ହେଡଲାଇନସ୍:

ଜଳସେଚନ ସାମର୍ଥ୍ୟ ବୃଦ୍ଧି ପାଇଁ ପାଣି ପଞ୍ଚାୟତଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ -ମୁଖ୍ୟ ଶାସନ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଓଡ଼ିଶା ଉଠା ଜଳସେଚନ ନିଗମର ୫୨ ତମ ପ୍ରତିଷ୍ଠା ଦିବସ ପାଳିତ

  • ଅନଲାଇନ୍‌ ପୋର୍ଟାଲ ଏବଂ ଇ-ସର୍ଭିସ ବୁକ୍ ର ଶୁଭାରମ୍ଭ

ଭୁବନେଶ୍ୱର-: ଚାଷୀମାନଙ୍କ ପାଇଁ ପାଣି ହେଉଛି ପ୍ରମୁଖ ଆବଶ୍ୟକତା । ଯେଉଁ ରାଜ୍ୟମାନେ କୃଷିରେ ଭଲ ପ୍ରଦର୍ଶନ କରିଛନ୍ତି, ସେମାନେ ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲଆଇସି) ଜରିଆରେ ଓଡ଼ିଶା ରାଜ୍ୟ ସରକାର ଗଭୀର ନଳକୂପ ଓ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପ ଜରିଆରେ ଜଳସେଚନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ହାସଲ କରିବାରେ ଓଏଲଆଇସିର ଉଦ୍ୟମ ପ୍ରଶଂନୀୟ ରହିଛି ଓ ଏହି ପ୍ରୟାସ ଜାରି ରଖିବାକୁ ଆଜି ଓଏଲଆଇସିର ୫୨ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ପ୍ରକାଶ କରିଛନ୍ତି ।
Imageଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ନିଗମର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ, ଓଏଲଆଇସି ଜରିଆରେ ଜଳସେଚନ ବୃଦ୍ଧି ପାଇଁ ପାଣି ପଂଚାୟତ ଓ ଏଥି ସହିତ ଜଡିତ ଚାଷୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଚାଷୀମାନଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ନୂଆ ନୂଆ ଜ୍ଞାନ କୌଶଳର ଉପଯୋଗ କୃଷିର ଅଭିବୃଦ୍ଧିରେ ସହାୟକ ହେଉଛି । ଡିଜିଟାଲ ମାଧ୍ୟମ ଏଥିପାଇଁ ସହାୟକ ହେଉଛି । ପାଣି ପଂଚାୟତକୁ ଅଧିକ ସୁଦୃଢ଼ କରିବା, ଅଧିକ ଜ୍ଞାନ ଆହରଣ ପାଇଁ ସେମାନଙ୍କ ନିମନ୍ତେ ଅନ୍ୟ ବିଭିନ୍ନ ରାଜ୍ୟକୁ କ୍ଷେତ୍ର ପରିଦର୍ଶନ ବ୍ୟବସ୍ଥା କରାଇବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱରୋପ କରିଥିଲେ ।
Imageସମ୍ମାନିତ ଅତିଥିଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ବିଗତ ୫ ବର୍ଷରେ ଓଏଲଆଇସି ଜରିଆରେ ଜଳସେଚନ କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱିତ ହୋଇଛି । ନିଗମର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇଛି । ରାଜ୍ୟରେ ଯେତେ ପରିମାଣରେ ଜଳସେଚନ ବୃହତ୍ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ମାଧ୍ୟମରେ କରାଯାଉଛି, ଏହାର ପ୍ରାୟ ୫୦ ପ୍ରତିଶତ ଜଳସେଚନ ଓଏଲଆଇସି ଜରିଆରେ ହେଉଛି । ଏବେ ବର୍ଷକୁ ପ୍ରାୟ ୧୮୦୦୦ ପ୍ରକଳ୍ପ ସ୍ଥାପନ କରାଯାଇପାରୁଛି । କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଭୂତଳ ଜଳ ବିଭାଗ ଆଦି ସହ ସମନ୍ୱୟ କରାଯାଇ ଯେଉଁଠାରେ ଉଠାଜଳସେଚନ ସୁବିଧା ହେଉଛି, ସେଠାରେ ନିରନ୍ତରତା ଭିତ୍ତିରେ ପ୍ରକଳ୍ପ ସ୍ଥାପନ କରାଯାଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ ।
Imageଓଏଲଆଇସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଓଏଲଆଇସିର ସଫଳତା ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ୧୯୭୩ ମସିହାରେ ସ୍ଥାପିତ ଏହି ନିଗମ ଦୁଇବର୍ଷ ତଳୁ “ଗୋଲ୍ଚ କ୍ୟାଟେଗୋରୀ” ସରକାରୀ ଉଦ୍ୟୋଗ ଭାବେ ମାନ୍ୟତା ପାଇଛି । ରାଜ୍ୟରେ ଭୁପୃଷ୍ଠ ଓ ଭୂତଳ ଜଳ ସ୍ତରର ବ୍ୟବହାର କରି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଉଛି । ଓଏଲଆଇସି ଜରିଆରେ ଅଦ୍ୟାବଧି ୧.୭୧ ଲକ୍ଷ ପ୍ରକଳ୍ପ କରାଯାଇ ୧୫.୯୬ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି କରାଯାଇପାରିଛି । ୨୦୨୩-୨୪ ରେ ୧୮,୯୪୪ ପ୍ରକଳ୍ପ କରାଯାଇ ୧ ଲକ୍ଷ ୨୨ ହଜାର ୮୧୫ ହେକ୍ଟର ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଇଛି । ନୂଆ ପ୍ରକଳ୍ପ ସମେତ ଅଚଳ ହୋଇଥିବା ନଳକୂପକୁ ସଚଳ କରାଯାଇ ସେଚ ସାମର୍ଥ୍ୟ ବୃଦ୍ଧି କରାଯାଉଛି । ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଉନ୍ନତ ଯାନ୍ତ୍ରିକୀକରଣ ବ୍ୟବସ୍ଥା ଫଳରେ ପ୍ରକଳ୍ପ ସଂପୂର୍ଣ୍ଣ କରିବା କ୍ଷମତା ପୂର୍ବାପେକ୍ଷା ୪ଗୁଣ ଦୃତତର ହୋଇଛି । ଚଳିତ ବର୍ଷ ରାଜ୍ୟରେ ଓଡ଼ିଶା ଉଠାଜଳସେଚନ ମାଧ୍ୟମରେ ଜଳସେଚନ ଧାର୍ଯ୍ୟ ଲକ୍ଷ୍ୟ ୧ଲକ୍ଷ ୨୨ ହଜାର ୬୪୮ ହେକ୍ଟର ରହିଛି । ଧାର୍ଯ୍ୟ ଲକ୍ଷ୍ୟ ପୂର୍ଣ୍ଣ କରିବା ସହିତ ସବୁ ସମୟରେ ପ୍ରକଳ୍ପ ସଚଳ ରହିବା ଆମର ପ୍ରାଥମିକତା ରହିଥିବା ଓଏଲଆଇସି ପରିଚାଳନା ନିର୍ଦ୍ଦେଶକ ପ୍ରକାଶ କରିଥିଲେ । ପାଣି ପଞ୍ଚାୟତମାନଙ୍କୁ ପ୍ରଶିକ୍ଷଣ, ପ୍ରକଳ୍ପର କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ସେ କହିଥିଲେ । କାର୍ଯ୍ୟକ୍ଷମ ନଥିବା ନଳକୂପ ପାଇଁ ୫ ବର୍ଷ ପାଇଁ ବଜେଟରେ ୧୦୮୪.