୍ନ ଦିଗ ଉପରେ ଲଗାଇଥିବା କଟକଣା ବାହାରକୁ ଯାଇ ଖର୍ଚ୍ଚ ଆରମ୍ଭ କରି ଦେଇଥିଲା । ତେଲିଆ ମୁଣ୍ଡରେ ତେଲ ନ୍ୟାୟକୁ ଆପଣେଇ ନେଇ କିଛି  ଋଣ ଖିଲାପକାରୀଙ୍କ ବନ୍ଧକ ସମ୍ପତ୍ତିକୁ ନିଲାମକରା ଯାଉଥିବାରୁ ପୂର୍ବର ଓ ବର୍ତ୍ତମାନକୁ ମିଶାଇ ଅର୍ଦ୍ଧ ସେଞ୍ଚୁୁରୀରୁ ଅଧିକ ମାମଲା ବିଭିନ୍ନ ଅଦାଲତରେ ଗଡ଼ିବା ଆରମ୍ଭ କଲା । ବ୍ୟାଙ୍କ ମ୍ୟାନେଜର ଅମରେନ୍ଦ୍ର କରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ, ଆର୍ବାନ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କରେ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ରହିଥିବା ଜମା ରାଶି ୭୫ କୋଟିରୁ ଅଧିକ ରହିଛି । ସେହିପରି ବ୍ୟାଙ୍କର ସେୟାର ହୋଲଡ଼ରମାନଙ୍କ ସଂଖ୍ୟା ୨୫୭୩୧,  ୭୨୩୨୪ ଜଣ ଡ଼ିପୋଜିଟରମାନଙ୍କ  ୨୦୧୪ ଅକ୍ଟୋବର ସୁଦ୍ଧା ସୁଧ ଓ ମୂଳ ମିଶି  ୭୧.୫୬ କୋଟି ଓ ୨୯୫୩ ଜଣ ଋଣୀମାନଙ୍କ  ଉପରେ ୨୫.୬୯ କୋଟିରୁ ଅଧିକ ଟଙ୍କା ମୂଳଧନ ଯୁକ୍ତ ସୁଧ ଭାବେ ଅନାଦେୟ ରହିଛି । ବ୍ୟାଙ୍କ ୨୦୧୪ ମାର୍ଚ୍ଚ ୩୧ ମଧ୍ୟରେ ସର୍ବାଧିକ ୧୨.୩୮ କୋଟିରୁ ଅଧିକ କ୍ଷତିରେ ରହିଥିବା ବେଳେ ୨୦୧୭ ମାର୍ଚ୍ଚ ୩୧ ମଧ୍ୟରେ ଏହି କ୍ଷତିକୁ ଭରଣା କରି ୧.୦୫ କୋଟିରୁ ଅଧିକ ଟଙ୍କା ଲାଭରେ ଥିବା ବେଳେ ଜମାକାରୀମାନେ ସେମାନଙ୍କର ଜମାରାଶିରୁ ଫଟା କଉଡ଼ିଟିଏ ଉଠାଇ ପାରିଲେ ନାହିଁ । ଏମାନଙ୍କ ମଧ୍ୟରୁ କେତେକ ଜମାକାରୀ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନପାରି  ସ୍ୱର୍ଗ ପ୍ରାପ୍ତି ହୋଇ ସାରିଥିବା ସମୟରେ କେତେକ ଘରେ ଝିଅ ବାହା ଦେଇ ପାରୁ ନାହାନ୍ତି । ନବ ନିର୍ବାଚିତ ବୋଡର଼୍ ନିର୍ବାଚନ ସମୟରେ ଜମାକାରୀମାନଙ୍କର ଜମାଟଙ୍କା ଫେରସ୍ତ ଦେବାର ବ୍ୟବସ୍ଥା କରାଇବାର ପ୍ରତିଶ୍ରୁତି ଦେଇଥିବାବେଳେ ତାହାକୁ କାର୍ଯ୍ୟରେ ପରିଣତ କରାଇବା ବଦଳରେ ନିଜ ନିଜର ସ୍ୱାର୍ଥ ସାଧନରେ ଲାଗି ପଡ଼ିଥିଲେ ।

