-
• ଯାତ୍ରୀଙ୍କ ପାଇଁ ଗୁଣାତ୍ମକ ବିଜୁଳି ସେବା
-
• ସୁରକ୍ଷିତ ଭରସାଯୋଗ୍ୟ ବିଜୁଳି ଯୋଗାଣ ଉପରେ ଗୁରୁତ୍ବ
-
• ୭୮ ଟି ନୂଆ ବିଦ୍ୟୁତ ଖୁଣ୍ଟ ଏବଂ ୮,୧୯୦ ମିଟର ଇନସୁଲେଟେଡ୍ କଣ୍ଡକ୍ଟର ସ୍ଥାପନ
-
• ପ୍ରକଳ୍ପ ମୂଲ୍ୟ ୭୭ ଲକ୍ଷ ଟଙ୍କାରୁ ଅଧିକ
ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ତାରା ତାରିଣୀ ମନ୍ଦିରର ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଛି। ଯାହା ଫଳରେ ପ୍ରାୟ ୫୦୦ ମିଟର ଉଚ୍ଚତାରେ ପାହାଡ଼ ଶିଖରରେ ଥିବା ତାରା ତାରିଣୀ ମନ୍ଦିରକୁ ସୁରକ୍ଷିତ ଏବଂ ଭରସାଯୋଗ୍ୟ ବିଜୁଳି ଯୋଗାଣ ହୋଇପାରିବ। ସ୍ଥାନୀୟ ଲୋକେ ମଧ୍ୟ ଏହା ଦ୍ଵାରା ଉପକୃତ ହେବେ। ଆଗାମୀ ଚୈତ୍ର ମେଳା ସମୟରେ ତାରା ତାରିଣୀ ମନ୍ଦିରରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରବଳ ଜନସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ମନ୍ଦିର ପରିସରକୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଦକ୍ଷିଣ ଓଡ଼ିଶାର ଲୋକଙ୍କ ପାଇଁ ତାରା ତାରିଣୀ ଏକ ପ୍ରମୁଖ ଦେବୀ ମନ୍ଦିର। ଭାରତରେ ଥିବା ପ୍ରମୁଖ ଶକ୍ତିପୀଠମାନଙ୍କ ମଧ୍ୟରେ ଅନ୍ୟତମ ତାରା ତାରିଣୀ ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ। ଏଠାରେ ପ୍ରତିବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ ଆୟୋଜିତ ହେଉଥିବା ଚୈତ୍ର ମେଳାକୁ ମାଆ ତାରା ତାରିଣୀଙ୍କ ଆଶୀର୍ବାଦ ନେବା ପାଇଁ ଅଧିକ ସଂଖ୍ୟାରେ ଲୋକେ ଆସନ୍ତି। ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ବୃଦ୍ଧିକୁ ଲକ୍ଷ୍ୟ କରି ସ୍ଥାନୀୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ପାହାଡ଼ ପାଦ ଦେଶରୁ ଶିଖରରେ ଥିବା ମନ୍ଦିର ଯାଏଁ ସଂଯୋଗ ହୋଇଥିବା ସମ୍ପୂର୍ଣ୍ଣ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଛି, ଯାହା ଦ୍ୱାରା ସୁରକ୍ଷିତ ଓ ଗୁଣାତ୍ମକ ବିଜୁଳି ଯୋଗାଣ ହୋଇପାରିବ।
ଟିପିଏସ୍ଓଡିଏଲ୍ ପକ୍ଷରୁ ପାହାଡ଼ ପାଦଦେଶରୁ ମନ୍ଦିର ଯାଏଁ ପ୍ରାୟ ୩ କିମି ବ୍ୟାପ୍ତ ବିଦ୍ୟୁତ ଭିତ୍ତିଭୂମିର ରୂପାନ୍ତରଣ କରାଯାଇଛି। ଗୁଣାତ୍ମକ ବିଜୁଳି ଯୋଗାଇବା ପାଇଁ ନୂତନ ଭାବେ ନିର୍ମିତ ଭିତ୍ତିଭୂମିରେ ୭୮ ଟି ନୂଆ ବିଦ୍ୟୁତ ଖୁଣ୍ଟ, ୮,୧୯୦ ମିଟର ପରିବ୍ୟାପ୍ତ ଇନସୁଲେଟେଡ୍ କଣ୍ଡକ୍ଟର, ଆଧୁନିକ ଉପକରଣ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପର ବ୍ୟୟ ଅଟକଳ ୭୭ ଲକ୍ଷ ଟଙ୍କାରୁ ଅଧିକ ରହିଛି।
