ଭୁବନେଶ୍ୱର: ବଦଳୁଛି ସମୟ ଆଉ ସମୟ ସହ ତାଳ ଦେଇ ବଦଳୁଛି ଜୀବନଶୈଳୀ । ବଦଳୁଥିବା ଜୀବନଚର୍ଯ୍ୟାକୁ ଆଉ ଟିକେ ସହଜ କରିଦେଉଛି ଉଦ୍ଧତପଣିଆର ସବୁ ସୀମା ପାର୍ କରିଥିବା ବୈଶୟିକ ଜ୍ଞାନ କୌଶଳ ବା ଟେକ୍ନୋଲଜି । ତା ମଧ୍ୟରେ ଏବେ ଏବେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟିଲେେଜେନ୍ସି ବା ଏ ଆଇ । କେବେ ଲେଖା ମାଧ୍ୟମରେ ବ୍ୟବହାରକାରୀଙ୍କ ଆଉ କେତେବେଳେ ଫଟୋ, ଭିଡିଓ ଓ ଆନିମେସନ ଜରିଆରେ କ୍ରିଏଟରଙ୍କ ସୃଜନଶୀଳତାକୁ ସହଜ କରିଦେବାକୁ ଇନ୍ଧନ ଯୋଗାଉଛି ଏଆଇ । ଭଲ ଆଉ ମନ୍ଦ ଭଳି ଏହି ଟେକ୍ନୋଲଜିର ବି କିଛି ଭଲ ଆଉ କିଛି ଖରାପ ନିଶ୍ଚୟ ରହିଛି । ଏସବୁକୁ ଅଣଦେଖା ନ କରିଲେ ମଧ୍ୟ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ଆଜି ଅଧିକରୁ ଅଧିକ ସମୟ ଏଥିରେ ମନୋନିବେଶ କରିଛନ୍ତି । ବିଶେଷ କରି କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଏସବୁ ବେଶ୍ ସହାୟକ ହୋଇ ପାରିଛି ଏଥିରେ ଦ୍ୱିମତ ନାହିଁ ।
କିନ୍ତୁ ପ୍ରସଙ୍ଗ ହେଉଛି ବଦଳୁଥିବା ସମୟର ଆହ୍ୱାନକୁ ଆମେ କେତେ ବୁଝିଛେ, କେମିତି ବୁଝିଛେ ଆଉ କେତେ ଆମ ଦୈନନ୍ଦିନ ଜୀବନରେ ଉପଯୋଗ କରୁଛେ । ତା ଭିତରେ ସାଧାରଣ ଇଣ୍ଟରେନେଟ୍ ୟୁଜରଙ୍କ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର, ସାମ୍ବାଦିକ, କମ୍ୟୁନିକେସନ ଏକ୍ସପର୍ଟ ସମେତ ଟେକ୍ନୋଲଜି ଉପରେ ସାଧାରଣ ବ୍ୟକ୍ତିଟିଏ କେମିତି ଏସବୁ ପ୍ରସଙ୍ଗରେ ଜାଣିବ ଓ ଅନ୍ୟଙ୍କୁ ଜଣାଇ ପାରିବ ତାହାର ଏକ ପ୍ରୟାସ ହୋଇଛି । ପ୍ରଥମ ଥର ରାଜଧାନୀ ଭୁବନେଶ୍ୱରରେ ଏକ ନିଆରା ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜିତ ହୋଇଛି । ବନ୍ଧୁ ମିଳନ ସାଙ୍ଗକୁ ଏକ ମୁକ୍ତ ବିଚାର ମଞ୍ଚର ପରିକଳ୍ପନା ଆଜିର ପ୍ରସଙ୍ଗକୁ ପ୍ରାସଙ୍ଗିକତା କରୁଛି । ଯେଉଁଥିରେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷ ଯେଉଁମାନେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ବେଶ୍ ସକ୍ରୀୟ ସାମିଲ ହୋଇ ନିଜ ନିଜର ଅନୁଭୂତି, ଅଭିଜ୍ଞତା ଓ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ମୁକ୍ତ ବିଚାରଧାରା ସହ ରଖିଥିଲେ ।
