ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ଉପ ଜିଲ୍ଲାପାଳ ଭାବେ ଯୁବ ଆଇଏଏସ ଅଭିଷେକ ଦିଲ୍ଲୀପ ଦୁଧାଲ ଗୁରୁବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ କାର୍ଯ୍ୟରେ ଯୋଗଦେବା ପରେ ପ୍ରଥମେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହଯୋଗ ରେ ଅଞ୍ଚଳର ବିକାଶ ଉପରେ ଅଧିକ ଧ୍ଯାନ ଦିଆଯିବ ବୋଲି କହିଥିଲେ । ଏହି ଅବସରରେ ଖବରଦାତା ମାନେ ମାନେ ସହରର ଜବରଦଖଲ ସମସ୍ଯା ଠାରୁ ଆରମ୍ଭ କରି ଟ୍ରାଫିକ, ସିସି ଟିଭି ଅଚଳ, ବାଇପାସ୍ ରାସ୍ତା ନିର୍ମାଣ ରେ ମନ୍ଥରତା, ଡାକ୍ତରଖାନାରେ ଡାକ୍ତର ଅଭାବ, ମିନି ଷ୍ଟାଡିୟମ ର ଉନ୍ନତି ତଥା କାମ୍ପଗୁଡା ମୌଜାରେ ହସ୍ତାନ୍ତର ଯୋଗ୍ଯ ନୁହେଁ ପଟ୍ଟାଧାରୀ ମାନଙ୍କୁ ସ୍ଥାୟୀ ପଟ୍ଟା ମିଳିପାରୁ ନଥିବା ପ୍ରସଙ୍ଗ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୨୩ ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀ ତାଲିମ ଗ୍ରହଣ ସାରିବା ପରେ ସେ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି । ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ଅବସରରେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଉପ ବିଭାଗୀୟ ଅଧିକାରୀ ମନରଞ୍ଜନ କାର୍ଜି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ପ୍ରମୁଖ ସ୍ୱାଗତ ଜଣେଇଥିଲେ । ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଏଵଂ ଅନ୍ୟ କର୍ମଚାରୀ ମଧ୍ୟ ସ୍ଵାଗତ ଜଣାଇଥିଲେ l ସନ୍ଧ୍ୟାରେ ଭାଜପା ର ଏକ ପ୍ରତିନିଧି ଦଳ ବରିଷ୍ଠ ନେତା ୱାଇ.ଗଜପତି ଙ୍କ ନେତୃତ୍ୱରେ ମଧ୍ୟ ନୂତନ ଉପଜିଲ୍ଲାପାଳଙ୍କୁ ଭେଟି ସ୍ବାଗତ ଜଣାଇଥିଲେ।