ଜିଗ୍ନୀପୁର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଘୋଷ ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଅଧୀନ ଜିଗ୍ନୀପୁର ପଞ୍ଚାୟତ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି । ମ୍ୟାନେଜିଂ ଟ୍ରଷ୍ଟ ଧିରେନ୍ଦ୍ର ନାଥ ବେହେରାଙ୍କ ପୌରହିତ୍ୟ ରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗ ଦେଇ ଚଳିତ ବର୍ଷ ଶ୍ରୀ ଜୀଉଙ୍କର ଘୋଷ ଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରିଥିଲେ । ରଥ ନିର୍ମାଣ ପାଇଁ ବିଧାୟକଙ୍କ ପକ୍ଷରୁ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କାଠ ଯୋଗାଇ ଦିଆଯାଇଥିବାରୁ ବୈଠକରେ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା l ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଥିବାରୁ ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ପୂଜା ପଣ୍ଡାମାନେ ଶ୍ରୀଜୀଉଙ୍କ ନୀତିକାନ୍ତି ନିମନ୍ତେ ସମୟ ନିର୍ଘଣ୍ଟ ପ୍ରସ୍ତୁତି କରି ତଦନୁସାରେ କାର୍ଯ୍ୟ କରିବା ପାଇଁ ପ୍ରକାଶ କରିଥିଲେ । ଏହାଛଡ଼ା ଯାତ୍ରା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା, ରଥ ଦାଣ୍ଡକୁ ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ କରିବା, ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରଥ ଦାଣ୍ଡରେ ଏକ ସାସ୍ଥ୍ୟ ସେବା ଶିବିର କରାଯିବା, ପାନୀୟ ଜଳ ଯୋଗାଣ ପକ୍ଷରୁ ଟ୍ୟାଙ୍କର ଦ୍ବାରା ଭକ୍ତମାନଙ୍କୁ ପିଇବା ପାଣି ଯୋଗାଇ ଦିଆଯିବା, ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସାଲେପୁର ଥାନା ପକ୍ଷରୁ ପୋଲିସ ମୁତୟନ କରିବା, ଠିକ୍ ସମୟରେ ଶ୍ରୀ ଜୀଉଙ୍କର ପହଣ୍ଡି ଓ ରଥ ଟଣା କାର୍ଯ୍ୟକ୍ରମ କରାଯିବା ଏବଂ ବିଶେଷ କରି ଶ୍ରୀ ଜୀଉଙ୍କର ପୂଜାପଣ୍ଡା, ସେବାୟତ ଓ ପହଣ୍ଡିଆ ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟକ୍ରମ କରିବା ନିମନ୍ତେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରଥ ଯାତ୍ରା ସମୟରେ ଭକ୍ତମାନଙ୍କର ଭିଡ଼କୁ ଆୟତ୍ତ କରିବା ପାଇଁ ମନ୍ଦିର ପଛପଟରେ ଥିବା ଏକ ବାଇପାସ ରାସ୍ତାକୁ ମରାମତି କରାଯିବା ପାଇଁ ବିଧାୟକଙ୍କୁ ଅନୁରୋଧ କରାଯିବାରୁ ସେ ଏହାକୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ଟ୍ରଷ୍ଟ ବୋର୍ଡ଼ର ସଭ୍ୟ ଜ୍ୟୋତିରଂଜନ ସାଇଁ ରଥଯାତ୍ରା ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲା ବେଳେ ସଭ୍ୟ ଚୌଧୁରୀ ଅଜୟ କୁମାର ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ବୈଠକରେ ତହସିଲଦାର ଅନିତା ନାୟକ, ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି, ସରପଞ୍ଚ ତିଳୋତ୍ତମା ରାଉତ, ସମାଜସେବୀ ଭାସ୍କରଚନ୍ଦ୍ର ବେହେରା, ବିରଞ୍ଚି ନାରାୟଣ ମିଶ୍ର, ଦେବେନ୍ଦ୍ର ସାହୁ, ରମେଶ ସାଇଁ, ରଂଜନ କୁମାର ରାଉତ, ପ୍ରକାଶ ରଂଜନ ସାମଲ, କମଳା ବସ୍ତିଆ, କନିଷ୍ଠ ଯନ୍ତ୍ରୀ ଚିନ୍ମୟ କୁମାର ବେହେରାଙ୍କ ସମେତ ସାଲେପୁର ପୋଲିସ, ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର, ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ସେବାୟତ, ବୁଦ୍ଧିଜୀବୀ, ଅଞ୍ଚଳବାସୀ ଯୋଗ ଦେଇଥିଲେ । ଶେଷରେ ସଭ୍ୟ ରାଜେନ୍ଦ୍ରମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault