ଅଣସଂରକ୍ଷିତବର୍ଗର ପ୍ରାର୍ଥୀ ପଦୋନ୍ନତିରୁ ବଞ୍ଚିତ, ହାଇକୋର୍ଟ ଲଗାଇଲେ ରୋକ୍
ଭୁବନେଶ୍ୱର, ୨୩/୦୩/୨୦୨୫: ରାଜ୍ୟ ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସାରା ରାଜ୍ୟରେ ସାଧାରଣବର୍ଗର କର୍ମଚାରୀ, ଆଇନ୍ଜୀବୀ, ବୁଦ୍ଧଜୀବୀ ଓ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ବଡ ଅଲୋଡନ ସୃଷ୍ଟି ହୋଇଛି । ଏହା କେବଳ ଆଲେଚନା ବା ବିଶ୍ଲେଷଣ ମଧ୍ୟରେ ସୀମିତ ହୋଇ ରହିନାହିଁ । ବିଭିନ୍ନ ସେବାର ସାଧାରଣ ବର୍ଗର କର୍ମଚାରୀ ଏହାକୁ ନେଇ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ସାରିଲେଣି । କେତେକ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ପଦୋନ୍ନତି ଉପରେ ରୋକ୍ ଲଗାଇଥିବାବେଳେ ଆଉ କେତେକ ବିଚାରାଧିନ ରହିଛି ।
ଏ ସମସ୍ୟା ସୃଷ୍ଟି ହୋଇଛି ସରକାର ଗତ ୨୭.୦୨.୨୦୨୫ ତାରିଖରେ ପୂର୍ବରୁ ପ୍ରତ୍ୟାହୃତ ହୋଇଯାଇଥିବା ତଫସିଲଭୁକ୍ତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ୦୬.୦୫.୨୦୨୪ ତାରିଖର ନିର୍ଦ୍ଦେଶାବଳୀକୁ ପୁନଃ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେବାପରେ । ଉପରୋକ୍ତ ନିର୍ଦ୍ଦେଶାବଳୀରେ ଯାହା କୁହାଯାଇଛି ତାକୁ ବିଭାଗମାନେ ନମାନି କୌଣସି ଏକ ଅଦୃଶ୍ୟ ଏବଂ ଶକ୍ତିଶାଳୀ କ୍ଷମତା କେନ୍ଦ୍ରର ଚାପରେ ସମସ୍ତ ଆଇନର ଉଲ୍ଲଙ୍ଘନ କରି ଚାଲିଛନ୍ତି । ଏପରିକି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ରାୟକୁ ମଧ୍ୟ ଫୁ କରିବାକୁ ଡରୁନାହାନ୍ତି । ସଂରକ୍ଷିତ ବର୍ଗର କର୍ମଚାରୀଙ୍କୁ ତାଙ୍କ ସାମ୍ବିଧାନିକ ପ୍ରାପ୍ୟଠାରୁ ଅଧିକ ପଦବୀ ଦିଆଯାଉଥିବାବେଳେ ଅନେକ ଯୋଗ୍ୟ, ମେଧାବୀ ସାଧାରଣ ବର୍ଗର କର୍ମଚାରୀଙ୍କୁ ପଦୋନ୍ନତିରୁ ବଞ୍ଚିତ କରାଯାଉଛି ।
କ୍ଷତିଗ୍ରସ୍ତ ହୋଇଥିବା କର୍ମଚାରୀ ପ୍ରଶ୍ନ ଉଠାଇ କହିଛନ୍ତି ଯେତବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ସେପରି କୌଣସି ନିୟମ ନାହିଁ କି ଭାରତ ସରକାରଙ୍କ ମଧ୍ୟ ଏପରି ଆଇନ୍ ନାହିଁ, ଏବଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସାରା ଭାରତବର୍ଷରେ ପ୍ରଚଳିତ ହେଉଛି, ଏଠି ଏ ସରକାର ଏପରି ଆଇନ୍ କେଉଁ ଆଧାରରେ ଓ କେଉଁ ନ୍ୟାୟ ପ୍ରତିଷ୍ଠା କରିବାକୁ ଯାଇ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ?
