ହେଡଲାଇନସ୍:

୭୫ ତମ ଜିଲାସ୍ତରୀୟ ବନ ମହୋତ୍ସବ ୨୦୨୪ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୩.୦୭.୨୦୨୪/ସୁମନ୍ତ କୁମାର ଦାସ:ଆଜି କଟକ ବନଖଣ୍ଡ ତଥା ଜଗତସିଂହପୁର ବନାଞ୍ଚଳ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୫ ତମ ଜିଲାସ୍ତରୀୟ ବନ ମହୋତ୍ସବ ୨୦୨୪, ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।ଜିଲ୍ଲା ର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ସମ୍ପ୍ରତି ବୃକ୍ଷ ର ଅଭାବ କିପରି ଗ୍ଲୋବାଲ ୱାର୍ମିଙ୍ଗ, ସମୁଦ୍ର ପତନ ପରିବର୍ତ୍ତନ, ଜଳବାୟୁ ପ୍ରଦୂଷଣ ର କାରଣ ପାଲଟିଛି, ସେ ବିଷୟରେ ଆଲୋକପାତ କରିଥିଲେ। ବର୍ତ୍ତମାନ ସମୟରେ ପରିବେଶ କୁ ରକ୍ଷା କରିବାକୁ ହେଲେ ବୃକ୍ଷ ରୋପଣ ହିଁ ଏକମାତ୍ର ଉପାୟ ବୋଲି ସେ କହିଥିଲେ। କେବଳ ବୃକ୍ଷ ଲଗାଇ ଦେଲେ କର୍ତ୍ତବ୍ୟ ଶେଷ ହୁଏ ନାହିଁ ବରଂ ସେହି ବୃକ୍ଷ ର ଯତ୍ନ ନେଇ ତାକୁ ବଞ୍ଚାଇ ବଡ କରିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ ବିଧାୟକ ଶ୍ରୀ ଦାସ। ତେଣୁ ଉପସ୍ଥିତ ସମସ୍ତ ଜନସାଧାରଣ,ଛାତ୍ର ଛାତ୍ରୀ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ଗଛ ଲଗାଇବା ପାଇଁ ପ୍ରେରିତ କରିଥିଲେ ଶ୍ରୀ ଅମରେନ୍ଦ୍ର ଦାସ। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଖିବାକୁ ମିଳିଛି ବଜ୍ରପାତ ପରି ସମସ୍ୟା, ସେଥିପାଇଁ ସରକାର ୧୯ ଲକ୍ଷ ତାଳ ଗଛ ଲଗାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମଧ୍ୟ ବୃକ୍ଷ ରୋପଣ ବର୍ତ୍ତମାନ ପରିସ୍ଥିତିର ଆହ୍ଵାନ ବୋଲି କହିଥିଲେ। ଇଣ୍ଡୋର୍ ଷ୍ଟାଡିୟମ୍ ପରିସରର ଆବଦ୍ଧ କ୍ଷେତ୍ରରେ ଏ ବର୍ଷ ରୋପଣ କରାଯାଇଥିବା ଚାରା ର ବୟସ ୪ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଛି, ଯାହା ଫଳରେ ଚାରା ଗୁଡିକ ନଷ୍ଟ ହେବନାହିଁ ଏବଂ ଭବିଷ୍ୟତ ପୀଢି ର କାମରେ ଆସିବ ବୋଲି ଜିଲ୍ଲାପାଳ କହିଥିଲେ। ବନ ମହୋତ୍ସବ ଉପଲକ୍ଷେ ଆୟୋଜିତ ଏହି ସଭାରେ କଟକ ସହକାରୀ ବନଖଣ୍ଡ ସଂରକ୍ଷକ ଅଧିକାରୀ ଶ୍ରୀ ଅନିଲ କୁମାର ରାୟ ଜଗତସିଂହପୁର ଜିଲ୍ଲା ରେ ଚଳିତ ବର୍ଷ ସହରାଞ୍ଚଳରେ ୫୦୦୦ ଗଛ ଏବଂ ଜିଲ୍ଲା ର ଧଳତଙ୍ଗଗଡ ଜଙ୍ଗଲ ରେ ୨୬୦୦୦ ବୃକ୍ଷ ରୋପଣ କରାଯିବ ବୋଲି ସୂଚନା ଦେଇଥିଲେ।ସୂଚନା ଥାଉକି, ଧଳତଙ୍ଗଗଡ ଜଙ୍ଗଲ ରେ ଏ ଯାବତ୍ ୬୦୦୦ ଗଛ ଲଗା ସରିଛି। ସୁରକ୍ଷା ଦୃଷ୍ଟିକୋଣରୁ ଚଳିତ ବର୍ଷ ଅତି କ୍ଷୁଦ୍ର ଚାରା ପରିବର୍ତ୍ତେ ବଡ ଚାରା ରୋପଣ କରାଯାଇଛି, ଫଳରେ ଚାରା ନଷ୍ଟ ହାର କମ୍ ରହିବ। ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର୍ ଷ୍ଟାଡିୟମ୍ ପରିସର ଓ ପରିସର ବାହାରେ ୧୨୦ ଟି ଗଛ ରୋପଣ କରିଥିଲେ ଯଥା ବଉଳ,କଦମ୍ବ, ଜାମୁ,ଆମ୍ବ,ପଣସ,ଶିଶୁ ଓ ମେହୋଗାନି ଇତ୍ୟାଦି ବିଭିନ୍ନ ପ୍ରଜାତିର ବଡ ବଡ଼ ଚାରା ରୋପଣ କରାଯାଇଥିଲା।ବନୋମହୋତ୍ସବ ୨୦୨୪ ର ସ୍ଲୋଗନ୍ ମା ପାଇଁ ଗଛ ଟିଏକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ ଓ ସେଲଫି ନେଇଥିଲେ।ଏ ବର୍ଷ ଜଗତସିହପୁର ବନାଞ୍ଚଳ ଅଧୀନରେ ୨୨୦୦୦୦ ଚାରା ବଣ୍ଟନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ,ପ୍ରକଳ୍ପ ନିର୍ଦେଶକ,ସହରାଞ୍ଚଳ ଉନ୍ନୟନ ସଂସ୍ଥା ଶ୍ରୀ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ବୃକ୍ଷ ରୋପଣ ର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ଯମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ନିର୍ବାହୀ ଅଧିକାରୀ, ପୌର ପରିଷଦ ଶ୍ରୀ ତାରିଣୀ ରଞ୍ଜନ ରାୟ, କ୍ରୀଡା ଅଧିକାରୀ ବିଶ୍ଵବିଜୟିନୀ ପଟ୍ଟନାୟକ ,ବନାଞ୍ଚଳ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାଏ ଅନ୍ୟ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault