ସୁନା ହେବ ସୁବର୍ଣ୍ଣପୁର ଜିଲ୍ଲା- ମୁଖ୍ୟମନ୍ତ୍ରୀ
ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି ଏବଂ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହିସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଡ଼କ ନିର୍ମାଣ, ଜଳସେଚନ, ସେତୁନିର୍ମାଣ, ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ, ମେଗା ଲିଫ୍ଟ ପ୍ରୋଜେକ୍ଟ ଏବଂ ହଷ୍ଟେଲ ଇତ୍ୟାଦି ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଉପରେ ଗୋଧନେଶ୍ୱର ଓ ଖଇରମାଳ (ବୀରମହାରାଜପୁର ବ୍ଲକ) ସହିତ ଉଲୁଣ୍ଡାର ହରିହର ଜୋର ଏବଂ ବୀରମହାରାଜପୁରର ସୁରୁବାଲି ଠାରେ ୪ଟି ନଦୀଗର୍ଭ ଜଳାଶୟ (ISS) ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଉପସ୍ଥିତ ସୁବର୍ଣ୍ଣପୁରବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ଅଞ୍ଚଳ ପୁରାତନ କାଳରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲା ହେଉଛି ପ୍ରାଚୀନ ଐତିହ୍ୟ, ଧାର୍ମିକ ଭାବନା, ଆଧ୍ୟାତ୍ମିକ ଚିନ୍ତାଧାରା ଓ ଲୋକସଂସ୍କୃତିର ଗୌରବମୟ ପ୍ରତୀକ । ସନ୍ଥକବି ଭୀମଭୋଇଙ୍କର ଶିକ୍ଷା, ଦୀକ୍ଷା ତଥା ସାଧନାର କ୍ଷେତ୍ର । ସାହିତ୍ୟ, ଇତିହାସ ଓ କଳା କ୍ଷେତ୍ରରେ ରାଜ୍ୟରେ ଏ ମାଟିର ପ୍ରସିଦ୍ଧି ରହିଛି । ଜିଲ୍ଲାର ଆକର୍ଷଣୀୟ ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ଓଡ଼ିଶାକୁ ଗୌରବାନ୍ୱିତ କରିଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମ ସରକାର ଯାହା କଥା ଦିଅନ୍ତି, ତାହା କରିକି ଦେଖାନ୍ତି । ଆମେ ପ୍ରତିଶ୍ରୃତି ଦେଇଥିବା ୨୧ ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ ଟି କାର୍ଯ୍ୟକାରୀ କରିଛୁ। ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ କ୍ୟାବିନେଟ ନିଷ୍ପତ୍ତି ନେଇ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ । ଚାଷୀମାନଙ୍କୁ ଅସମୟରେ ସାହାଯ୍ୟ କରିବା ପାଇଁ ଅଦିନିଆ ବର୍ଷା କ୍ଷୟ କ୍ଷତିକୁ ଇତିହାସ ସୃଷ୍ଟି କରି ରିଲିଫ୍ କୋଡରେ ଅନ୍ତର୍ଭୁକ୍ତ କରିଛୁ । ଆଜି ବିକାଶ ପଥରେ ଓଡ଼ିଶା ଅଗ୍ରସର ହେଉଛି ।
ସେ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାକୁ ସୁନାରେ ପରିଣତ କରାଯିବ । ଆପଣମାନେ ପ୍ରସ୍ତାବ ଦିଅନ୍ତୁ ମୁଁ ସମସ୍ତ ସହଯୋଗ ଦେବି । ଜିଲ୍ଲାର ବିକାଶ ପାଇଁ କୌଣସି ପ୍ରତିବନ୍ଧକ ରହିବନାହିଁ । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକୁ ଆପଣମାନଙ୍କ କାମରେ ଲଗାଯିବ । ସୁବର୍ଣ୍ଣପୁରକୁ ଓଡ଼ିଶାର ଏକ ନମ୍ୱର ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ବଣ୍ଟନ କରିଥିଲେ । ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ କହିଥିଲେ ଯେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ବିକାଶର ନୂଆ ପର୍ବ ଆରମ୍ଭ ହୋଇଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ପଛୁଆ ଅଞ୍ଚଳଗୁଡ଼ିକୁ ଆଗକୁ ଆଣିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ ରାଜପଥ ଓ ରେଳପଥର ବିକାଶ ପାଇଁ ସମସ୍ତ ସହଯୋଗ ପ୍ରଦାନ କରାଯାଇଛି । ରାଜ୍ୟର ପ୍ରଗତି ଓ ବିକାଶ ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କଣ୍ଟାମାଳ ବିଧାୟକ ଶ୍ରୀ କହ୍ନେଇ ଡାଙ୍ଗ, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲାପାଳ ଅନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।