କଣାସରେ ଡାଇରିଆରେ ଚାରି ମୃତ୍ୟୁ ଘଟଣା
ଚିଲିକାର ଜୈବ ବିବିଧତା ବିପଦରେ
ନୂଆ ସରକାର ଆସିବା ପରେ ପାନୀୟ ଜଳ ପ୍ରକଳ୍ପ କାମ ବନ୍ଦ
ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସୁବିଧା ଓ ପାନୀୟ ଜଳ ତୁରନ୍ତ ପ୍ରଦାନ କରାଯାଉ
ଭୁବନେଶ୍ୱର, ୨୨/୦୧/୨୦୨୫:ପୁରୀ ଜିଲ୍ଲାର କଣାସ ବ୍ଲକରେ ଡାଇରିଆରେ ୪ ଜଣଙ୍କ ମୃତୁ୍ୟ ଓ ଶତାଧିକ ଆକ୍ରାନ୍ତ ଘଟଣାରେ ପ୍ରଦୂଷିତ ପାନୀୟ ଜଳ ମୁଖ୍ୟ କାରଣ ହୋଇଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ, ବର୍ଜ୍ୟ ଜଳ ମିଶି ୫ଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ହ୍ରଦର ଜଳ ମଧ୍ୟ ପ୍ରଦୂଷିତ ହେଉଛି ବୋଲି ଅଭିଯୋଗ କରିଛନ୍ତି । ପ୍ରଦୂଷିତ ଜଳ ମିଶିବା କାରଣରୁ ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବା ସହିତ ଚିଲିକା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ, ଚିଲିକାର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଡଲଫିନ ଓ ବିଦେଶାଗତ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି ହୋଇଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଥିଲେ, ଭୁବନେଶ୍ୱର ଉପକଣ୍ଠରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସ୍ଥଳରୁ ବର୍ଜ୍ୟ ଜଳ ଗଙ୍ଗୁଆ ନଦୀରେ ମିଶୁଛି । ଗଙ୍ଗୁଆର ପ୍ରଦୂଷିତ ଜଳ ପରେ ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା ଓ ଲୁଣା ନଦୀରେ ମିଶୁଛି । ଏହି ନଦୀର ଜଳ ଶେଷରେ ଚିଲିକାରେ ମିଶୁଥିବାରୁ, ଚିଲିକାର ଜଳ ପ୍ରଦୂଷିତ ହେଉଛି । ଗତକାଲି ଏ ସମଗ୍ର ଅଞ୍ଚଳ ଗସ୍ତ କରି ଜଳ ପ୍ରଦୂଷଣ ହୋଇ ଚିଲିକାକୁ କିପରି ପ୍ରଭାଭିତ କରୁଛି ତାର ଭିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରଦର୍ଷିତ କରିଥିଲେ ।
ଶ୍ରୀ ଦାସବର୍ମା କହିଥିଲେ, ସମ୍ପ୍ରତି ଦୟା ନଦୀର ପ୍ରଦୂଷିତ ଜଳକୁ ପିଇବା ଦ୍ୱାରା କଣାସ ଅଞ୍ଚଳରେ ଡାଇରିଆ ବ୍ୟାପିଛି, ଯେଉଁଥିରେ ୪ ଜଣଙ୍କ ମୃତୁ୍ୟ ଘଟିଛି, ଦୁଇ ଜଣ ସଙ୍କଟାନ୍ନ ସ୍ଥିତିରେ ଅଛନ୍ତି ଓ ୨୫୦ ଲୋକ ଆକ୍ରାନ୍ତ ହୋଇଛନ୍ତି । ଦୁଃଖ ଓ ରିତାପର ବିଷୟ, ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ଘଟଣାକୁ ୧୦ ଦିନ ବିତିଯିବା ପରେ ଗତକାଲି ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାକୁ ତୁରନ୍ତ ଏକ ବିଶେଷ ମେଡିକାଲ ଟିମ୍ ପଠାଇବା ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେ ନିଅନ୍ତୁ । ସେହିପରି ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା ସୁବିଧା କରାଯାଉ ବୋଲି ସେ କହିଥିଲେ । ତାଛଡା ଦୟା, ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା, ଲୁଣା ଓ ମଙ୍ଗଳା ନଦୀରେ ସୃଷ୍ଟି ହୋଇଥିବା ପ୍ରଦୂଷଣକୁ କିଭଳି ରୋକା ଯାଇପାରିବ, ସେଥିପାଇଁ ତୁରନ୍ତ ଅନୁଧ୍ୟାନ କରାଯାଉ ।
ଚିଲିକାର ଜଳ ୍ରଦୂଷିତ ହୋଇ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଉପୁଜି ଥିବାରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏହାର ତୁରନ୍ତ ସମୀକ୍ଷା କରି ଉଯୁକ୍ତ ଦକ୍ଷେ ନିଅନ୍ତୁ ବୋଲି ମୋର ନିବେଦନ ଓ ଦାବି ବୋଲି ଶ୍ରୀ ଦାସବର୍ମା କହିଥିଲେ । ଚିଲିକାକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ଗୋଟିଏ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ରାଜ୍ୟର ଜଳସମ୍ପଦ ବିଭାଗ, ନଗର ଉନ୍ନୟନ ବିଭାଗ ଓ ଜଙ୍ଗଲ ପରିବେଶ ବିଭାଗକୁ ସମ୍ମିଳିତ କରି ଏକ ଦୀର୍ଘସୁତ୍ରୀ କାର୍ଯ୍ୟକ୍ରମ ସ୍ଥିର କରାଯାଉ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଜଙ୍ଗଲ ପରିବେଶ ବିଭାଗ ଚିଲିକାର ପର୍ଯ୍ୟାବରଣର ସୁରକ୍ଷା ସହିତ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ, ଇକୋ ସେନସିଟିଭ ଏରୱାରଡ଼ି ଡଲଫିନର ସୁରକ୍ଷା, ମତ୍ସ୍ୟ ସମ୍ପଦର ସୁରକ୍ଷା, ଚିଲିକାର ପରିବେଶ ସନ୍ତୁଳନ ସମ୍ପର୍କରେ ଗୁରୁତର ସହିତ ଏକ ଟାସ୍କଫୋର୍ସ ଗଠନ କରି ଏ ଦିଗରେ ପଦକ୍ଷେ ନିଅନ୍ତୁ ।
ଶ୍ରୀ ଦାସବର୍ମା କହିଥିଲେ,ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାଇ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଯାଇଥିଲେ ମଧ୍ୟ ନୂଆ ସରକାର ଆସିବା ପରେ ଏହି କାମ ଗୁଡିକ ବନ୍ଦ ରହିଛି । ଏହି କାମ ଗୁଡିକୁ ତୁରନ୍ତ ଆରମ୍ଭ କରି ପାଇ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଉ ବୋଲି ସେ କହିଥିଲେ ।
