ଭୁବନେଶ୍ୱର, ମାର୍ଚ୍ଚ ୨୭: ହାର୍ଣ୍ଣିଆ ରୋଗର ଉପଚାର ନିମନ୍ତେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଫୁଲନଖରା ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ ଠାରେ ମଙ୍ଗଳବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
‘ହାର୍ଣ୍ଣିଆ ମାଷ୍ଟର କ୍ଲାସ୍’ ଭାବେ ନାମିତ ଏହି କର୍ମଶାଳାରେ ହସ୍ପିଟାଲର ଶଲ୍ୟ ଚିକିତ୍ସକ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ନୂଆଦିଲ୍ଲୀ ସ୍ଥିତ ମାକ୍ସ ସୁପରସ୍ପେଶିଆଲିଟି ହସ୍ପିଟାଲର ଲେଜର, ଲାପ୍ରାସ୍କୋପିକ ଓ ରୋବୋଟିକ ସର୍ଜନ ପ୍ରଫେସର (ଡାକ୍ତର) ନୀରଜ ଗୋୟଲ ଏହି କର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ ।
ନିଜର ବକ୍ତବ୍ୟରେ ପ୍ରଫେସର (ଡାକ୍ତର) ଗୋୟଲ ହାର୍ଣ୍ଣିଆ ଅସ୍ତେ୍ରାପଚାରରେ ବ୍ୟବହୃତ ହେଉଥିବା ନୂତନ ପ୍ରୟୋଗ ବିଷୟରେ ଆଲୋଚନା କରି ନୂତନ ଧରଣର ଆବଡୋମିନାଲ୍ ମେଶ ବିଷୟରେ ତଥ୍ୟ ରଖିଥିଲେ ।
ଏହି କର୍ମଶାଳାର ଆରମ୍ଭରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଶଲ୍ୟ ଚିକିତ୍ସକ ପ୍ରଫେସର (ଡାକ୍ତର) ମାନସ ରଞ୍ଜନ ସାହୁ ଯୋଗ ଦେଇ ଏହି ପ୍ରକାର କର୍ମଶାଳାର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏପରି କର୍ମଶାଳାର ଅନେକ ଗୁରୁତ୍ୱ ରହିଥିବା ପ୍ରକାଶ କରିଥିଲେ । ଏପର୍ଯ୍ୟନ୍ତ ସୋଆ ବିଶ୍ୱବିଦ୍ୟାଳୟରେ ୫୫୦ରୁ ଊଦ୍ଧ୍ୱର୍ କର୍ମଶାଳା ଓ ଆଲୋଚନାଚକ୍ର ଓ ୯୦ ରୁ ଅଧିକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଥିବା ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ଫୁଲନଖରା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ-୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା, ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ମହମ୍ମଦ ଜାଭେଦ ଅଖତାର ଓ ସର୍ଜରୀ ବିଭାଗ ଆସୋସିଏଟ୍ ପ୍ରଫେସର (ଡାକ୍ତର) ଚିନ୍ମୟ ରଞ୍ଜନ ବେହେରା ବକ୍ତବ୍ୟ ରଖିଥିଲେ ।