ଓଡ଼ଗାଁ, ୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପୀଠ ଓଡ଼ଗାଁରେ ବିରାଜିତ ଶ୍ରୀରଘୁନାଥ ଜିଉଙ୍କ ଆସ୍ଥାନ । ଓଡ଼ଗାଁର ପଶ୍ଚିମରେ ପଞ୍ଚୁପାଣ୍ଡବ ପାହାଡ଼ ଦକ୍ଷିଣରେ ଗୟଳସିଂ ସଂରକ୍ଷିତ ଜଙ୍ଗଲ, ବୁଢ଼ାବୁଢିଆଣୀ ଜଳ ଭଣ୍ଡାର, ବରକନ୍ୟା ଝରଣା ଏବଂ ଭାଲୁ ମୁଣ୍ଡିଆ ସହିତ ଉତ୍ତରରେ ଶୂଳିଆ ପାହାଡ଼ର ଗୋଟିଏ ପାର୍ଶ୍ବରେ ଦୁତୀକେଶ୍ବର ଏବଂ ଅନ୍ୟ ପାର୍ଶ୍ବରେ ଲଡ଼ୁବାବା ମହାଦେବଙ୍କ ମନ୍ଦିର ଏବଂ ମଧ୍ୟରେ ବିରାଜିତ ମା' ବୈଷ୍ଣୋଦେବୀଙ୍କ ଶକ୍ତିପୀଠ ପ୍ରାକୃତିକ ବୈଭବର ପୃଷ୍ଠଭୂମି ସଂସ୍କୃତି ଓ ପରମ୍ପରାର ବାର୍ତ୍ତା ବହନ କରୁଥିବା ଓଡ଼ଗାଁ ମହୋତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି । ବିଭୁପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ମହୋତ୍ସବ ମଞ୍ଚରେ ଓଡ଼ଗାଁ ମହୋତ୍ସବ କମିଟି ସଭାପତି ତଥା ଆୟୋଜକ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ଯୋଗଦେଇଥିବା ବେଳେ ଆରମ୍ଭ ହେବା ଠାରୁ ଦୀର୍ଘ ୧୩ ବର୍ଷ ଧରି ଓଡ଼ଗାଁ ମହୋତ୍ସବର ଇତିହାସକୁ ମନେପକାଇ ଥିଲେ ବିଧାୟକ ଶ୍ରୀ ସାହୁ ।
ଖଣିଜ ସମ୍ପଦ ବିହିନ ନୟାଗଡ଼ ଜିଲ୍ଲା ଆଜି ଏକ ପର୍ଯ୍ୟଟନ ଶିଳ୍ପ କେନ୍ଦ୍ର ଭାବରେ ଉଭା ହୋଇ ପାରିଛି । ଓଡ଼ିଶାରେ ନୟାଗଡ଼ ଯେପରି ଏକ ପର୍ଯ୍ୟଟନ ସ୍ଥଳୀର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ନୟାଗଡ଼ ସମଗ୍ର ରାଜ୍ୟର ସବୁ କ୍ଷେତ୍ରରେ ସର୍ବାଗ୍ରେ ରହିବ । ଭାପୁର ଫତେଗଡ ରାମ ମନ୍ଦିର, ନୀଳମାଧବ, ମହାନଦୀ ଅବବାହିକାରେ ଥିବା ବଡମୂଳ ସ୍ୟାଣ୍ଡ ରିସୋର୍ଟ ବିଶେଷ କରି ନୟାଗଡ଼ର ବଲାଙ୍ଗିପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ନେଇ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବଂ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଦ୍ବାରା ପରିବେଷିତ ନୃତ୍ୟାଭିନୟ ପାଇଁ କଳାକାର ମାନଙ୍କୁ ପ୍ରଶଂସା କରିଥିଲେ । ଏବଂ ସାମ୍ବାଦିକ ମାନଙ୍କ ସହିତ ମହୋତ୍ସବକୁ ବିଭିନ୍ନ ସ୍ତରରୁ ସହଯୋଗ କରିଥିବା ସହଯୋଗୀ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ତଥା ମହୋତ୍ସବ କମିଟି ସମ୍ପାଦକ ଲୋକନାଥ ସାହୁଙ୍କ ଦ୍ବାରା ପରିଚାଳିତ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଭାବଗ୍ରାହୀ ମହାପାତ୍ର, ଦିପ୍ତି ମୋହନ ନାୟକ, ବିଭୂତି ପ୍ରଧାନ, କୀର୍ତ୍ତି ଅର୍ଜିତାଙ୍କ ଉପସ୍ଥାପନା ଏବଂ ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶଙ୍କ ମଞ୍ଚ ପରିଚାଳନା ସହିତ ଅନ୍ୟମାନଙ୍କ ସହଯୋଗ ମହୋତ୍ସବକୁ ଅଧିକ ଉତ୍କର୍ଷ ହୋଇପାରିଥିଲା।
ମହୋତ୍ସବ ପ୍ରଥମ ଦିବସରୁ ଛାତ୍ରଛାତ୍ରୀଙ୍କ ଦ୍ବାରା ବରିଷ୍ଠ ଓ କନିଷ୍ଠ ବିଭାଗରେ ନୃତ୍ୟାଭିନୟ କରିଥିବା ଦଳମାନଙ୍କ ମଧ୍ୟରୁ କନିଷ୍ଠ ବିଭାଗରେ ସରକାରୀ ଉପ୍ରା ବିଦ୍ୟାଳୟ ମସାବାରୀ ପ୍ରଥମ, ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଦେଓଗାଁ ଭାଲିଆଡିହି ଦ୍ବିତୀୟ ଏବଂ ଓମ୍ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବରିଷ୍ଠ ତଥା ନୃତ୍ୟାନୁଷ୍ଠାନ ମାନଙ୍କ ମଧ୍ୟରୁ ସରସ୍ବତୀ ଡ୍ୟାନ୍ସଗୃପ ପ୍ରଥମ, ଅଷ୍ଟପଦୀ ନୃତ୍ୟ ମନ୍ଦିର ଦ୍ବିତୀୟ ଏବଂ ଏକଲବ୍ୟ ଡ୍ୟାନ୍ସ ଏକାଡେ଼ମୀ ତୃତୀୟ ସ୍ଥାନ ଅଧିକାର କରି ଓଡ଼ଗାଁ ମହୋତ୍ସବ ନୃତ୍ୟ ଶ୍ରୀ ସମ୍ନାନରେ ଅତିଥିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଆଜିର ଅନ୍ତିମ ପର୍ଯ୍ୟାୟରେ ଗୀତ୍ ମିଲନ ମେଲୋଡିର ତାଳେତାଳେ ଇରାମହାନ୍ତିଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ ।