ହେଡଲାଇନସ୍:

ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ "ରଘୁନାଥଙ୍କ ସଂଗୀତ ଜୀବନର ଅର୍ଦ୍ଧଶତାବ୍ଦୀ" କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର / ପାରଳାଖେମୁଣ୍ଡି : ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଦୂରଦର୍ଶନ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୯ ତାରିଖ (ବୁଧବାର) ସନ୍ଧ୍ୟାରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ‘ରଘୁନାଥଙ୍କ ସଂଗୀତ ଜୀବନର ଅର୍ଦ୍ଧଶତାବ୍ଦୀ' କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗଦେଇ ପାରଳାଖେମୁଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ସାଧନାର ଉଚ୍ଚ ପ୍ରଶଂସା କରିବା ସହ ଓଡିଶୀ ସଂଗୀତରେ ପାରଳା ଘାରାନାକୁ ବଜାୟ ରଖିବାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ।
ଭକ୍ତି ନୈବେଦ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଗବେଷକ ଡଃ. ଶାନ୍ତନୁ ରଥ ଯୋଗଦେଇ ରଘୁନାଥଙ୍କ ଜୀବନ ବ୍ୟାପୀ ଓଡିଶୀ ସଂଗୀତ ସାଧନା ବିଶେଷ କରି ବିନା ଶୁଳ୍କରେ ଉପାନ୍ତ ଅଞ୍ଚଳରେ ସଂଗୀତ ଶିକ୍ଷା ପ୍ରଦାନ କରି ଅନେକ କଣ୍ଠଶିଳ୍ପୀ ସୃଷ୍ଟି କରିବା ସହ ତାଙ୍କ ଦ୍ବାରା ସଂଯୋଜିତ ତଥା ନିର୍ଦ୍ଦେଶିତ କାଳଜୟୀ ଲଘୁ ସଂଗୀତ ପାଇଁ ସେ ସବୁବେଳେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହିବେ ବୋଲି କହିଥିଲେ।
ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କୃତ ଯୁବ ମଞ୍ଚ ଅଭିନେତା ଆଦର୍ଶ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରୂପେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଭକ୍ତି ନୈବେଦ୍ୟ ଅନୁଷ୍ଠାନର କଳାକାରମାନେ ପଣ୍ଡିତ ରଘୁନାଥଙ୍କ ଦ୍ବାରା ସ୍ୱର ସଂଯୋଜିତ ତଥା ନିର୍ଦ୍ଦେଶିତ ବିଭିନ୍ନ ସଂଗୀତ ପରିବେଷଣ କରିଥିଲେ , ଯାହା ଉପସ୍ଥିତ ଶ୍ରୋତାଙ୍କୁ ଅନେକ ରାତି ଯାଏଁ ବାନ୍ଧି ରଖିଥିଲା।
ପରିବେଷଣ କରିଥିବା କଣ୍ଠଶିଳ୍ପୀ ଓ ପରିବେଷିତ ସଂଗୀତ ଡଃ.ସଂଗୀତା ଗୋଷାଇଁ (ପୂଜାରୀଣି ଆଜି ପ୍ରଦୀପ ଜାଳି ମୁଁ...) , ପଣ୍ଡିତ ରଘୁନାଥ ପାତ୍ର – (ମୁଁ ହଜିଗଲେ ଝୁରିବ କିଏ ସେ....) , ଶ୍ରୀମତି ସର୍ମିଳା ସାମନ୍ତରାୟ (ସୁନ୍ଦ ଏହି ଘରଣୀରେ ଆମେ...) , ଡ.ଚନ୍ଦନ ଗନ୍ତାୟତ (ମୁଁ ଯେ ଶ୍ରାବଣୀ ରାତିର....) , ସୁଶ୍ରୀ ବୈଷ୍ଣବୀ ଘୋଷ (ବେଚେନ ବହତ ଫିରନା) (ହିନ୍ଦୀ ଗଜଲ) , ଶ୍ରୀ ପ୍ରଭାତ ପାତ୍ର (ଶ୍ରୀ ରାମ ନାମକୁ ଗାଅରେ ମାନସ .....) , ଶ୍ରୀ ଶିବ ଷଡଙ୍ଗୀ (ଭାରି ଭଲ ଲାଗେ ପଢିବାକୁ ଥରେ...) , ସୁଶ୍ରୀ ଅଞ୍ଜଳୀ ପାତ୍ର (ଅଭି ମେ ଶରଣ ତିହାରି ଜୀ ) (ହିନ୍ଦୀ ଭଜନ) , ଶ୍ରୀ ଆଶୁତୋଷ ମିଶ୍ର (ମୋ ଘରର ଦରଜା .......) , ସୁଶ୍ରୀ ସ୍ପନ୍ଦନା ପଣ୍ଡା – (ଇଚ୍ଛା ହୁଏ ମୋର ତମକୁ କାହିଁକି...) , ସୁଶ୍ରୀ ଅମୃତା ପୁରୋହିତ (ଭାବିଥିଲି ଦିନେ ନଦୀଟିଏ ହୋଇ....) ସଂଗୀତ ଗାନ କରିଥିବା ବେଳେ ବାଦ୍ୟ ଯନ୍ତ୍ରାଂଶରେ ସହାୟତା କରିଥିବା ଶିଳ୍ପୀ ହେଲେ ଇଂ.ଅଭୟେନ୍ଦ୍ର (ଡବଲା) , ବିଶ୍ବମ୍ବର (ଢୋଲକ) , ଶ୍ୟାମ ଭାଇ (ସେକ୍ସୋଫୋନ୍ , ବଂଶୀ) , ବିଶ୍ବରଞ୍ଜନ (କି-ବୋର୍ଡ) , ରଞ୍ଜନ କୁମାର (ପ୍ୟାଡ) ଓ ଇତେଶ ଭାଇ ( ଇଫେକ୍ଟ)। ଭୂବନେଶ୍ୱରରେ ରହୁଥିବା ପାରଳାର ନାଗରିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁଙ୍କର ଭୂୟସୀ ପ୍ରଶଂସା କରିଥିଲେ।

0
0
0
s2sdefault