ଏଠାରେ ପ୍ରକାଶ ଯୋଗ୍ୟ ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଭିନ୍ନ ମାମଲାର ରାୟ ଆଧାରରେ ରାଜ୍ୟ ସରକାର ବିଗତ ୨୦୦୭ ମସିହାରେ ଏକ ନିର୍ଦ୍ଦେଶାବଳୀ ଜାରି କରି ରାଜ୍ୟର ସମସ୍ତ ସେବାରେ ପଦବୀ ଭିତ୍ତିକ ପଦୋନ୍ନତି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ଆଜି ପର୍ଯ୍ୟନ୍ତ ପଦୋନ୍ନତି ଦିଆଯାଇ ଆସୁଛି । ଏ ନିର୍ଦ୍ଦେଶାବଳୀ ଆଜିର ଦିନରେ ବଳବତ୍ତର ଥିବାବେଳେ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତ ରାୟ କାଏମ ଥିବାବେଳେ ଏ ନୂଆ ନିର୍ଦ୍ଦେଶାବଳୀ କେଉଁ ଆଧାରରେ ଓ କାହା ସ୍ୱାର୍ଥରେ ସରକର ଜାରି କରିଛନ୍ତି ବୋଲି ପ୍ରଶ୍ନ ଉଠୁଛି ।
କେଉଁ କ୍ୟାଡରରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମ ଲାଗିବ ଓ କେଉଁଠାରେ ନୁହେଁ, ତାହା ସଂରକ୍ଷିତବର୍ଗଙ୍କ ଉକ୍ତ କ୍ୟାଡରରେ ଯୋଗଦାନ ସମ୍ପର୍କିତ ତଥ୍ୟ ଆଧାରରେ ସ୍ଥିର କରିବାକୁ ଏ ନୂଆ ନିର୍ଦ୍ଦେଶାବଳୀରେ କୁହାଯାଇଥିଲେ ହେଁ, କୌଣସି ବିଭାଗ ତାକୁ ପାଳନ କରୁନାହାନ୍ତି । ସମସ୍ତଙ୍କ ମୁଣ୍ଡରେ ବସା ବାନ୍ଧିଛି ଯେ ସଂରକ୍ଷଣ ସବୁ କ୍ଷେତ୍ରରେ ଲାଗିବ ଓ ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ପଦବୀକୁ ପଦୋନ୍ନତି ପାଇବେ । ଏହି ଆଇନ୍ ବଳରେ ନିର୍ମାଣ ବିଭାଗ, ଗୃହ ବିଭାଗ, ଅର୍ଥ ବିଭାଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପଦୋନ୍ନତି କମିଟିର ବୈଠକ ଡାକି ସଂରକ୍ଷିତ ବର୍ଗର କର୍ମଚାରୀଙ୍କୁ ଅଣସଂରକ୍ଷିତ ପଦବୀକୁ ପଦୋନ୍ନତି ଦେବାକୁ ସୁାପରିଶ୍ କରିସାରିଛନ୍ତି । ଏଥି ମଧ୍ୟରେ ନିର୍ମାଣ ବିଭାଗ ୫୧ ପଦବୀ, ଅର୍ଥ ବିଭାଗର ୨୬, ଗୃହ ବିଭାଗର ୩୪ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୪ଟି ପଦବୀ ରହିଛି ।
ସେ ଯାହା ହେଉନା କାହିିଁକି ମନ୍ତ୍ରୀଙ୍କ ଅଜ୍ଞତା, ସଚିବଙ୍କ ଉପରେ ଚାପ ଓ କର୍ମଚାରୀଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଡରରେ ଦେଶର ଆଇନ୍ ଆଜି ରାଜ୍ୟରେ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ନ୍ୟାୟାଳୟକୁ ଯାଇଥିବା ମାମଲା ମଧ୍ୟରୁ ନିର୍ମାଣ ବିଭାଗ, ଗଞ୍ଜାମ ଅମିନ ପଦୋନ୍ନତି ମାମଲା, ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟକର୍ମୀ ପଦୋନ୍ନତି ମାମଲାରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି । ତଥାପି ସରକାର ଏ ଅବୈଧ ନିର୍ଦ୍ଦେଶାବଳୀ ଉପରେ କୌଣସି ଦ୍ୱିତୀୟ ଚିନ୍ତା କରିନାହାନ୍ତି ।