ହେଡଲାଇନସ୍:

ସ୍ଵରିତ ଉପାଧ୍ୟାୟଙ୍କୁ ଆନ୍ତର୍ଜ୍ୟାତିକ “ଗ୍ଲୋବାଲ କିଡ୍ସ ଆଚିଭର ଆୱାର୍ଡ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • ବିଶ୍ଵବ୍ୟାପୀ ଏଗାର ହଜାରରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଜୟୀ ହେଲେ ସ୍ଵରିତ

  • • ଅଭିନବ ବିଜ୍ଞାନ ପ୍ରକଳ୍ପ “ସାର୍କୁଲାର ବାୟୋ ଇକୋନୋମି” ପାଇଁ ହାସଲ କଲେ ଏହି ସଫଳତା


ସୁନ୍ଦରଗଡ : ସୁନ୍ଦରଗଡ ମାଟିର ଗର୍ବ ଓ ଗୌରବ ସ୍ଵରିତ ଉପାଧ୍ୟାୟ। କମ ବୟସରୁ ହାସଲ କରୁଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା। ସ୍ଵରିତଙ୍କ ଉଲ୍ଲେଖନୀୟ ଉପଲବ୍ଧି କେବଳ ଜିଲ୍ଲା ବା ରାଜ୍ୟ ସ୍ତରରେ ନୁହେଁ ବରଂ ଆନ୍ତର୍ଜ୍ୟାତୀୟ ସ୍ତରରେ ମଧ୍ୟ ସୁନାମ ଅର୍ଜନ କରିଛି। ହଁ ଆଜ୍ଞା, ଆମେ କଥା ହେଉଛୁ ସୁନ୍ଦରଗଡ ଜିଲ୍ଲା ଲେଫ୍ରିପରା ବ୍ଲକ ଅନ୍ତର୍ଗତ ଝୁରିମାଲ ଗାଁର ୧୩ ବର୍ଷ ବୟସର ଛାତ୍ର ସ୍ଵରିତ ଉପାଧ୍ୟାୟଙ୍କ। ରିଭରଷ୍ଟୋନ ଇଣ୍ଟରନ୍ୟାସନାଳ ସ୍କୁଲର ପ୍ରତିଭାବାନ ଛାତ୍ର ସ୍ଵରିତ ହାସଲ କରିଛନ୍ତି ଆଉ ଏକ ଉଲ୍ଲେଖନୀୟ ସଫଳତା। ଆନ୍ତର୍ଜ୍ୟାତିକ ଫୋରମ “ଡ୍ରିମ କେଚର ଇଣ୍ଟରନ୍ୟାସନାଳ ଗ୍ରୁପ” ଦ୍ଵାରା ଆୟୋଜିତ “କିଡ୍ସ ଆଚିଭର କଣ୍ଟେଷ୍ଟ” ରେ ଶିକ୍ଷା ବିଭାଗର ପ୍ରତିଯୋଗିତାରେ ବିଜୟୀ ହୋଇ ନିଜ ସ୍କୁଲ, ଗାଁ, ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ସୁନ୍ଦରଗଡ ମାଟିର ସୁନାପୁଅ “ସ୍ଵରିତ”। ନିଜର ଅଭିନବ ବିଜ୍ଞାନ ପ୍ରକଳ୍ପ “ସାର୍କୁଲାର ବାୟୋ ଇକୋନୋମି” ର ବଳିଷ୍ଠ ଉପସ୍ଥାପନା ଦ୍ଵାରା ବିଚାରକ ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ରିଭରଷ୍ଟୋନ ଇଣ୍ଟରନ୍ୟାସନାଳ ସ୍କୁଲର ଏହି ଛାତ୍ର ସ୍ଵରିତ । ବିଶ୍ଵର କୋଣ ଅନୁକୋଣରୁ ୧୧ ହଜାରରୁ ଉର୍ଦ୍ଧ ଛାତ୍ର ଏହି ଲାଇଭ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ନିଜର “ସାର୍କୁଲାର ବାୟୋ ଇକୋନୋମି” ପ୍ରକଳ୍ପର ବିସ୍ତୃତ ଉପସ୍ଥାପନ, ବିଚାରକ ମଣ୍ଡଳୀଙ୍କ ପ୍ରଶ୍ନର ସଠିକ ଉତ୍ତର ତଥା ନିଜର ବକ୍ତୃତା ଶୈଳୀ ଯୋଗୁଁ ବିଜୟୀ ହେବାର ଗୌରବ ହାସଲ କରିଛନ୍ତି ସ୍ଵରିତ ଉପାଧ୍ୟାୟ। ପୂର୍ବରୁ ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ ବକ୍ତୃତା, ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ସ୍ଵରିତ ଗତବର୍ଷ ମର୍ଯ୍ୟାଦାଜନକ “ଇଣ୍ଡିଆ ବୁକ ଅଫ ରେକର୍ଡ” ରେ ଆଚିବାର ହେବାର ଗୌରବ ମଧ୍ୟ ହାସଲ କରିଛନ୍ତି। ଝୁରିମାଲ ଗ୍ରାମର ଦିଗାମ୍ବର