ସରକାର ଓ ଜିଲ୍ଲାବାସୀଙ୍କ ମିଳିତ ସହଯୋଗରେ ହେବ ଜିଲ୍ଲାର ବିକାଶ।
କେନ୍ଦୁଝର,ତା୨୬/୪- କେନ୍ଦୁଝର ସିଟିଜେନ ଫୋରମର ବାର୍ଷିକ ପଞ୍ଜିକରଣ ଦିବସ ସ୍ଥାନୀୟ ରୋଟାରୀ କ୍ଲବ ସଭାଗୃହରେ ପାଳିତ ହୋଇଛି। ଫୋରମର ଉପସଭାପତି ତଥା ବରିଷ୍ଠ ଅଧିବକ୍ତା ଦୟାନିଧି ମାହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧିବକ୍ତା ତଥା ଫୋରମର ବରିଷ୍ଠ ସଦସ୍ୟ ଅଶ୍ୱିନୀ କୁମାର ପଟ୍ଟନାୟକ, ସମ୍ପାଦକ ସତ୍ୟ ରଞ୍ଜନ ସାମଲ ଓ ବରିଷ୍ଠ ଗାନ୍ଧିବାଦୀ କର୍ମୀ ତଥା ଆବାହକ ଭକ୍ତବତ୍ସଳ ମହାନ୍ତି ମଞ୍ଚାସୀନ ରହିଥିଲେ। କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଵଳନ କରିବା ପରେ ସଭା ଆରମ୍ଭ କର ଯାଇଥିଲା। ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବା ପରେ ବିଗତ ଦିନରେ କେନ୍ଦୁଝର ସିଟିଜେନ ଫୋରମର ଦିବଙ୍ଗତ ସଦସ୍ୟ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା। ପରେ କେନ୍ଦୁଝର ସିଟିଜେନ ଫୋରମର ସମ୍ପାଦକ ଶ୍ରୀ ସତ୍ୟ ରଞ୍ଜନ ସାମଲ ଫୋରମର ବାର୍ଷିକ ବିବରଣୀ ପାଠ କରିବା ସହିତ ଏହାର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। କେନ୍ଦୁଝର ସିଟିଜେନ ଫୋରମର ପ୍ରଚେଷ୍ଟାରେ ଓଏସଏମଇ, ଡିଗ୍ରୀ ଇଂଜିନିୟରିଂ କଲେଜ, ଟେଲିଫୋନ ଜିଲ୍ଲା, ଜାତୀୟ ରାଜପଥ ପ୍ରଶସ୍ତିକରଣ ଆଦି କାର୍ଯ୍ୟ ସଫଳତା ଲାଭ କରିଥିଲା। ୨୦୦୩ ମସିହା ଏପ୍ରିଲ ମାସର ୨୬ ତାରିଖରେ ଏହି ଫୋରମ ବିଧିବଦ୍ଧ ଭାବେ ପଞ୍ଜିକୃତ ହୋଇଥିଲେ ମଧ୍ୟ ଏହାର ଯଥେଷ୍ଟ ପୂର୍ବରୁ କେନ୍ଦୁଝରର ବିକାଶ ପାଇଁ କାର୍ଯ୍ୟ କରିଥିଲା। କେନ୍ଦୁଝରରେ କେନ୍ଦ୍ରୀୟ ବିଦ୍ୟାଳୟ,କାନପୁର ବୃହତ ଜଳସେଚନ ପ୍ରକଳ୍ପ, ରେଳ ପ୍ରକଳ୍ପ, ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ,ଏନସିସି, କର୍ମଚାରୀ ଭବିଷ୍ୟନିଧି କାର୍ଯ୍ୟାଳୟ, ପ୍ରଭୃତି କେନ୍ଦୁଝର ସିଟିଜେନ ଫୋରମର ପ୍ରଚେଷ୍ଟାରେ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଫୋରମର ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜାନୁଆରୀ ୨୨ ତାରିଖରେ ଭେଟି ଏକ ନଅ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରି ଆଲୋଚନା କରିଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟ, ବିଲାତି ଓଡ଼ିଶାର ପୁନରୁଦ୍ଧାର , କେନ୍ଦୁଝର ସହରାଞ୍ଚଳ ମାଷ୍ଟରପ୍ଲାନ, ଭୀମକୁଣ୍ଡ ଠାରେ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ, ଧରଣୀଧର ମେଡିକାଲ କଲେଜକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପଟ୍ଟନାୟକ କେନ୍ଦୁଝରର ସର୍ବାଙ୍ଗୀନ ବିକାଶରେ କେନ୍ଦୁଝର ସିଟିଜେନ ଫୋରମର ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ଜିଲ୍ଲାର