ହେଡଲାଇନସ୍:

ପାଇଲିପଡା ପଞ୍ଚାୟତରେ ବିଜେଡିକୁ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ ଜୟରାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗତକାଲି ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ଉପ-ନିର୍ବାଚନ ପରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଭୋଟ ବାକ୍ସ ଖୋଲାଯାଇ ଗଣତି ଓ ଫଳାଫଳ ଘୋଷଣା କରାଯାଇଥିଲା ।ବିଜେଡି ସମର୍ଥିତ ପ୍ରାର୍ଥୀ ମମତା ଭୋଳ ବିଜୟୀ ହୋଇଥିଲେ । କିନ୍ତୁ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକ ଅନାସ୍ଥା ପ୍ରସ୍ତାବରେ ନିଜର ପଦ ହରାଇଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁସାରେ,ଗତ ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପରେ ବିଭିନ୍ନ ସ୍ତରରେ ଦଳବଦଳ, ଅନାସ୍ଥା ପ୍ରସ୍ତାବ ଜାରି ରହିଛି । କେଉଁଠି ପ୍ରତିଦ୍ବନ୍ଦ୍ବୀ ବିଜୟ ଲାଭ କରୁଛି ତ କେଉଁଠି ବିଜେପି ଗୋଟି ଚାଳନାରେ ସକ୍ଷମ ହେଉଛି ।ଗତ ୨୦୨୪ ନଭେମ୍ବର ୩୦ ତାରିଖରେ ପାଇଲିପଡା ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକଙ୍କ ବିରୋଧରେ ପଞ୍ଚାୟତର ୱାର୍ଡ ମେମ୍ବର ମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଏବଂ ଭୋଟ ଗ୍ରହଣ ହୋଇଥିଲା । ଏଥିରେ 19 ଜଣ ୱାର୍ଡ ସଭ୍ୟ ସଭ୍ୟା ଓ ସରପଞ୍ଚଙ୍କ ସମେତ ମୋଟ ୨୦ ଜଣ ନିଜର ମତ ସାବ୍ୟସ୍ତ କରିଥିଲେ ।
କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶରେ ତାହା ଗଣତି ନ ହୋଇ ଫଳାଫଳ ଘୋଷଣା ହୋଇପାରିନଥିଲା ଏବଂ ଭୋଟ ବାକ୍ସ କୁ ଭଞ୍ଜନଗର ଟ୍ରେଜେରି ଷ୍ଟ୍ରଙ୍ଗ ରୁମରେ ରହିଥିଲା ।ଫଳରେ ବିଜେପି ତରଫରୁ ଏହାକୁ କୋର୍ଟରେ ଅପିଲ କରାଯାଇଥିଲା । ମାନ୍ୟବର କୋର୍ଟ ଏହି ଅପିଲ ସପକ୍ଷରେ ରାୟ ଦେଇ ଗତ ୨୪ ତାରିଖରେ ଭୋଟ ବାକ୍ସ ଖୋଲାଯାଇ ଗଣତି ଓ ଫଳାଫଳ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୪ ତାରିଖ ଦିନ ବେଲଗୁଣ୍ଠା ତହସିଲଦାର ତଥା ନିର୍ବାଚନ ଅଧିକାରୀ କଳାକୃଷ୍ଣ ପ୍ରଧାନଙ୍କ ଉପସ୍ଥିତିରେ ଦିବା ୧୧ ଟା ରୁ ୧୧.୩୦ ମଧ୍ୟରେ ଭୋଟ ବାକ୍ସ ଖୋଲାଯାଇଥିଲା ।ଏଥିରେ ୧୪ ଜଣ ଅନାସ୍ଥା ସପକ୍ଷରେ ମତଦାନ କରିଥିବା ବେଳେ ୬ ଜଣ ଅନାସ୍ଥା ବିପକ୍ଷରେ ଭୋଟ ଦେଇଥିଲେ । ଫଳରେ ସରପଞ୍ଚ ଥିବା ଜୟରାମ ନାୟକଙ୍କ ସରପଞ୍ଚ ପଦ ରଦ୍ଦ ହୋଇଥିବା ଘୋଷଣା କରାଯାଇଥିଲା । ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରାଯାଇଥିଲା । ଏବଂ ପାଇଲିପଡା ପଞ୍ଚାୟତ ନୁଆଗଡ ଗ୍ରାମର 14 ନମ୍ବର ୱାର୍ଡ଼ ମେମ୍ବର ତଥା ନାଏବ ସରପଞ୍ଚ ସଲିଳା ମହାରଣା ଆଭ୍ୟନ୍ତରୀଣ ସରପଞ୍ଚ ଭାବେ ଦାୟିତ୍ବ ନିର୍ବାହ କରିବା ନେଇ ଜିଲ୍ଲାପାଳଙ୍କ ଚିଠି ନମ୍ବର ୨୬୨ ପ୍ରକାରେ ନିର୍ଦ୍ଦେଶ ଦେଇଛନ୍ତି । ଗାଙ୍ଗପୁର ଥାନା ଅଧିକାରି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲା l ଏ ନେଇ ବିଜେପି କର୍ମୀ ଓ ନେତୃଵର୍ଗ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଜେଡି ଶିବିରରେ ନୈରାଶ୍ୟ ଦେଖାଦେଇଛି ।

0
0
0
s2sdefault