ଉପାଧ୍ୟାୟ ଓ ଅନୁପମା ଉପାଧ୍ୟାୟଙ୍କ ଏକମାତ୍ର ପୁଅ ସ୍ଵରିତ ବିଗତ ପାଞ୍ଚ ବର୍ଷ ଧରି ନିରନ୍ତର ଭାବରେ ବିଭିନ୍ନ ଅନଲାଇନ ଓ ଅଫଲାଇନ ପ୍ରଶ୍ନୋତ୍ତରୀ, ବକ୍ତୃତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତା ସଙ୍ଗେ ସଙ୍ଗେ ବିଭିନ୍ନ ଅଭିନବ ପ୍ରକଳ୍ପର ସଫଳ ଉପସ୍ଥାପନ କରି ସମସ୍ତଙ୍କୁ ଗୌରବାନ୍ଵିତ କରିଆସୁଛନ୍ତି । ଜଙ୍ଗଲ, ପରିବେଶ ଓ ବନ୍ୟଜନ୍ତୁ ପାଇଁ ଅହେତୁକ ରୁଚି ରଖୁଥିବା ସ୍ଵରିତ ଅତି କମ ବୟସରୁ ବୃକ୍ଷରୋପଣ ପ୍ରତି ଆଗ୍ରହୀ ଥିବା ବେଳେ ଚଳିତ ବର୍ଷ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆୟୋଜିତ ୨ ଟି କ୍ଵିଜ ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ପ୍ରଥମ ଓ ତୃତୀୟ ତଥା ଜାତୀୟ ସ୍ତରର ୨ ଟି କ୍ଵିଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସୁନ୍ଦରଗଡ ମାଟି ପାଇଁ ଅନେକ ସମ୍ମାନ ଓ ଗୌରବ ଆଣିଛନ୍ତି ୧୩ ବର୍ଷର ସ୍ଵରିତ ଉପାଧ୍ୟାୟ। ଆଜି ସ୍ଵରିତଙ୍କ ଏହି ବିରଳ ସଫଳତା ନିମନ୍ତେ ସମ୍ବର୍ଦ୍ଧିତ କରିବା ନିମନ୍ତେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେଲୋକିଡ୍ସ ଓ ରିଭରଷ୍ଟୋନ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂହ ସ୍ଵରିତଙ୍କୁ ସମ୍ବର୍ଦ୍ଧିତ କରି ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାରଙ୍ଗଧର ବରିହା କହିଥିଲେ ଯେ ତୁଲସୀ ଦୁଇପତ୍ରରୁ ବାସିଲା ପରି ସ୍ଵରିତଙ୍କ ପ୍ରତିଭା ଛୋଟ ବୟସରୁ ବିକଶିତ ହେଉଛି। ସ୍ଵରିତଙ୍କ ଏହି ସଫଳତା ସମଗ୍ର ଜିଲ୍ଲାର ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବ, ଏଣୁ ପାଠ୍ୟ ପୁସ୍ତକ ଯୁକ୍ତ ଶିକ୍ଷା ସଙ୍ଗେ ସଙ୍ଗେ ଅତିରକ୍ତ ପାଠ୍ୟକ୍ରମ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ରିଭରଷ୍ଟୋନ ସ୍କୁଲର ନିର୍ଦ୍ଦେଶକ ରୋସନ ପଟେଲ ସ୍କୁଲ ଜୀବନରୁ ଆମେ ନିଜକୁ ଯେଉଁ ଛାଞ୍ଚରେ ଢାଳିବା ଆମର ଭବିଷ୍ୟତ ଅବୟବ ସେହିପରି ହେବ, ଏହାର ପ୍ରକୃତ ଦୃଷ୍ଟାନ୍ତ ହେଉଛନ୍ତି ସ୍ଵରିତ ଉପାଧ୍ୟାୟ। ହେଲୋକିଡ୍ସର ନିର୍ଦ୍ଦେଶିକା ରଶ୍ମିତା ପଟେଲଙ୍କ ଉପସ୍ଥିତିରେ ସ୍ଵାଗତ ଅଭିଭାଷଣ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରତିଭା ନାଏକ ଦେଇଥିବା ବେଳେ ମଞ୍ଚ ପରିଚାଳନା ବେଦବ୍ୟାସ ଧୃଆ କରିଥିଲେ। ସ୍ଵରିତଙ୍କ ଏହି ସଫଳତା ନିମନ୍ତେ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।

0
0
0
s2sdefault