୨୦୧୫ ସେପ୍ଟେମ୍ବର ୯ ମଙ୍ଗଳବାର ଭୂବନେଶ୍ୱରଠାରେ ଥିବା ରାଜ୍ୟ ସମବାୟ ବିଭାଗର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟରୁ ବାରିପଦା ଆର୍ବାନ ବ୍ୟାଙ୍କକୁ ଲିକୁ୍ୟଡେ଼ଟ କରାଗଲା ଓ ବ୍ୟାଙ୍କର ଲିକୁ୍ୟଡେ଼ଟର ଭାବରେ ବାରିପଦା ଡ଼ିଆରସିଏସଙ୍କୁ ନିଯୁକ୍ତି ଦିଆଗଲା ବୋଲି ଏକ ଆଦେଶନାମା ଜାରିହେଲା । ଏହି ଆଦେଶନାମାରେ ବ୍ୟାଙ୍କକୁ ଲିକୁ୍ୟଡେ଼ଟ କରାଯିବାର ପ୍ରାୟ ୧୮ିରୁ ଅଧିକ କାରଣ ମଧ୍ୟ ଦର୍ଶାଇ ଯାଇଥିଲା ।  ଏହାପରେ ଆଦେଶନାମାକୁ ଚ୍ୟାଲେଞ୍ଜ କରାଯାଇ ଉଚ୍ଚତମ ନ୍ୟାୟାଳୟରେ ଏକ ମାମଲା ରୁଜୁ କରାଯାଇଥିଲା । ସେହିପରି ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଏକ ମାମଲା ବିଚାରଧୀନ ରହିଥିଲା । ଏହି ସମୟରେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଭାରତୀୟ ରିଜର୍ଭ ବ୍ୟାଙ୍କର ସମସ୍ତ ରିପୋର୍ଟକୁ ତର୍ଜମା ପୂର୍ବକ ବାରିପଦା ଆର୍ବାନ କୋ-ଅପରେଟିଭ ବ୍ୟାଙ୍କର ଆବେଦନକୁ ଗତ ଅପ୍ରେଲ ୨୪ରେ ଖାରଜ କରି ରିଜର୍ଭ ବ୍ୟାଙ୍କର ପୂର୍ବ ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସମବାୟ ବିଭାଗ ନିର୍ବନ୍ଧକୁ ପତ୍ର ଲେଖିବା ପରେ ରାଜ୍ୟ ସମବାୟ ବିଭାଗ ନିର୍ବନ୍ଧକ ବାରିପଦା ଆର୍ବାନ ବ୍ୟାଙ୍କକୁ ସବୁଦିନ ନିମନ୍ତେ ଇତିହାସରେ ପରିଣତ କରାଇବାର ଘୋଷଣା କଲେ । ବ୍ୟାଙ୍କର ଲିକୁ୍ୟଡେ଼ଟର ଭାବେ ଜିଲ୍ଲା ସମୟବାୟ ବିଭାଗର ଉପନିବନ୍ଧକ ପ୍ରଥମେ ଜମାକାରୀମାନଙ୍କର ସଠିକ୍ ତାଲିକା ପ୍ରସ୍ତୁତ କରିବା ପରେ ବ୍ୟାଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରଣାଳୟରେ ଜମା କରାଯାଇଥିବା ବୀମା ରାଶିରୁ ଜମାକାରୀମାନଙ୍କୁ ସର୍ବାଧିକ ଏକ ଲକ୍ଷ ଟଙ୍କା ମଧ୍ୟରେ ଫେରସ୍ତ ମିଳିବ । ପ୍ରକାଶ ଥାଉକି, ବାରିପଦା ଆର୍ବାନ ବ୍ୟାଙ୍କର ପରିଚାଳନା ପରିଷଦ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିବା ପରେ ଜୁଲାଇ ୭, ୨୦୧୮ ପର୍ଯ୍ୟନ୍ତ ଅନ୍ତରିଣ ସ୍ଥଗିତାଦେଶ ଜାରି କରିଥିଲେ । ତେଣୁ ଡ଼ିଆରସିଏସ ଦାୟିତ୍ୱରେ ରହିଥିବା ଏଆରସିଏସ ଦମୟନ୍ତୀ ସିଂ ରେଜିଷ୍ଟରଙ୍କୁ ଏ ବିଷୟରେ ପରାମର୍ଶ ଲୋଡ଼ିଥିଲେ  । 

 

0
0
0
s2sdefault