ହେଡଲାଇନସ୍:

ପ୍ରଭୁଙ୍କ ରାଜ୍ୟାଭିଷେକ ବେଶର ଦିବ୍ୟ ଦର୍ଶନ ଲଭିଲେ ଶ୍ରଦ୍ଧାଳୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ଅନ୍ତିମ ସନ୍ଧ୍ୟା


ଓଡଗାଁ, ୧୬।୪(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡଗାଁ ସ୍ବର୍ଣ୍ଣ କଳସ କ୍ଷେତ୍ର ଭାବେ ବିଦିତ ବିଜେ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ବୁଧବାର ଅନ୍ତିମ ସନ୍ଧ୍ୟାରେ ପ୍ରଭୁଙ୍କର ରାଜ୍ୟାଭିଷେକ ବେଶ ଦର୍ଶନ କରି ମନରେ ପ୍ରଶାନ୍ତି ଭାବ ଜାଗ୍ରତ ହୋଇଥିଲା । ଓଡଗାଁରେ ଅଯୋଧ୍ୟା ନଗରୀର ଭ୍ରମ ସୃଷ୍ଟି ହୋଇଥିଲା । ନବଦିନ ଯାତ୍ରାରେ ଶ୍ରୀରାମଙ୍କ ଜନ୍ମ ଠାରୁ ସୀତା ବିବାହ ଏବଂ ବନବାସ ଠାରୁ ସିଂଘାସନ ଆରୋହଣ ଘଟଣା କ୍ରମ ସହିତ ଦର୍ଶନାର୍ଥିଙ୍କ ଭାବା ବେଗ ଯୋଡିହୋଇ ରହିଥିଲା । ପ୍ରଭୁଙ୍କର ୧୪ ବର୍ଷର ବନବାସ ଶ୍ରଦ୍ଧାଳୁଙ୍କ ମନକୁ ଯେତିକି ବ୍ୟଥିତ କରିଥିଲା, ଆଜିର ରାଜ୍ୟାଭିଷେକ ତାହା ଠାରୁ ସତ ଗୁଣ ଆନନ୍ଦ ଭରିଦେଇଥିଲା । ରତ୍ନ ବେଦିରେ ଶାନ୍ତ କାନ୍ତ ନବ ଦୁର୍ବାଦଳ ରୂପକାନ୍ତି ପ୍ରଭୁ ଶ୍ରୀରାମଙ୍କ ସହିତ ଜଗତ୍ ଜନନୀ ମା’ ସୀତା ଅବସ୍ଥାନ କରିଥିବା ବେଳେ ପଶ୍ଚାତ ଭାଗରେ ଲକ୍ଷ୍ମଣ ଛତ୍ର ଧରି ଦଣ୍ଡାୟମାନ ରହିଥିଲେ । ଭରତ ଶତୃଘ୍ନ ଆଲଟ ଚାମର ପକାଉଥିବା ବେଳେ ଭକ୍ତ ହନୁମାନ ଶ୍ରୀରାମଙ୍କ ପାଦ ପଦ୍ମରେ ଆଣ୍ଠୁମାଡି ଜୋଡହସ୍ତରେ ପ୍ରଣାମ କରୁଥିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଏବଂ ବିଭିଷଣ, ସୁଗ୍ରୀବ, ନଳ, ନିଳ, ଅଙ୍ଗଦ, ସୁଷେଣ, ଜାମ୍ବବାନ, ସମେତ ଇନ୍ଦ୍ର, ବ୍ରହ୍ମା, ଶିବ ଓ କୁଳଗୁରୁ ବଶିଷ୍ଟଙ୍କ ଉପସ୍ଥିତିର ଦୃଶ୍ୟ ଅଯୋଧ୍ୟାର ରାଜ ସିଂଘାସନ ପରି ପ୍ରତୀୟମାନ ହେଉଥିଲା । ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର, ପାପ ଉପରେ ପୁଣ୍ୟର ବିଜୟ ଉତ୍ସବ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀଙ୍କ ସହିତ ଆଜିର ପାଳିଆ ପଣ୍ଡା ଶ୍ରୀଧର ଦାଶ, ପୁଜକ ପରିଷଦ ଓ ସୁଆର ସେବକ ପରିଷଦର ସମସ୍ତ କର୍ମକର୍ତା ଓ ସମସ୍ତ ବେଶକାରୀ ପୂଜାପଣ୍ଡା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ତତ୍ବାବଧାନରେ ଶୃଙ୍ଖଳାର ସହିତ ଠାକୁରଙ୍କ ନିତୀ ସମ୍ପର୍ଣ୍ଣ ହୋଇଥିଲା । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଓଡଗାଁ ଆଇଆଇସି ଅଭୟ ବେହେରାଙ୍କ ତତ୍ୱାବଧାନରେ ପୋଲିସ ପ୍ରଶାସନ ଦାୟିତ୍ୱକୁ ସୁଚାରୁ ରୂପେ ପ୍ରତିପାଦନ କରିଥିଲେ । ଫଳରେ ଯାତ୍ରିମାନେ ନିର୍ଭୟ ସହକାରେ ଯାତ୍ରାକୁ ଉପଭୋଗ କରିଥିଲେ । କାଳବୈଶାଖୀ ବର୍ଷାକୁ ଭୃକ୍ଷେପ ନକରି ଯାତ୍ରାରେ ଯାତ୍ରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

0
0
0
s2sdefault