ଜଣେ ଦରଦୀ ରାଜନେତା, ପରୋପକାରୀ, ସଫଳ ସଂଗଠକ, ଜାତିଭେଦର ବିରୋଧୀ ଏବଂ ନିର୍ଭୀକତାର ପ୍ରତିକ ଥିଲେ ବିରେନ ମିତ୍ର : ଅତିଥି
ଭୁବନେଶ୍ୱର,୨୬/୧୧/୨୦୨୪: ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର୍ର ଜନଗଣର ନେତା ଓ ସମାଜ-ସଂସ୍କାରକ ଭାବେ ସାଧାରଣ ମଣିଷ ଓ ସମାଜର ନିମ୍ନବର୍ଗରେ ରହୁଥିବା ଲୋକମାନଙ୍କ ବିଶ୍ୱାସଭାଜନ ହୋଇ ପାରିଥିଲେ । ସେ ସରଳ ଜୀବନ, ପରୋପକାର, ଅନ୍ୟାୟର ପ୍ରତିବାଦ, ସଫଳ ସଂଗଠକ, ଜାତିଭେଦର ବିରୋଧ, ନିର୍ଭୀକତା ଇତ୍ୟାଦି ବିଶେଷଗୁଣର ଅଧିକାରୀ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ବୀରେନ୍ ମିତ୍ର ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବୀରେନ୍ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବୀରେନ୍ ମିତ୍ର ଜଣେ ଲୋକପ୍ରିୟ ଜନପ୍ରତିନିଧି ଏବଂ ନିଃସ୍ୱାର୍ଥପର ଜନସେବକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଜଣେ ଦକ୍ଷ ଛାତ୍ରସଂଗଠକ, ବିଚକ୍ଷଣ ନେତୃତ୍ଵର ଅଧିକାରୀ ଭାବରେ ସେ ଖ୍ୟାତି ଅର୍ଜନ କରିଥିଲେ । ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ତାଙ୍କର ସହଜାତ ପ୍ରବୃତ୍ତି ଥିଲା । ଛାତ୍ର ଜୀବନରୁ ସଂଗ୍ରାମୀ ନେତା ଭାବରେ ଜଣାଶୁଣା ବୀରେନ୍ ମିତ୍ର ଭାରତର ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ । ପଚାଶ ଦଶକରେ ସେ ଓଡ଼ିଶାର ରାଜନୈତିକ ମହଲରେ ଜଣେ ପ୍ରିୟପାତ୍ର ନେତା ଓ ସୁସଂଗଠକ ଭାବରେ ପ୍ରତିଷ୍ଠିତ ହୋଇ ସାରିଥିଲେ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ସ୍ୱର୍ଗତ ବୀରେନ ମିତ୍ର ନବ ଓଡ଼ିଶାର ସ୍ୱପ୍ନ ଚରିତାର୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟାବଳୀ ବେଶ ଉଲ୍ଲେଖଯୋଗ୍ୟ ଥିଲା । କଟକର ଗଳିକନ୍ଦିରେ ସେ ବିରେନ୍ ଦାଦା ଭାବେ ପରିଚିତ ଥିଲେ । ଜଣେ ହୃଦୟବାନ, ନିଃସ୍ୱାର୍ଥପର ସାମାଜସେବୀ ତଥା ନିରହଙ୍କାରୀ ମଣିଷ ଭାବେ ସେ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ରହିବେ ବୋଲି ବାଚସ୍ପତି ଶ୍ରୀମତୀ ପାଢୀ ପ୍ରକାଶ କରିଥିଲେ ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ବକାର ଶ୍ରୀ ଦାସ ବେନହୁର ବୀରେନ୍ ମିତ୍ର୍ରଙ୍କ ପ୍ରତିଭା ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ ଯେ ଛାତ୍ର ଜୀବନରୁ ରାଜନୀତିକୁ ଆପଣାଇ, ଜନସେବାରେ ବ୍ରତୀ ହୋଇ ଆଜି ଜନନାୟକ ପାଲଟିଛନ୍ତି । ରାଜନୀତିରେ ଦଳଗତ ମତଭେଦ ଥିଲେ ମଧ୍ୟ ପାରସ୍ପରିକ ସଂପର୍କକୁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ । ସେ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଅନ୍ୟକୁ ସାହାଯ୍ୟ କରିବା ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଥିଲେ । ଜନସେବାରେ ସମର୍ପିତ ତାଙ୍କର ଜୀବନ ନୀତି, ତାଙ୍କ ସମର୍ପଣ ଭାବ ଆମ ପାଇଁ ସବୁଦିନ ପ୍ରେରଣାର ଉତ୍ସ ହୋଇ ରହିଥିବ ।
