ହେଡଲାଇନସ୍:

ନଡ଼ିଆ ଭାଙ୍ଗି ମଣ୍ଡି ଶୁଭାରମ୍ଭ କଲେ ବାଚସ୍ପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସକ ସମବାୟ ସମିତି ଓ ମିଲରଙ୍କ ମଧ୍ୟରେ ଚାଲିଛି ଟଣା ଓଟରା, କିଣା ଯାଇନାହିଁ ଏକ କିଲୋଗ୍ରାମ ଧାନ,

ଓଡ଼ଗାଁ,୧୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଧାନ ବସ୍ତାଟିଏ ରଖି ନଡ଼ିଆ ଭାଙ୍ଗି ନାମକୁ ମାତ୍ର ମଣ୍ଡି ଶୁଭାରମ୍ଭ କାର୍ଯ୍ୟ ହେଉଛି। ହେଲେ ଧାନ ସଂଗ୍ରହକୁ ନେଇ ପ୍ରଶାସକ, ସମବାୟ ସମିତି ଓ ମିଲରଙ୍କ ମଧ୍ୟରେ ଟଣା ଓଟରା ଚାଲିଥିବାରୁ କିଣା ଯାଇପାରୁ ନାହିଁ ଏକ କିଲୋଗ୍ରାମ ଧାନ। ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ଉଠାଉଛନ୍ତି । ନିରୁପାୟ ଚାଷୀ ଅଳ୍ପ ମୂଲ୍ୟରେ ଧାନ ବିକ୍ରୀ କରୁଛି।ସମୟ କାହାପାଇଁ ପୁଷମାସତ ଆଉ କାହାପାଇଁ ସର୍ବନାଶକୁ ଡାକି ଆଣିଛି। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ବୁଧବାର ନିର୍ବାଚନ ମଣ୍ଡଳୀର ଗୋଡ଼ିପଡ଼ା, ଶରଣକୁଳ ଏବଂ ଚଢ଼େୟାପଲ୍ଲୀ ସମବାୟ ସମିତିରେ ନଡ଼ିଆ ଭାଙ୍ଗି ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ନୋତର ବିନାୟକପୁର ମଣ୍ଡିରେ ମଧ୍ୟ ଆଜି ମଣ୍ଡିରେ ନଡ଼ିଆ ଭାଙ୍ଗା ଯାଇଥିଲା।ପୂର୍ବରୁ ଏହିଭଳି କୋମଣ୍ଡ,ବାଙ୍କତରାରେ ନାମମାତ୍ର ମଣ୍ଡି ଖୋଲାଯାଇଥିବା ବେଳେ କୈାଣସି ମଣ୍ଡିରୁ ଧାନ ସଂଗ୍ରହ କରାଯାଇନାହିଁ। ମଣ୍ଡି ମାନଙ୍କରେ ରାଜସ୍ବ ନିରୀକ୍ଷକ ଧାନ ମଣ୍ଡିର ନୋଡାଲ ଅଫିସର ଦାୟିତ୍ୱରେ ରହିଥିବା ବେଳେ ସମବାୟ ସମତି ସମ୍ପାଦକ ଓ ଗ୍ରାମ ପଞ୍ଚାୟତ ଅଧିକାରୀ ମିଳିତଭାବେ ଧାନ ସଂଗ୍ରହ କରିବେ। ଏ ନେଇ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ,ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ବ୍ଳକ ଯୋଗାଣ ଅଧିକାରୀ ମଳୟ ମେହେର ପ୍ରମୁଖ ରାଜସ୍ବ ନିରୀକ୍ଷକ, ସମବାୟ ସମତି ସମ୍ପାଦକ ଓ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ସହିତ ଆମନା ସାମନା ଏବଂ ଭର୍ଚୁଆଲ ମିଟିଙ୍ଗ ହୋଇଛି। ହେଲେ ଧାନ ସଂଗ୍ରହ ପାଇଁ କେତେକ ସମସ୍ୟା ରହିଥିବାରୁ ବାରମ୍ବାର ଆଲୋଚନା ପରେ ମଧ୍ୟ କୋୖଣସି ସମାଧାନ ପନ୍ଥା ନିରୂପଣ ହୋଇପାରିନାହିଁ। ଆଶା ଥିଲା ବୁଧବାର ଶରଣକୁଳ ଓ ଚଡୟାପଲ୍ଲୀ ଠାରେ ମଣ୍ଡିରେ ଶୁଭାରମ୍ଭ ବେଳେ ବାଚସ୍ପତିଙ୍କ ସହିତ ଜିଲ୍ଲାପାଳ ଏବଂ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ସେଠାରେ କିଛି ସମାଧାନର ସୂତ୍ର ବାହାରିବ। କିନ୍ତୁ କିଛି ହେଲା ନାହିଁ। ସୂଚନା ଅନୁସାରେ ଏଫକ୍ୟୁ ମାନର ଧାନ ନଥିବାରୁ, ୩୭ କିଲୋଗ୍ରାମ ଲେଖାଏଁ ବସ୍ତା ପ୍ୟାକିଙ୍ଗ କରିବା ପାଇଁ ଶ୍ରମିକଙ୍କ ଶ୍ରମ ବାବଦରେ ଆବଶ୍ୟକ ମୂଲ୍ୟ ନିର୍ଦ୍ଧାରଣ ହୋଇ ନାହିଁ।ଶ୍ରମ ବାବଦରେ ଶ୍ରମିକ ମାନଙ୍କୁ ଦେବାପାଇଁ ଆବଶ୍ୟକ ଅର୍ଥ ସମବାୟ ସମିତିରେ ନାହିଁ।ଏବଂ ସଂଗୃହିତ ଧାନ ରଖିବାକୁ ଗୋଦାମ ଗୃହ ନଥିବାରୁ ମଣ୍ଡିରେ ଧାନ ସଂଗ୍ରହ ହୋଇପାରୁନାହିଁ।ଅପର ପକ୍ଷରେ ୪ରୁ୫ ବର୍ଷ ଧରି ମିଲର ମାନେ ସରକାରଙ୍କ ଠାରୁ ଶ୍ରମିକ ବାବଦରେ ଟଙ୍କା ପାଇନଥିବା ବେଳେ ଏଫକ୍ୟୁ ମାନର ଧାନ ନେବା ପାଇଁ ଅଡି ବସିଛନ୍ତି। ତେଣୁ ପ୍ରଶାସନିକ ସ୍ତରରେ ଏହାର ସମାଧାନ ନିରୂପଣ ନହେବା ପର୍ଯ୍ୟନ୍ତ ଧାନ ସଂଗ୍ରହ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ଗୋଳିଆ ପାଣିରୁ ମାଛ ଧରିବା ଭଳି ଧାନ ବେପାରୀ ଧାନ ସଂଗ୍ରହରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଚାଷୀମାନେ ଧାନକୁ ଗଚ୍ଛିତ କରି ରଖିବାକୁ କୈାଣସି ବ୍ୟବସ୍ଥା ନଥିବା ବେଳେ ଶାଗ ମାଛ ଦରରେ ଧାନ ବିକ୍ରୀ କରିଦେଉଛନ୍ତି।

0
0
0
s2sdefault