୩୮ କୋଟି ଟଙ୍କା ପ୍ରାବଧାନ କରାଯାଇଥିବା ଓ ଜଳସେଚନ ସାମର୍ଥ୍ୟ ସୃଷ୍ଟି ଅନୁସାରେ ସବୁଠି ଜଳସେଚନ ସୁବିଧା ପହଞ୍ଚିବା ଆମର ପ୍ରାଥମିକତା ରହିଥିବା ସଂପର୍କରେ ସେ ପ୍ରକାଶ କରିଥିଲେ । ପାଣି ପଞ୍ଚାୟତ, ଓରେଡା, କୃଷି ବିଭାଗ, ଶକ୍ତି ବିଭାଗ ସହଯୋଗରେ ଉଠାଳଜସେଚନ ପ୍ରକଳ୍ପ ପରିଚାଳନାରେ ରହୁଥିବା ସମସ୍ୟାର ସମାଧାନ କରାଯାଉଥିବା ସହ ଫସଲ ବିବିଧିକରଣକୁ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ସେ ଉପସ୍ଥାପନ କରିଥିଲେ ।
Imageକାର୍ଯ୍ୟକ୍ରମରେ ଓଏଲଆଇସିର ସଫଳତାକୁ ନେଇ ଏକ କ୍ଷୁଦ୍ର ପ୍ରାମାଣିକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଅଚଳ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଓ ବହୁ ପୁରାତନ ସଚଳ ପ୍ରକଳ୍ପର ସୁଦୃଢ଼ୀକରଣ ପାଇଁ ‘ଅନଲାଇନ୍‌ ପୋର୍ଟାଲ’ ଉନ୍ମୋଚିତ ହୋଇଥିଲା । ଅନ୍ୟ ଏକ ଲାଇନ୍ ବ୍ୟବସ୍ଥା ଇ-ସର୍ଭିସ ବୁକ୍‌ର ଶୁଭାରମ୍ଭ କରାଯିବା ସହ ଓଏଲଆଇସି ତଥା ପାଣି ପଂଚାୟତର ସଫଳତାକୁ ନେଇ ପ୍ରକାଶିତ ‘ବାରି ବରେଣ୍ୟମ’ ପତ୍ରିକାର ଶୁଭ ଉନ୍ମୋଚନ କରାଯାଇଥିଲା । ଆହୁରି ମଧ୍ୟ ପ୍ରକଳ୍ପ ପରିଚାଳନା ପାଇଁ “ପାଣି ପଂଚାୟତ ନିମନ୍ତେ ମାର୍ଗ ଦର୍ଶିକା”, ଓଏଲଆଇସିର ବିଭିନ୍ନ କାର୍ଯ୍ୟକଳାପ ସଂପର୍କିତ କାର୍ଯ୍ୟକ୍ରମ ପୁସ୍ତିକା ଏବଂ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ) କ୍ଷୁଦ୍ର ପୁସ୍ତିକା ଉନ୍ମୋଚିତ ହୋଇଥିଲା ।

Imageମୁଖ୍ୟ ଅତିଥି ଶ୍ରୀ ଆହୁଜା ଏହି ଅବସରରେ ଓଏଲଆଇସି ଏବଂ ପାଣିପଂଚାୟତର ସଫଳତା ଆଧାରରେ ଏଠାରେ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଓଏଲଆଇସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ଶିବାଶୀଷ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀ, ମହିଳା ଚାଷୀ ପ୍ରତିନିଧି, ପାଣି ପଂଚାୟତ ସଦସ୍ୟ, ସଦସ୍ୟା,ଓଏଲଆଇସିର ରାଜ୍ୟସ୍ତରୀୟ ଏବଂ ବିଭିନ୍ନ ଡିଭିଜନ ତଥା କ୍ଷେତ୍ରସ୍ତରରୁ ପଦାଧିକାରୀ ଓ କର୍ମଚାରୀ, ଜଳ ସଂପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

0
0
0
s2sdefault