ପୁରୀ ( ଅନିମେଶ ପଟ୍ଟନାୟକ): ପ୍ରତ୍ୟେକ ଅଭିଭାବକଙ୍କ ଘରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ପତ୍ର । ଜାତୀୟ ଶିକ୍ଷା ନିତି ୨୦୨୦ ଅନୁଯାୟୀ ଅପ୍ରେଲ ୨ରୁ ପ୍ରତି ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେବ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଉତ୍ସବ ।
ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଚଳିତ ବର୍ଷ ରାଜ୍ୟ ସରକାର ପାଳନ କରିବେ ଖଡ଼ିଛୁଆଁ ଉତ୍ସବ । ଶିଶୁଙ୍କର ଶିକ୍ଷାର ମୂଳଦୁଆକୁ ଶଶକ୍ତ କରିବାକୁ ଏହି ଅଭିନବ ଉତ୍ସବର ଲକ୍ଷ । ଅପ୍ରେଲ ୨ରୁ ୫ ତାରିଖ ଯାଏଁ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଯାହା ଶିଶୁଙ୍କୁ ନୂତନ ଶିକ୍ଷା ଭର୍ତ୍ତି ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଆଦିଙ୍କ ତତ୍ୱାବଧାନରେ ସମସ୍ତ ଅଭିଭାବକମାନଙ୍କୁ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଉତ୍ସବର ନିମନ୍ତ୍ରଣ ପତ୍ର ବଣ୍ଟାଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିଭାବକ, ନିର୍ବାଚିତ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଏବଂ ସମାଜର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅଭିଭାବକମାନେ ନିଜ ଶିଶୁମାନଙ୍କ ସହିତ ଅଂଶଗ୍ରହଣ କରିବାକୁ ରାଜ୍ୟ ସହକାର ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବାକୁ ଅନେକ ଆକର୍ଷଣୀୟ ତଥା ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ରହିଛି ।