ପୂର୍ବରୁ ବିଦ୍ୟୁତ ଖୁଣ୍ଟଗୁଡ଼ିକ ୫୦-୭୦ ମିଟର ବ୍ୟବଧାନରେ ଥିଲା ଏବଂ ପୁଙ୍ଗୁଳା କଣ୍ଡକ୍ଟର ଥିବା ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଙ୍କଡ଼ ଓ ପକ୍ଷୀଙ୍କ ମୃତ୍ୟୁ ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ଟିପିଏସ୍ଓଡିଏଲ୍ ୧୧ କେଭି ଫିଡରକୁ ଡି-ଏନର୍ଜାଇଜ୍ କରିବା ସହ ଅସ୍ଥାୟୀ ଭାବେ ପାହାଚ ମାର୍ଗ ଦେଇ ମନ୍ଦିରକୁ ବିଦ୍ୟୁତ ଯୋଗାଣ କରିଥିଲା। ବର୍ତ୍ତମାନ ଉନ୍ନତିକରଣ କାର୍ଯ୍ୟ ପରେ ପୋଲ ଗୁଡ଼ିକ ମଧ୍ୟରେ ବ୍ୟବଧାନ
୩୦ ରୁ ୪୦ ମିଟରକୁ ହ୍ରାସ ହେବା ସହ ସୁରକ୍ଷା ପାଇଁ ଇନସୁଲେଟେଡ୍ କଣ୍ଡକ୍ଟର ସ୍ଥାପନ କରାଯାଇଛି। ଅତ୍ୟଧିକ ସୁରକ୍ଷା ପାଇଁ ମନ୍ଦିର ପ୍ରବେଶ ଦ୍ଵାରରେ ଏକ ଏୟାର ବ୍ରେକ(ଏବି) ସୁଇଚ୍ ସ୍ଥାପନ କରାଯାଇଛି, ଯାହା ଫଳରେ ଜରୁରୀକାଳୀନ ସ୍ଥିତିରେ ତୁରନ୍ତ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରାଯାଇପାରିବ।
ଏହାସହ ତାରା ତାରିଣୀ ଛକରୁ ପ୍ରବେଶ ଦ୍ଵାର ଯାଏଁ ଲମ୍ବିଥିବା ରାସ୍ତାର ପ୍ରଶସ୍ତିକରଣ ସମୟରେ ୪୦ ଟି ନୂତନ ୧୧ କେଭି ବିଦ୍ୟୁତ ଖୁଣ୍ଟ ଏବଂ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ସ୍ଥାପନ ହୋଇଛି। ଯାହା ଦ୍ଵାରା ସ୍ଥାନୀୟ ଅଞ୍ଚଳର ଉପଭୋକ୍ତା ସ୍ଥାୟୀ ଏବଂ ଭରସାଯୋଗ୍ୟ ବିଜୁଳି ସେବା ପାଇବେ। ସେହିଭଳି, ମନ୍ଦିରକୁ ସଂଯୋଗ ହୋଇଥିବା ରୋପ-ୱେ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କାର୍ଯ୍ୟ ଟିପିଏସ୍ଓଡିଏଲ୍ କରୁଅଛି।
ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ତାରା ତାରିଣୀ ମନ୍ଦିରରେ ସୁଦୃଢ଼ ଓ ସୁରକ୍ଷିତ ବିଦ୍ୟୁତ ଭିତ୍ତିଭୂମି ଯୋଗୁଁ ଏଠାକୁ ଆସୁଥିବା ଲୋକେ ଉନ୍ନତ ସେବା ପାଇବେ ଏବଂ ଏହା ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଦିନକୁ ଦିନ ତାରା ତାରିଣୀକୁ ଆସୁଥିବା ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ, ନୂତନ ବିଦ୍ୟୁତ ଭିତ୍ତିଭୂମି ସ୍ଥାନୀୟ ବ୍ୟବସାୟର ଉନ୍ନତିରେ ସହାୟକ ହେବ।
ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ତାରା ତାରିଣୀ ମନ୍ଦିର ହେଉଛି ଓଡ଼ିଶା ତଥା ରାଜ୍ୟ ବାହାରର ଲୋକଙ୍କ ଭକ୍ତି ଓ ବିଶ୍ୱାସର କେନ୍ଦ୍ର। ସ୍ଥାନୀୟ ଅଞ୍ଚଳରେ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରିବା ଦିଗରେ ଆମର ପ୍ରତିବଦ୍ଧତାର ଫଳସ୍ୱରୂପ ମନ୍ଦିର ନିକଟରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଛି। ଏହା ଗୁଣାତ୍ମକ ସେବା ଯୋଗାଇବା ଦିଗରେ ଆମର ମିଶନକୁ ଦର୍ଶାଏ। ଆମେ ଆଶାବାଦୀ ଯେ ଏହି ପଦକ୍ଷେପ ଯୋଗୁଁ ତାରା ତାରିଣୀ ମନ୍ଦିର ପରିଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ଉପଭୋକ୍ତା ଉନ୍ନତ ମାନର ବିଜୁଳି ସେବା ପାଇବେ।"