ସବୁ ଅଞ୍ଚଳର ବିକାଶରେ ନାଗରିକଙ୍କ ଯୋଗଦାନ ବିଷୟରେ କହିଥିଲେ। ଆମ ମାଟିର ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଯୋଗୁ ଏହି ସମୟ କେନ୍ଦୁଝର ପାଇଁ ସୁବର୍ଣ୍ଣ ସୁଯୋଗ ତେଣୁ ଏହି ସୁଯୋଗର ଲାଭ ଉଠାଇବା ପାଇଁ କେନ୍ଦୁଝର ସିଟିଜେନ ଫୋରମକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ କେନ୍ଦୁଝରର ବିକାଶ ପାଇଁ କେନ୍ଦୁଝରିଆଙ୍କ ବିଭିନ୍ନ ସଂଗ୍ରାମର ଇତିହାସ ବିଷୟରେ ଉପସ୍ଥିତ ବୁଦ୍ଧିଜୀବିଙ୍କୁ ଅବଗତ କରିଥିଲେ। କେନ୍ଦୁଝରର ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ୱଚ୍ଛଳତା ପାଇଁ ସରକାରଙ୍କ ପଦକ୍ଷେପକୁ ସେ ପ୍ରସଂଶା କରିବା ସହିତ ଜନସାଧାରଣ ଏଥିରେ ସହଯୋଗ କରିବା ତଥା ଏହି ସମୟର ଲାଭ ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବରିଷ୍ଠ ଗାନ୍ଧିବାଦୀ କର୍ମୀ ତଥା କେନ୍ଦୁଝର ସିଟିଜେନ ଫୋରମର ସଦସ୍ୟ ଭକ୍ତବତ୍ସଳ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଜିଲାର ଚାରିଟି ପୋୖରାଞ୍ଚଳ ଓ ପ୍ରତ୍ୟେକ ଗ୍ରାମରୁ ଜିଲା ପର୍ଯ୍ୟନ୍ତର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦୁଝର ସିଟିଜେନ ଫୋରମର ଭିଜନ ପେପର ବିଷୟରେ କହିଥିଲେ। ବରିଷ୍ଠ ଅଭିବକ୍ତା ଶ୍ରୀ ଦୟାନିଧି ମହାନ୍ତ ନିଜର ସଭାପତି ଅଭିଭାଷଣ ପ୍ରଦାନ ଅବସରରେ ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଡିଡି ସ୍ବୟଂଶାସିତ ମହାବିଦ୍ୟାଳୟକୁ ଅଲଗା କରିବା ବିଷୟରେ ମତ ଦେଇଥିଲେ। କେନ୍ଦୁଝରର ବିକାଶରେ ସମସ୍ତ କେନ୍ଦୁଝରବାସୀ ଏକ ହୋଇ କାର୍ଯ୍ୟ କରିବା ପାଇଁ କହିଥିଲେ। କେନ୍ଦୁଝର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ବୁଦ୍ଧିଜୀବି ଡକ୍ଟର କ୍ଷୀରୋଦ ଚନ୍ଦ୍ର ମିଶ୍ର, ବଳଭଦ୍ର ମହାନ୍ତ ପ୍ରମୁଖ ସଭାରେ ନିଜର ଗଠନମୂଳକ ମତାମତ ପ୍ରଦାନ କରିଥିଲେ। ଫୋରମର କୋର କମିଟି ସଦସ୍ୟ ତଥା ବରିଷ୍ଠ ଅଧିବକ୍ତା ଅମୂଲ୍ୟ କୁମାର ସାମଲ କେନ୍ଦୁଝର ସିଟିଜେନ ଫୋରମର ବଳିଷ୍ଠ ସହଯୋଗ ଓ ଯୋଗଦାନ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, କେନ୍ଦୁଝରର ମାନ୍ୟବର ସାଂସଦ ଅନନ୍ତ ନାୟକ, ମଞ୍ଚାସୀନ ଅତିଥି ଓ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଦିଲୀପ କୁମାର ସାହୁ, ଉପଦେଷ୍ଟା ହରମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟଜିତ ସାମନ୍ତରାୟ ଓ ଅଜୟ କୁମାର ବେଜ, ନାଗରିକ ମାନଙ୍କ ପକ୍ଷରୁ ସୁଧୀର କୁମାର ନନ୍ଦ, ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର, ବିଜୟ ମିଶ୍ର, ସିଦ୍ଧେଶ୍ୱର ସାହୁ, ଜୁବୁଲି ମିଶ୍ର, ସୁଢ଼ଳ କୁମାର ସେଠୀ ପ୍ରମୁଖ ଯୋଗଦେଇ ଥିଲେ।