ବାରିପଦା(ଦିଲ୍ଲୀପ ମହାନ୍ତି )- ସୂଚନା ଅଧିକାର ଆଇନ-୨୦୦୫କୁ ଫୁ .. ମାରୁଛନ୍ତି ବାରିପଦା ବାରିପଦା ପୌରପରିଷଦର ଜନ ସୂଚନା ଅଧିକାରୀ । ୨୦୧୬ -୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ପୌରପରିଷଦ ପକ୍ଷରୁ ୱାର୍ଡ ନଂ ୧୧ରେ ହୋଇଥିବା ନିର୍ମାଣ କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ସମ୍ପୃକ୍ତ ୱାର୍ଡ ନହରପଦା ଅଧିବାସୀ ସମର ରଞ୍ଜନ ଦାସ ସୂଚନା ଅଧିକାର ଆଇନ-୨୦୦୫ ବଳରେ ବାରିପଦା ପୌରପରିଷଦର ଲୋକ ସୂଚନା ଅଧିକାରୀଙ୍କ ନିକଟରେ ନିର୍ଦ୍ଧାରିତ ଫର୍ମରେ ଆବଶ୍ୟକୀୟ ଦେୟ୧୦ ଟଙ୍କା ପୈଠ କରି ଗତ ଅକ୍ଟୋବର ୨୩ରେ ବ୍ୟକ୍ତିଗତ ଭାବେ ଆବେଦନ କରିଥିଲେ । ସୂଚନା ଅଧିକାର ଆଇନ ଧାରା-୭(ସ) ଆଧାରରେ ଦରଖାସ୍ତ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ଲୋକ ସୂଚନା ଅଧିକାରୀ ସୂଚନା ପ୍ରଦାନ ନିମନ୍ତେ ବାଧ୍ୟ ଦର୍ଶାଯାଇଥିବା ବେଳେ ବାରିପଦା ପୌରପରିଷଦର ଲୋକ ସୂଚନା ଅଧିକାରୀ ଆବେଦନକାରୀ ଶ୍ରୀଦାସଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସୂଚନା ପ୍ରଦାନ କରିବା କ୍ଷେତ୍ରରେ ବିଫଳ ହୋଇଛନ୍ତି । ଫଳରେ ଆବେଦନକାରୀଙ୍କୁ ଡ଼ିସେମ୍ବର ୧୫ ଶନିବାର କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ୨୦ ଟଙ୍କାର କୋର୍ଟ ଫି ସହିତ ନିର୍ଦ୍ଧାରିତ ଫର୍ମ-ଘରେ ଅପିଲ କରିବାକୁ ପଡ଼ିଛି । ଆବେଦନକାରୀ ଶ୍ରୀଦାସଙ୍କ କହିବା ଅନୁସାରେ , ପୌରପରିଷଦ କର୍ତ୍ତୃପକ୍ଷ ସୂଚନା ଅଧିକାର ଧାରା ୪(୧)(ଖ) ଅନୁସାରେ ଅନେକ ବିଷୟରେ ମୌଳିକ ତଥ୍ୟ ଜନ ସାଧାରଣଙ୍କ ଅବଗତି ନିମନ୍ତେ ସ୍ୱେଚ୍ଛାକୃତ ଭାବେ ପ୍ରକାଶ କରିବା ନିମନ୍ତେ ଦର୍ଶାଯାଇଛି । ସେହିପରି ସୂଚନା ଅଧିକାର ଆଇନ-୨୦୦୫ ପରିସର ମଧ୍ୟରେ ଆସୁଥିବା ସମସ୍ତ ତଥ୍ୟ ଜାଣିବାର ଅଧିକାର ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଦିଆଯାଇଛି ; ତେଣୁ ସୂଚନା ଚାହୁଁଥିବା ଯେକୌଣସି ଭାରତୀୟ ନାଗରିକଙ୍କୁ ସୂଚନା ଯୋଗାଇଦେବା ପାଇଁ ଲୋକ ସୂଚନା ଅଧିକାରୀ ଆଇନତଃ ବାଧ୍ୟ । ମାତ୍ର ପୌରପରିଷଦର ଲୋକ ସୂଚନା ଅଧିକାରୀ ସୂଚନା ଅଧିକାର ଆଇନକୁ ପାଳନ ଅଥବା କାର୍ଯ୍ୟକାରୀ ନକରାଇ ମେରୀ ରାୟ ନୀତିକୁ ଆପଣେଇ ନେବା ଫଳରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଆବେଦନକାରୀ ଶ୍ରୀଦାସଙ୍କ ଅଭିଯୋଗ ଉପରେ ପୌରନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ଏମଇ ଗୌରହରି ସାହୁଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ସେଲ ନଂ-୮୮୯୫୩୪୧୪୦୧ରେ ବାରମ୍ବାର ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ଅପରପକ୍ଷରୁ ଉପଭୋକ୍ତାଙ୍କ ମୋବାଇଲ ସୁଇଚ ଅଫ ରହିଛି ବୋଲି ଶୁଣିବାକୁ ମିଳିଥିଲା ।
ରାଜ୍ୟ
ସୂଚନା ଅଧିକାର ଆଇନକୁ ଫୁ.. .. ..ତଥ୍ୟ ଦେବା ପାଇଁ ପୌରପରିଷଦ ନାରାଜ
- Hits: 488