ସମ୍ମାନନୀୟ ଅତିଥିଭାବେ ଇଷ୍ଟର୍ଣ୍ଣ ମିଡିଆ ଗୃପର ଅଧ୍ୟକ୍ଷ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଏବଂ ଅବସରପ୍ରାପ୍ତ ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ମିଶ୍ର ବୀରେନ୍ ମିତ୍ରଙ୍କୁ ଏକାଧାରେ ସ୍ୱାଧୀନତା ସଂଗ୍ରାମୀ, ସଂଗଠକ, ରାଜନେତା, ସାମ୍ବାଦିକ, ସଂସ୍କୃତିପ୍ରେମୀ, ସମାଜ ସଂସ୍କାରକ ଦରଦୀ ନେତା ଭାବେ ଅଭିହିତ କରିଥିଲେ । ଆଜିର ଦିନରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।
ବୀରେନ୍ ମିତ୍ର ଫାଉଣ୍ଡେସନ୍ର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜଣେ ଦକ୍ଷ ଛାତ୍ରସଂଗଠକ ଭାବେ ବିଚକ୍ଷଣ ନେତୃତ୍ୱର ପରାକାଷ୍ଠା ପ୍ରତିପାଦନ କରିଥିବା ବୀରେନ୍ ମିତ୍ର ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତିକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ । ତାଙ୍କର ଜନପ୍ରିୟତାକୁ ପ୍ରମାଣ କରି ସେ କଟକ ଆସନରୁ କ୍ରମାଗତ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇପାରିଥିଲେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ( ବୈଷୟିକ)ଶ୍ରୀ ସୁରେନ୍ଦ୍ର ନାଥ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରି ବ୍ୟକ୍ତିଗତ ଜୀବନରେ ସରଳତା, ତ୍ୟାଗ, ସେବା, ରାଜନୈତିକ ଜୀବନରେ ଦକ୍ଷତା ଓ ନିର୍ଭୀକତା ଏବଂ ଛାତ୍ରବତ୍ସଳତା ନିମନ୍ତେ ବୀରେନ୍ ମିତ୍ର ଚିରସ୍ମରଣୀୟ ରହିବେ ବୋଲି କହିଥିଲେ ।
ପ୍ରାରମ୍ଭରେ ଅତିଥିମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ
ସ୍ବରସୁଧା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସମାଜସେବୀ କୃଷ୍ଣ ମୋହନ ଜେନା, ମଧୁମେହ ରୋଗ ବିଶେଷଜ୍ଞ ଡା ବିଶ୍ବଜିତ ପ୍ରଧାନ,ଓଡିଶା କ୍ରିକେଟଦଳର କ୍ଯାପଟେନ ତଥା ଆଇପିଏଲ ଖେଳାଳୀ ବିପ୍ଳବ ସାମନ୍ତରାୟ ଏବଂ କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରା ଯାଇଥିଲା । ସେହିପରି ବିଭାଗ ତରଫରୁ ଆୟୋଜିତ ବକ୍ତୃତା ଏବଂ କୁଇଜ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା । ପରିଶେଷରେ ଯୁବ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରା ଯାଆଥିଲା ।
ବୀରେନ୍ ମିତ୍ର ଫାଉଣ୍ଡେସନ୍ର ସଂପାଦକ ଶ୍ରୀ ଅମିତ୍ ମିତ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଜୟଦେବ ଭବନର ଉପ ନିର୍ଦ୍ଦେଶକ ଓ ପରିଚାଳକଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ପୂର୍ବାହ୍ନ ୯ ଘଟିକାରେ ଲୋକ ସମ୍ପର୍କ ବିଭାଗ ତରଫରୁ ଜୟଦେବ ବିହାର ସ୍ଥିତ ବିରେନ ମିତ୍ରଙ୍କ ପ୍ରତିମୂର୍ତ୍ତିରେ ବିଭାଗର ନିର୍ଦ୍ଦେଶକ (ବୈଷୟିକ), ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ବିରେନ ମିତ୍ର ସଙ୍ଗଠନର ସଭାପତି ପ୍ରିୟଦର୍ଶୀ ମିଶ୍ର ଓ ବୁଦ୍ଧିଜୀବିମାନେ ମାଲ୍ୟାର୍ପଣ କରିଥିଲେ ।