ରାଷ୍ଟ୍ରୀୟ ନବ ବର୍ଷ ; ସମୃଦ୍ଧି, ଅଭିବୃଦ୍ଧି, ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବାର ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ମାର୍ଚ୍ଚ ୩୦ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ ମେସେଜ ଜରିଆରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ହିନ୍ଦୁ ନବବର୍ଷ ସମୃଦ୍ଧି, ଅଭିବୃଦ୍ଧି, ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବାର ପ୍ରତୀକ ବୋଲି କହିଛନ୍ତି ।
‘ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି, ସମ୍ବଲପୁର’ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଦ୍ୱାରା ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଆମ ସନାତନ ଧର୍ମ ଏବଂ ହିନ୍ଦୁଧର୍ମର ଲୋକମାନଙ୍କ ପାଇଁ ଏକ ନୂତନ ବର୍ଷର ଆରମ୍ଭ । ଆନନ୍ଦ, ଉଲ୍ଲାସ ଓ ଉନ୍ମାଦନାର ଦିନ । ରାଷ୍ଟ୍ରୀୟ ନବ ବର୍ଷ ; ନୂତନ ଆରମ୍ଭ, ସମୃଦ୍ଧି, ଅଭିବୃଦ୍ଧି, ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବାର ପ୍ରତୀକ । ଭାରତୀୟ ସାଂସ୍କୃତିକ ମାନ୍ୟତା ଅନୁସାରେ ଭଗବାନ ବ୍ରହ୍ମା ଏହି ଦିନ ଠାରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ କରିଥିଲେ । ଏହି ଦିନ ଠାରୁ ବିକ୍ରମ ସମ୍ୱତ ନୂତନ ବର୍ଷ ଆରମ୍ଭ ହୋଇଥାଏ । ମର୍ଯ୍ୟାଦାପୁରୁଷ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ ମଧ୍ୟ ଏହି ଦିନ ହୋଇଥିଲା । ଏହି ଦିନ ‘ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି, ସମ୍ବଲପୁର’ ପକ୍ଷରୁ ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ ଧୁମଧାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ତଥା ଜନସାଧାରଣଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ ପ୍ରଶଂସନୀୟ । ଏହି ସାଧୁ ଉଦ୍ୟମ ପାଇଁ ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି, ସମ୍ବଲପୁରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେ କହିଛନ୍ତି ଯେ ରାଷ୍ଟ୍ରୀୟ ନବବର୍ଷର ଅର୍ଥ ହେଉଛି ସମାଜରେ ଭାଇଚାରାକୁ ବଢାଇବା । ସମାଜ ମଧ୍ୟରେ ଏକତା ଭାବନାକୁ ବଢାଇବା । ଆମର ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ ଦେବା । ଦେଶର ସାର୍ବଭୌମ ଏବଂ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଚେତନତା ତିଆରି କରିବା । ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧି ଓ ସମ୍ଭାବନାର ବର୍ଷ ହେଉ । ସୁଖ, ଶାନ୍ତି ଓ ଉନ୍ନତିର ବର୍ଷ ହେଉ । ରାଷ୍ଟ୍ରୀୟ ନୂତନ ବର୍ଷକୁ ଭବ୍ୟ ଭାବରେ ପାଳନ କରିବା । ଆମର କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ସାମୂହିକ ଦାୟିତ୍ୱ ନେବା । ବିକଶିତ ଭାରତ, ବିକଶିତ ଓଡ଼ିଶା ଏବଂ ‘ବିକଶିତ ସମ୍ବଲପୁର’ ପାଇଁ ବଦ୍ଧପରିକର ହେବା । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାଆ ସମଲେଶ୍ୱରୀଙ୍କ କୃପା ଏବଂ କରୁଣା ସଦା ସର୍ବଦା ସମସ୍ତଙ୍କ ପରିବାର ଉପରେ ରହିଥାଉ, ଏହା ଶ୍ରୀ ପ୍ରଧାନ କାମନା କରିଛନ୍ତି ।