ବଡ଼ କଥା ହେଉଛି ଏହି ବନ୍ଧୁ ମିଳନ ଏଇଥିପାଇଁ ନିଆରା କାହିଁକିନା କାର୍ଯ୍ୟକ୍ରମରେ ସାମିଲ ସମସ୍ତେ ଫେସବୁକ ଫ୍ରେଣ୍ଡ ଅର୍ଥାତ ବନ୍ଧୁତା କେବଳ ଫେସବୁକରେ କହିବାକୁ ଗଲେ ଭର୍ଚୁଆଲ ଦୁନିଆର ବନ୍ଧୁତା ଶେଷରେ ପ୍ରତ୍ୟକ୍ଷ ଭାବେ ଏକ ଓ ଏକାଠି ହୋଇ ଏକ ମୁକ୍ତ ମଞ୍ଚରେ ନିଜ ସ୍ବର ପ୍ରତିପାଦନ କରିଥିଲେ । ଯେଉଁଥିରେ ମେଟା, ଇନଷ୍ଟାଗ୍ରାମ, ଏକ୍ସ, ୱେବ୍ ପୋର୍ଟ ଓ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ଓ ଏଆଇ ଉପରେ ସବିଶେଷ ତଥ୍ୟ ମୂଳକ ଆଲୋଚନା ହୋଇଥିଲା । କେହି ପେଶାରେ ସୋସିଆଲ ମିଡିଆର ବିଶେଷଜ୍ଞା ବା ଏକ୍ସପର୍ଟ ନଥିଲେ ମଧ୍ୟ ଦୀର୍ଘ ଦିନର ବ୍ୟବହାର ଓ ନିଜ ଅଭିଜ୍ଞତା ମଧ୍ୟରେ ଯେଉଁ ମତ ଓ ମତାମତ ରଖାଗଲା ତାହା ଅନେକ ଶିକ୍ଷଣୀୟ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଫେସବୁକ ବନ୍ଧୁ ନିଜ ଅନୁଭୂତିରେ ବଖାଣିଛନ୍ତି ।
କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ କାନୁନଗୋ କାର୍ଯ୍ୟକ୍ରମର ଅଭିଜ୍ଞତା ସମ୍ପର୍କରେ ଲେଖିଛନ୍ତି, ''ଫେସବୁକ/ ସୋସଲ ମିଡିଆରେ ଅନେକ ଲୋକ ଅନେକ କଥା ଲେଖନ୍ତି! ହେଲେ ଏଥରୁ ଆମେ ଲୋକଙ୍କ ବିଷୟରେ ଜାଣିନଥାଉ! ସେଥିପାଇଁ ଭିନ୍ନ ବିଚାର ନାଁରେ ଅନେକ ସମୟରେ ଆମ କଥାଟି ଠିକ ବୋଲି ଆମେ ଭାବୁ!
ଆଜିର ଏ ଅନୌପଚାରିକ ବନ୍ଧୁମିଳନରେ ପରସ୍ପର ପରିଚୟ ଭିତରେ ମୁଖ୍ୟସ୍ରୋତ ଗଣମାଧ୍ୟମ, ସୋସଲ ମିଡିଆ, AI ଉପରେ ଆଲୋଚନା ହେଲା । AIକୁ ବ୍ୟବହାର କରି କିଭଳି ସହଜରେ କାମ କରିହେବ ଆଲୋଚନା ହେଲା। ଏମିତିକି ଜଣେ 'ମୁଖ୍ୟସ୍ରୋତ ଗଣମାଧ୍ୟମ- ରାଜତନ୍ତ୍ର ଓ ସୋସଲ ମିଡିଆ- ଗଣତନ୍ତ୍ର' କହିବା ଦେଖାଯାଇଥିଲା! ଵାସ୍ତଵିକ ମଜା ଭିତରେ ବି ସମାଜର ଭଲ ପାଇଁ ଚିନ୍ତା କରାଯାଇପାରେ । ''
ସେହିଭଳି ସୁଧାଂଶୁ କୁମାର ବେହେରା ଲେଖିଛନ୍ତି ଯେ ''ଏହା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିବା ସହ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖୁଥିବା ବନ୍ଧୁ ମାନଙ୍କର ମହାମିଳନ ।
