ଚାଷୀଙ୍କ ଧାନବିକ୍ରି ଟଙ୍କା ତୁରନ୍ତ ପୈଠ ଏବଂ ଧାନକିଣା ଦୁର୍ନୀତି ବିରୁଦ୍ଧରେ ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ଅହୋରାତ୍ର ଧାରଣା
ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିଠାରେ ଅହୋରାତ୍ର ଧାରଣା ଦିଆଯାଇଛି । ଏହି ଧାରଣା ୭ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲ୍ଲା ଚାଷୀମାନଙ୍କର ଧାନକିଣାରେ ଦୁର୍ନୀତି ଏବଂ ଚାଷୀଙ୍କ ଠାରୁ ଧାନ କିଣି ସରକାର ଏପର୍ଯ୍ୟନ୍ତ ଟଙ୍କା ପଇଠ ନ କରିବା ପ୍ରସଙ୍ଗରେ ଏହି ଧାରଣା ଦିଆଯାଇଛି । ନବରଙ୍ଗପୁର ବିଶେଷକରି ରାଇଘର ବ୍ଲକର ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଚାଷୀ ଏହି ଧାରଣାରେ ଅଂଶଗ୍ରହଣ କରିଛନ୍ତି ।
ନବରଙ୍ଗପୁରର ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଏହି ଧାରଣାରେ ଅଂଶଗ୍ରହଣ କରି କହିଲେ ଯେ, ବିଜେପି ସରକାର ଧାନକିଣା ଦୁର୍ନୀତିରେ ବୁଡ଼ି ରହିଛନ୍ତି ଏବଂଚାଷୀଙ୍କର ରକ୍ତ ଶୋଷଣ କରୁଛନ୍ତି । ରାଇଘର ବ୍ଲକର ୩୪୪ଜଣ ଚାଷୀଙ୍କର ୧୪୨୫୨.୫୨ କୁଇଣ୍ଟାଲ ଧାନ ମଣ୍ଡିରୁ କିଣି ତାହାର ଦେୟ ୪ କୋଟି ୪୧ ଲକ୍ଷ ୮୨ ହଜାର ୬୮୬ ଟଙ୍କା ୪ ମାସ ହେବ ସରକାର ଚାଷୀଙ୍କୁ ଦେଉନାହାଁନ୍ତି । ନିୟମ ଅଛି ଯେ, ମଣ୍ଡିରୁ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାର ଧାନ ବିକା ଟଙ୍କା ଦିଆଯିବା କଥା । କିନ୍ତୁ ସରକାର କଣ ପାଇଁ ରାଇଘର ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ସେ ନେଇ ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ରାଇଘର •ଷୀଙ୍କ ଟଙ୍କା ହଡ଼ପ ହୋଇଯାଇନି ତ? ଚାଷୀମାନେ ଧାର କରଜ ସୁଧ ଟଙ୍କା ଲଗାଇ ଚାଷ କରିଥିଲେ ଏବଂ ମାସକୁ ମାସ ସୁଧ ଗଣୁଛନ୍ତି । ହେଲେ ଚାଷୀଙ୍କର ଧାନବିକା ଟଙ୍କା ସରକାରଙ୍କ ପାଖରେ ପଡ଼ିରହିଛି । ଯାହାଫଳରେ •ଷୀମାନେ ସୁଧ ଟଙ୍କା ପରିଶୋଧ କରିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଚାଷୀ କିପରି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ସୁତରାଂ ମୋହନ ଚରଣ ମାଝୀ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଆଦିବାସୀ ଚାଷୀଙ୍କୁ ହଇରାଣ ହରକତ କରିବା ସହ ଶୋଷଣ କରୁଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଧାନବିକ୍ରି ଟଙ୍କା ତୁରନ୍ତ ସୁଧ ସହ ଫେରାଇବା ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି ।
ଏହି ଧାରଣାରେ ୪ଗୋଟି ଦାବି ଉପସ୍ଥାପନ କରାଯାଇଛି । ଅନ୍ୟ ତିନିଗୋଟି ପ୍ରସଙ୍ଗ ହେଲା ସରକାର ଦାବି କରୁଛନ୍ତି ନବରଙ୍ଗପୁର ଜିଲ୍ଲାରୁ ୨୬ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଛି । ମାତ୍ର ୨୬ ଲକ୍ଷ କୁଇଣ୍ଟାଲ ଧାନ ରଖିବା ପାଇଁ ନବରଙ୍ଗପୁର ଜିଲ୍ଲାରେ ଗୋଦାମର ବ୍ୟବସ୍ଥା ନାହିଁ । ତେଣୁ ନିଶ୍ଚିତ ଭାବରେ ଜାଲ କାଗଜପତ୍ର ଜରିଆରେ ପଞ୍ଜିକୃତ କରାଯାଇଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଏଥିରେ ପ୍ରାୟ ୭ ଲକ୍ଷ କୁଇଣ୍ଟାଲ ଧାନ ଜାଲ୍ କାଗଜପତ୍ର ଜରିଆରେ ମିଥ୍ୟା ହିସାବ ଦେଖାଇଛନ୍ତି । ମିଲର-ଲ୍ୟମ୍ପ୍ସ-ସରକାରଙ୍କ ମଧୁଚନ୍ଦ୍ରିକାରେ ଏପରି ହୋଇଛି ଏବଂ ଚାଷୀଙ୍କୁ ଠକିବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା । ତୁରନ୍ତ ଏହି ଘଟଣାର ସରଜମିନ ତଦନ୍ତ କରିବା ପାଇଁ ଚାଷୀ ମହସଂଘ ଦାବି କରିଛି ।
ତୃତୀୟରେ ଏହି ଧାନକିଣା ବ୍ୟବସ୍ଥାରେ ଜିଲ୍ଲାର ସରକାରୀ ପଦାଧିକାରୀ ଯଥା ସିଏସ୍ଓ, ଏସ୍ସିଏସ୍ଓ, ମାର୍କେଟ ଇନିସ୍ପେକ୍ଟର ଏବଂ ଧାନ ଅମଳ କମିଟିର ଅଧ୍ୟକ୍ଷ ନିଜେ ଜିଲ୍ଲାପାଳ ଥାଆନ୍ତି । ତେଣୁ ଏହି ସମସ୍ତ ଦୁର୍ନୀତି ଏହି କମିଟି ଦ୍ୱାରା ହୋଇଛି । ତେଣୁ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି । କୋଅପରେଟିଭି ସଂସ୍ଥା ସୂଚନା ଅଧିକାର ଆଇନର ଅନ୍ତର୍ଭୁକ୍ତ ନୁହେଁ । ତେଣୁ ଏଥିରେ ହେଉଥିବା ଦୁର୍ନୀତିକୁ ସହଜରେ ଜାଣିବାର ସୁଯୋଗ ନାହିଁ । ସୁତରାଂ ତୁରନ୍ତ ଏହାକୁ ସୂଚନା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଚାଷୀ ମହାସଂଘ ଦାବି କରିଛି । ଏହି ଧାରଣାରେ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ରବି ନନ୍ଦ, ପୂର୍ବତନ ବିଧାୟକ ରଘୁରାମ ପୋଡ଼ାଲ, ପ୍ରୀତମ ପାଢୀ, ପ୍ରଭୁ ଜାନି, କେସିସି ବ୍ୟାଙ୍କ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ଝଙ୍କାର ଓ ଜିଲ୍ଲା ପରିଷଦ ସଦସ୍ୟ ଯତୀନ୍ଦ୍ର ଗଣ୍ଡ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଚାଷୀମାନଙ୍କୁ ହେଉଥିବା ଶୋଷଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।