ସେହିପରି ପୁର୍ବତନ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ କହିଥିଲେ, ପିପିଲି, ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଥିବା ୧୫ଟି ପଞ୍ଚାୟତ ଦୟା ନଦୀ ଉପରେ ନିର୍ଭର କରନ୍ତି । ଦୁଃଖର ବିଷୟ ଗଙ୍ଗୁଆ ନଦୀ ବର୍ତ୍ତମାନ ଗଙ୍ଗୁଆ ନାଳରେ ପରିଣତ ହୋଇଛି । ଗଙ୍ଗୁଆର ପ୍ରଦୂଷିତ ଜଳ ଦୟା ଓ ଅନ୍ୟ ନଦୀ ଗୁଡିକୁ ପ୍ରଦୂଷିତ କରୁଛି । ଅପରପକ୍ଷରେ ପାନୀୟ ଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିଲେ ହେଁ ନୂଆ ସରକାର ଆସିବା ପରେ କାମ ବନ୍ଦ ରହିଛି । ଲୋକଙ୍କ ସମସ୍ୟା ପ୍ରତି ନୂଆ ସରକାର ଉଦାସୀନ ରହିଛନ୍ତି ।
"ମୋ ସଂସାର ଉଚ୍ଛନ୍ନ ହେଇଯାଇଛି ,ମୋତେ ସାହାଯ୍ୟ କରନ୍ତୁ ମୁଖ୍ୟମନ୍ତ୍ରୀ।"
ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ ପତ୍ର ଦେଲେ କେନ୍ଦୁଝରର ଗରିବ ଜଳଖିଆ ଦୋକାନୀ
ଘର ପୋଡ଼ିକୁ ୫ଦିନ ବିତିଲେ ମଧ୍ୟ ସରକାରୀ ସାହାଯ୍ୟ ଅପହଞ୍ଚ। କେନ୍ଦୁଝର,ତା୨୧/୧- କଥାରେ ଅଛି ଘର ପୋଡ଼ି ଠାରୁ ବିପତ୍ତି ନାହିଁ। ଏହିପରି ଘର ପୋଡ଼ିର ସମ୍ମୁଖୀନ ହୋଇ କେନ୍ଦୁଝର ବଡଦାଣ୍ଡର ଜଣେ ଗରିବ ଜଳଖିଆ ଦୋକାନୀ ଏବେ ବାର ଦ୍ଵାର ତେର ପିଣ୍ଡା ହେଉଛନ୍ତି। ନେତା ଓ ପ୍ରଶାସନ ଅଧିକାରୀମାନେ ତା୧୬/୧/୨୫ଦିନ ସନ୍ଧ୍ୟାରେ ଘର ପୋଡ଼ି ଦେଖିବାକୁ ଯାଇ ହରେକ୍ ରକମର ପ୍ରତିଶ୍ରୁତି ଦେଇଥିଲେ ଯାହା ଏବେ ପାଣିରେ ଗାର ହୋଇଛି। ବିଚରା ଗଣେଶ୍ୱରଙ୍କ ଘରଦ୍ୱାର ନାହିଁ ସବୁ ଜଳି ପୋଡ଼ି ଛାରଖାର ମେଲା। ପାଖ ପଡିଶା କିଛି ସାହାଯ୍ୟ କରୁଛନ୍ତି ସେଥିରେ କଷ୍ଟେମଷ୍ଟେ ଚଳୁଛନ୍ତି ପିନ୍ଧିବାକୁ ପୋଷାକ ନାହିଁ। ଏହିପରି ଦୁର୍ଘଟଣାର ଶିକାର ହୋଇ ଗଣେଶ୍ୱର ମହାରଣା ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଅଧିକାରୀଙ୍କୁ ଖୋଜୁ ଥିଲେ। ଯଦି ସାହାଯ୍ୟ ଦେବାର ଅଛି ତତ୍କାଳ ଦେଲେ ଶୀତ ଦିନେ ପରିବାର ଟିକେ ଚଳି ପାରନ୍ତେ ତେବେ ସେ ସବୁ ଆଡ଼ୁ ହତାଶ ହେଉଛନ୍ତି। କିଛି ବ୍ୟକ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାହାଯ୍ୟ ନିବେଦନ ଲାଗି କହିବାରୁ ସେ ଆଜି ଏକ ଦରଖାସ୍ତ ଦେଇଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି "ସେ ରାଜରାଜୁଡ଼ା ସମୟରୁ କେନ୍ଦୁଝରରେ ମନ୍ଦିର ଗଢ଼ିବାକୁ ଆସି ତାଙ୍କ ପରିବାର ମନ୍ଦିର ସାମ୍ନାରେ ରହିଥିଲେ । ଛୋଟ ଜଳଖିଆ ଦୋକାନରୁ ସୀମିତ ରୋଜଗାର ଲାଗି ଚାଲିବା କଷ୍ଟକର ତେଣୁ ସେ କିଛି ଲୋନ କରିଥିଲେ। ଏବେ କେନ୍ଦୁଝର ସଦର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ତାଙ୍କର ଏହି ଦୁର୍ଦ୍ଦିନ ବେଳେ ସହାୟତା ଯୋଗାଇ ତାଙ୍କୁ ବୁଦ୍ଧି ଦେବାକୁ ବିନମ୍ର ନିବେଦନ କରିଛନ୍ତି।