ପ୍ରକୃତରେ ଏହାଥିଲା ଗପ , ଗମାତ , ଗେମ୍ଫା - ଟ୍ୟାଗ ଲାଇନରୁ ଅଧିକ ରୋମାଞ୍ଚକର , ମୁକ୍ତାକାଶ ତଳେ ଚାଲିଥିଲା ଗୋଟେ କର୍ମଶାଳା , ଏକ ଆଲୋଚନାର ଶିବିର, ଏକ ବ୍ୟକ୍ତିଗତ କାମ ପାଇଁ ବହୁତ୍ କମ୍ ସମୟ ରହିଥିଲି ସତ ମାତ୍ର ସେହି କମ୍ ସମୟରେ କେବଳ ସାମାଜିକ ଗଣମାଧ୍ୟମ ନୁହେଁ ତାହା ସହ ନିଜ କର୍ମକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବହୁ ବ୍ୟକ୍ତି ବିଶେଷଙ୍କ ସଂଘର୍ଷ କାହାଣୀ ଶୁଣିବାକୁ ଆଉ ବହୁତ କିଛି ଶିଖିବାକୁ ମିଳିଥିଲା, କାହାଣୀ ଥିଲା ସମସ୍ତ ବ୍ୟକ୍ତି ବିଶେଷଙ୍କ ସଫଳତା ଆଉ ବିଫଳତାର ରାସ୍ତା, ତା ସହିତ ହସ , ମଜା , ଥଟ୍ଟା ଆଉ ସଙ୍ଗୀତ ସତରେ ସମୟ କେତେବେଳେ ଗଡିଗଲା ଜଣା ପଡିଲା ନାହିଁ । ''
କାର୍ଯ୍ୟକ୍ରମରେ ଚାରବାକ ସୁବୁଦ୍ଧି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, '' କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଫେସବୁକ ବନ୍ଧୁ ମାନଙ୍କର ମହାମିଳନ ହେଲା I ସାମାଜିକ ଗଣମାଧ୍ୟମର ପ୍ରଭାବ, ମୁଖ୍ୟଧାରାର ଗଣମାଧ୍ୟମ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ, ଭବିଷ୍ୟତରେ AI Technology ର ପ୍ରଭାବ କଣ ରହିବ ଏ ସବୁ ବିଷୟ ଉପରେ ଜ୍ଞାନ ର ଆଦାନ ପ୍ରଦାନ ହେଲା I ଗପ, ଗମାତ, ଗେମ୍ଫା ବି ହେଲା I ''
ଅବିନାଶ ବେହେରା ଫେସବୁକରେ ପୋଷ୍ଟ କରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉଲ୍ଲେଖ କରିଛନ୍ତି ଯେ, ''ବହୁତ୍ ଦିନ ତଳୁ ଯୋଜନା ତିଆରି ହୋଇଥିଲା। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଆମେ ସମସ୍ତେ ଏକାଠି ହୋଇଥିଲୁ। ଆସର ଜମିଥିଲା ବାଣୀବିହାର ତାଳପଦେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଠାରେ। ଆରମ୍ଭ ହୋଇଥିଲା ଗପ ଗମାତ ଗେମ୍ଫା। ଆମଭଳି ଭୁବନେଶ୍ଵରରେ ରହୁଥିବା କିଛି ବ୍ୟକ୍ତିବିଶେଷଙ୍କ ସମେତ ସୁଦୂର ରାୟଗଡ଼ା, ପୋଲସରା ଓ ଗନ୍ଦିଆ ଆଦି ଅଞ୍ଚଳରୁ ଭାଇମାନେ ଆସି ଯୋଗଦେବା ବେଶ୍ ଉତ୍ସାହଜନକ ଥିଲା। ଚର୍ଚ୍ଚାର ବିଷୟବସ୍ତୁ ସାଜିଥିଲା ସୋସିଆଲ ମିଡ଼ିଆର ସ୍ଥିତି, ଏହାର ଭଲ ଓ ମନ୍ଦ ଦିଗ, ଏଆଇ ଓ ଚାଟ୍ ଜିପିଟି ପରି ନୂତନ ଜ୍ଞାନକୌଶଳର ଅଭ୍ୟୁଦୟ, ଓଡ଼ିଆ ଭାଷାର ବ୍ୟବହାର ଏହିପରି ଅନେକ ପ୍ରସଙ୍ଗ। ରାଜ୍ୟ, ଦେଶ ତଥା ବିଦେଶର ବିଭିନ୍ନ କେସ୍ ଷ୍ଟଡି ଆଲୋଚନାରେ ସାମିଲ୍ ହୋଇଥିଲା। ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରିବା ସହ ଜଡ଼ିତ ଥିବା କ୍ଷେତ୍ର ଏବଂ ସୋସିଆଲ ମିଡ଼ିଆ ସହ ସମ୍ପୃକ୍ତି ବାବଦରେ ବଖାଣିଥିଲେ। ସାମ୍ବାଦିକ ତଥ୍ୟା କମ୍ୟୁନିକେସନ ଷ୍ଟ୍ରାଟେଜିଷ୍ଟ ତଥା କାର୍ଯ୍ୟକ୍ରମର ଆବାହକ ସବ୍ୟସାଚୀ ଅମିତାଭ, ରୁଦ୍ର ପ୍ରସନ୍ନ ରଥ, ଲକ୍ଷ୍ମୀ ନାରାୟଣ କାନୁନଗୋ, ଗିରିଜା ଶଙ୍କର ଦାସଙ୍କ ଉଦ୍ୟମ ଓ ଉପାଦେୟତା ମୂଳକ ଆଲୋଚନା କାର୍ଯ୍ୟକ୍ରମକୁ ସଫଳ କଲା । ''
କାର୍ଯ୍ୟକ୍ରମରେ ନେତା ଭାବେ ନୁହେଁ ଜଣେ ବନ୍ଧୁ ଭାବରେ ସାମିଲ ହୋଇଥିଲେ କଂଗ୍ରେସ ନେତା ପ୍ରଶାନ୍ତ କୁମାର ଶତପଥୀ । ନିଜ ଅନୁଭୂତି ବଖାଣି ସେ ଲେଖିଛନ୍ତି, '' ଫେସବୁକ ବନ୍ଧୁମାନଙ୍କୁ ଏକାଠି କରିବାର ଏକ ସୁନ୍ଦର ପ୍ରୟାସ ଏବଂ ଏଭଳି ଭିନ୍ନ ଏକ ବନ୍ଧୁମିଳନ ପାଇଁ ରୁଦ୍ର , ସବ୍ୟସାଚୀ ଅମିତାଭ ତଥା ଅନ୍ୟ ଆୟୋଜକ ବନ୍ଧୁମାନଙ୍କୁ ଯେତେ ପ୍ରଶଂସା କଲେବି କମ୍ ହେବ । ଏମିତି ଏକ ନିରୁତା ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ ପ୍ରଥମ ଥିଲା । ଆଲୋଚନା.. ପର୍ଯ୍ୟାଲୋଚନା.. ସମାଲୋଚନା..ମେନଷ୍ଟ୍ରିମ ଓ ସୋସିଆଲ ମିଡ଼ିଆର ବ୍ୟବହାର ଏବଂ ଅପବ୍ୟବହାର, ଫେ୍କ ନିୟୁଜ / ବାଏସ୍ଡ ନିୟୁଜର ସମାଜ ଉପରେ ପ୍ରଭାବ, ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମରେ ସାଧାରଣ ଜନତାଙ୍କ ବିକାଶ ଭଳି ଅନେକ ପ୍ରସଙ୍ଗରେ ଅତି ସୁନ୍ଦର ସାରାଗର୍ଭକ ଆଲୋଚନା ତ ହେଲା ତା ସହିତ କିଛି ଗୁଲିଖଟି ବି ହେଲା । କଫି ମଗ ସହିତ ଭାଷା ମହାରଥୀ ପବିତ୍ର ମହାରଥାଙ୍କ ଠାରୁ ଓଡ଼ିଆ ଭାଷା ଉପରେ ଦୁଇଟି ପୁସ୍ତକ ଉପହାର ମିଳିଲା । ''
ଆଗକୁ ଏମିତି କାର୍ଯ୍ୟକ୍ରମ ସହ ଆଲୋଚନା ଓ ଭୋଜିଭାତର ଆସର ସହ ନିଆରା ବନ୍ଧୁ ମିଳନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।