ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ : ସୁରଟ ଯିବାକୁ ମନା ନାହିଁ, ହେଲେ ଭୋଟ ଲାଳସା ଛାଡି ପ୍ରବାସୀ ଓଡିଆଙ୍କ ସ୍ୱାର୍ଥ ଟିକେ ଦେଖନ୍ତୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ସୁରଟରେ ରହିଥିବା ଲକ୍ଷ୍ୟ ଲକ୍ଷ୍ୟ କର୍ମଜୀବି ଓଡ଼ିଆମାନଙ୍କ ପ୍ରତି ସାମାନ୍ୟତମ ସମ୍ବେଦନଶୀଳତା ଅଛି ତାହାହେଲେ ସୁରଟ ଗସ୍ତରେ ଯିବା ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ନୀତିଗତ ନିଷ୍ପତି ନେବା ସହ ଏହାର ବିଧିବଦ୍ଧ ଘୋଷଣା କରିବାକୁ ମୁ ବିନମ୍ର ଅନୁରୋଧ କରୁଛି"

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରବାସୀ ଓଡିଆ ବିଶେଷ ଭାବରେ ଶ୍ରମଜୀବି ମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ତୁରନ୍ତ ଲାଗୁକରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲା ଗଞ୍ଜାମରୁ ସବୁଠୁ ଅଧିକ ଲୋକ ଶ୍ରମିକ ଭାବେ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଅହଂକାର ଛାଡି ସୁରଟ ସମେତ ଦେଶ ତମାମ କାମ କରୁଥିବା ଶ୍ରମଜୀବି ଓଡିଆଙ୍କ ମାଗଣା ସ୍ୱାସ୍ଥ୍ୟସେବା କଥା ଚିନ୍ତା କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭୋଟ ଲାଳସା ଛାଡନ୍ତୁ, ସୁରଟ ତଥା ପ୍ରବାସୀ ଓଡିଆଙ୍କ ସ୍ୱାର୍ଥ ଦେଖନ୍ତୁ ବୋଲି ସେ କହିଛନ୍ତି ।

ସୋସିଆଲ ମିଡିଆରେ ଶ୍ରୀ ପ୍ରଧାନ ଉଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ୧୯ ବର୍ଷ ଦୀର୍ଘ ଶାସନ କାଳରେ ସୁରଟ ଯିବା ପାଇଁ ସମୟ କାଢିଲେ ନାହିଁ । ସୁରଟକୁ କେବଳ ଭୋଟ ଲାଳସାରେ ନଯାଇ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟ ମଡେ଼ଲକୁ ବୁଝନ୍ତୁ । ରାଜ୍ୟରେ ଯୁବପିଢିଙ୍କ ପାଇଁ ରୋଜଗାର ସୃଷ୍ଟି ପାଇଁ କାହିଁକି ଠୋସ୍ ବ୍ୟବସ୍ଥା ହୋଇପାରିନି ସେଠାରୁ ତାହା ଆକଳନ କରନ୍ତୁ । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସୁରଟ ଗସ୍ତର ଅବ୍ୟବହିତ ପୂର୍ବରୁ ସୁରଟ ସହ ଟ୍ରେନ୍ ତଥା ବିମାନ ଯୋଗାଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପତ୍ର ଲେଖିଛନ୍ତି । ସୁରଟରେ ଥିବା ଓଡ଼ିଆମାନଙ୍କ ପାଇଁ ଯାତାୟତର ସୁବିଧା ତିଆରି କରିବା ପାଇଁ ସେ ଆଗ୍ରହୀ ଥିବା ଏହି ପତ୍ର ମାଧ୍ୟମରେ ବାର୍ତା ଦେବାକୁ ଚାହିଁଛନ୍ତି । ସୁରଟ ଯିବାର ଅବ୍ୟବହିତ ପୂର୍ବରୁ ସୁରତରେ ରହୁଥିବା ଓଡ଼ିଆ ଲୋକମାନଙ୍କ ପାଇଁ ଆନ୍ତରିକତା ନା ଏକ ଲୋକ ଦେଖାଣିଆ ବାର୍ତା ଦେବାକୁ ପ୍ରୟାସ ଏହା ଓଡ଼ିଆ ଲୋକମାନେ ହିଁ ବିଚାର କରିବେ । 

ମାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯଦି ସୁରଟରେ ରହିଥିବା ଲକ୍ଷ୍ୟ ଲକ୍ଷ୍ୟ କର୍ମଜୀବି ଓଡ଼ିଆମାନଙ୍କ ପ୍ରତି ସାମାନ୍ୟତମ ସମ୍ବେଦନଶୀଳତା ଅଛି ତାହାହେଲେ ସୁରଟ ଗସ୍ତରେ ଯିବା ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ନୀତିଗତ ନିଷ୍ପତି ନେବା ସହ ଏହାର ବିଧିବଦ୍ଧ ଘୋଷଣା କରି ଯିବା ପାଇଁଁ ବିନମ୍ର ନିବେଦନ କରୁଛି । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସୁରଟରେ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ପାଖାପାଖି ୧୨ ଲକ୍ଷରୁ ଅଧିକ ଲୋକ ନିଜର ଜୀବନ ଜୀବିକା ପାଇଁ ବସବାସ କରୁଛନ୍ତି । ଯଦି ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବ, ତାହାହେଲେ ସୁରଟ ସମେତ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୁର ଆଦି ବାହାର ରାଜ୍ୟରେ ଥିବା ଓଡ଼ିଆ ଲୋକମାନଙ୍କର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜଟିଳ ରୋଗର ମାଗଣାରେ ଚିକିତ୍ସା କରାଯାଇପାରିବ । 

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ପୂର୍ବରୁ ବିନମ୍ର ଅନୁରୋଧ ନିଜର କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ସୁରଟ ସମେତ ବାହାର ରାଜ୍ୟରେ କାମ କରୁଥିବା ସାଧାରଣ ଓଡ଼ିଆ ଲୋକଙ୍କ ପ୍ରତି ନିର୍ଦ୍ଧୟ ନହୁଅନ୍ତୁ ଓ ସେମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରନ୍ତୁ । 

ଓଡ଼ିଶା ଓ ଗଞ୍ଜାମ ଜିଲ୍ଲାରେ ଅପାର ଅର୍ଥନୈତିକ ସମ୍ଭାବନା ସହ ଦେଶର ସବୁଠୁ ପରିଶ୍ରମୀ ମାନବ ସମ୍ବଳ ରହିଛି । ସେଥି ପାଇଁ ଓଡ଼ିଆ ଲୋକମାନେ ସାରା ଦେଶରେ ନିଜର ପରିଶ୍ରମ ମାଧ୍ୟମରେ ସେହି ରାଜ୍ୟଗୁଡ଼ିକର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । 

ରାଜ୍ୟରେ ୧୯ ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସରକାର ପ୍ରବଳ ଜନ ଆର୍ଶିବାଦ ସହ ସରକାର ଚଲାଉଛି ବୋଲି ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ବାରମ୍ବାର ଦମ୍ଭ ପ୍ରକାଶ କରୁଛି । ସୁରଟ ସମେତ ବାହାର ରାଜ୍ୟରେ ଜୀବନ ଜୀବିକା ପାଇଁ ଓଡ଼ିଶା ଛାଡ଼ୁଥିବା ଏହି ଲୋକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ପାଇଁ କାହିଁକି ରାଜ୍ୟସରକାର ବିଫଳ ହୋଇଛି ଏହା ସାଧାରଣ ଓଡ଼ିଆ ଆଜି ଜବାବ ମାଗୁଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପୋଷ୍ଟରେ ଉଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଓଡ଼ିଆ ଯୁବପିଢି ପାଇଁ ପେଟ୍ରୋକେମିକାଲ୍ ଶିଳ୍ପର ପେଣ୍ଠସ୍ଥଳୀ ଆମ ରାଜ୍ୟକୁ କରିବା ପାଇଁ  ଉଦ୍ୟମରେ ମୁଖ୍ୟମନ୍ତ୍ରୀ କାହିଁକି ସହଯୋଗୀ ହେଉନାହାଁନ୍ତି? ସୁରଟ ଗସ୍ତ କାଳରେ ଗୁଜରାଟରେ ମୋଦି ସୃଷ୍ଟି କରିଥିବା ଅର୍ଥନୈତିକ ବିକାଶର ଇକୋ ସିଷ୍ଟମକୁ ଦେଖିବେ ଓ ବୁଝିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ବ୍ୟବସାୟିକ ବାତାବରଣ ଯେତେ ଭଲ ହେବ ଲୋକମାନଙ୍କ ପାଇଁ ରୋଜଗାର ସୁଯୋଗ ସେତେ ବଢିବ । ମୋଦିଙ୍କର ଏହି ଦୂର ଦୃଷ୍ଟି ସମ୍ପନ୍ନ ଜନହିତକର ବ୍ୟବସ୍ଥାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେଠାରେ ଅନୁଭବ କରନ୍ତୁ ବୋଲି ସେ କହିଛନ୍ତି । 

ମାନ୍ୟବର ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଶାସନ କାଳରେ ଓଡ଼ିଶା ବିଶେଷ ଭାବରେ ନିଜର ଗୃହ ଜିଲ୍ଲା ଗଞ୍ଜାମରେ ରୋଜଗାର ପାଇଁ ବିଶେଷ କିଛି କରିପାରିନାହାଁନ୍ତି । ଓଡ଼ିଶା ଛାଡ଼ି ରୋଜଗାର ପାଇଁ ସୁରଟ ଚାଲିଯାଇଥିବା ଓଡ଼ିଆ ଯୁବପିଢିର ଏହି ମନର ବ୍ୟାଥାକୁ ମୁଖ୍ୟମନ୍ତ୍ରୀ ବୁଝିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

 

0
0
0
s2sdefault