୧୭୪ଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ୧୩ ହଜାର ୫୬୭ ଜଣଙ୍କୁ ରଖାଯାଇ ମାଗଣା ରନ୍ଧାଖାଦ୍ୟ ଯୋଗାଣ
ଆପତ୍ତି କାଳୀନ ଫୋନ ସେବା ନମ୍ବର ୯୪୩୭୬୧୮୭୦୩ ଓ ୯୪୩୭୭୪୭୯୩୦
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମୁଦ୍ରିକ ଝଡ ପେଥାଇର ପ୍ରଭାବରେ ଗଜପତି ଜିଲ୍ଲା ବ୍ୟାପି ହେବାକୁ ଥିବା ସମ୍ଭାବ୍ୟ ଝଡବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀ ଓ ସେମାନଙ୍କ ଜିନିଷ, ଚାଷୀଙ୍କ ଅମଳ ଶସ୍ୟ ସବୁକୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାାପାଳ ଅନୁପମ ସାହା ଅଧିକ ସୂଚନା ଦେଇ କହିଥିଲେଯେ ସାମୁଦ୍ରିକ ଝଡ ପେଥାଇର ପ୍ରଭାବରେ ସାମ୍ଭାବ୍ୟ ଝଡବାତ୍ୟାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ସେମାନଙ୍କ ଅମଳ ଶସ୍ୟ ସବୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ , ପାଲ ଘୋଡେଇ ରଖିବା ପାଇଁ ନଚେତ ସମବାୟ ସମିତି ମଣ୍ଡି ଘରେ ରଖିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି । ସେହିଭଳି ଯେଉଁ ମାନଙ୍କ ଘର ତିତଲି ବାତ୍ୟାରେ ପ୍ରଭାବିତ ହୋଇ ବର୍ତ୍ତମାନ ସୁରକ୍ଷିତ ନୁହେଁ ଏହି ପଥେଇର ସମ୍ଭାବ୍ୟ ଝଡ ବାତ୍ୟାରେ ସେମାନେ ନିକଟସ୍ଥ ସ୍କୁଲ ଓ ଅଙ୍ଗନଵାଡି ଗୃହ ଓ ବାତ୍ୟା ଆଶ୍ରୟ ସ୍ଥଳିକୁ ଚାଲିଯିବାକୁ ଏବଂ ଜିଲ୍ଲାରେ ଆସନ୍ନ ପ୍ରସବ ଥିବା ୮୦ ଜଣ ମା ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଠାବ କରାଯାଇ ସେମାନଙ୍କୁ ଆଶା, ଅଙ୍ଗନଵାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଜିଲ୍ଲାରେ ଥିବା ମା ଗୃହ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରି ରଖିବା ପାଇଁ କୁହାଯିବା ସହ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି କହିଥିଲେ ।
ଅନ୍ୟ ପକ୍ଷରେ ଜିଲ୍ଲାର ୭ଟି ବ୍ଲକାଞ୍ଚଳରେ ୧୭୪ଗୋଟି ଅସ୍ଥାୟୀ ଆଶ୍ରୟ ସ୍ଥଳ ପାଇଁ ବିଦ୍ୟାଳୟ ଗୁଡିକ ଖୋଲାଯାଇ ସେଠାରେ ୧୩ ହଜାର ୫୬୭ଜଣଙ୍କୁ ରଖାଯିବା ସହ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏବଂ ଏଭଳି ପରିସ୍ଥିତିରେ କାର୍ଯ୍ୟରେ ଅବହେଳା କରିଥିବା ଆର.ଉଦୟଗିରି ବି.ଇ.ଓ, ବିଶ୍ୱନାଥ ଭୁୟାଁ, ନୂଆଗଡ ବିଇଓ ବ୍ରଜ କୁମାର ନାୟକ ଏବଂ ଏବିଇଓ ଏନ.ବିମଲ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ରାୟଗଡ ବ୍ଲକ କଇଁପୁର ସ୍ଥିତ ୟୁପି ସ୍କୁଲର ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପେଣ୍ଟେୟା କାରିଗୀ,ଜିତେନ ପାଣି, ନମିତା ଦାସ, ମଞ୍ଜୁରୀ ଶବରା,ଏବଂ ଶୁଭଦ୍ରା ଶବର । ଏମାନେ କାର୍ଯ୍ୟରେ ଅବହେଳା କରି ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଯୋଗୁଁ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ପେଥାୟା ପ୍ରଭାବରେ ବର୍ତ୍ତମାନ ଦିନସାରା ବର୍ଷା ଝିପିଝିପି ଲାଗିଥିବା ବେଳେ ସମ୍ଭାବ୍ୟ ଝଡବାତ୍ୟାକୁ ଦୃଷ୍ଟିରେ ରଖି ଚାଷୀକୁଳ ସେମାନଙ୍କ ଅମଳ ଶସ୍ୟକୁ କିଏ ଧାନବିଲରୁ ବହି ନେଉଛି ତ କିଏ ଧାନ ବିଲରେ କଟାଧାନକୁ ମେସିନ ଯୋଗେ ଧାନ ମଳାଇ ବସ୍ତାରେ ଭରି ଟ୍ରାକ୍ଟର ଯୋଗେ ସୁରକ୍ଷିତ ସ୍ଥାନରେ ରଖିଛନ୍ତି ତ କିଏ ଧାନ ବିଲରେ ପାଲ ଯୋଗେ ଧାନଗଦାକୁ ଘୋଡେଇ ରଖିଛନ୍ତି । ବିଭିନ୍ନ ବିଦ୍ୟାଳୟରେ ଖୋଲାଯାଇଥିବା ଆଶ୍ରୟ ସ୍ଥଳରେ ଲୋକେମାନେ ରହୁଥିବା ସହ ରନ୍ଧାଖାଦ୍ୟ ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଉଅଛି । ଭାଙ୍ଗିଯାଇଥିବା ଘରକୁ ସୁରକ୍ଷିତ ପାଇଁ ପାଲ ଘୋଡାଇ ରଖିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏଥି ସହିତ ଆପତ୍ତି କାଳୀନ ଫୋନ ସେବା ନମ୍ବର ୯୪୩୭୬୧୮୭୦୩ ଓ ୯୪୩୭୭୪୭୯୩୦ ଦୁଇଟି ପ୍ରଦାନ କରିଥିଲେ । ଏହି ନମ୍ବର ଫୋନ କରି ପ୍ରଶାସନ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି କହିଥିଲେ ଜିଲ୍ଲାପାଳ ଅନୁପମ ସାହା l ଏହି ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଡିସିପିୟୁ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।