ହେଡଲାଇନସ୍:

ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରାକୁ ସ୍ୱାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର/ ujjwal kar : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବାର୍ଷିକ ଅବସରରେ ଗାନ୍ଧୀ ଦର୍ଶନର ପ୍ରଚାର ପାଇଁ ‘ଓଡ଼ିଶା ଗାନ୍ଧିବାଦୀ ଫୋରମ’ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରୁଥିବା ‘ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା’କୁ ବାଲେଶ୍ୱରଠାରେ ଆଜି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଜ୍ୟୋତିଯାତ୍ରା ସକାଳେ ସହରର ଶହୀଦ ପାର୍କଠାରେ ପହଞ୍ଚିବା ପରେ ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ବାଲେଶ୍ୱର ଉପ-ଜିଲ୍ଲାପାଳ ନୀଲୁ ମହାପାତ ପ୍ରମୁଖ ମାଲ୍ୟାର୍ପଣ ସହ ଜାତିର ଜନକଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଓଡ଼ିଶା ଗାନ୍ଧିବାଦୀ ଫୋରମର ଅଧ୍ୟକ୍ଷା ରିନା ରାଉତରାଏ, ଉପାଧ୍ୟକ୍ଷ ବିଶ୍ୱଜିତ ସୂର୍ଯ୍ୟବଂଶୀ, ବରିଷ୍ଠ ଉପଦେଷ୍ଟା ଗୋବିନ୍ଦ ଓଝା, ହୃଷୀକେଶ ପଣ୍ଡା, କାର୍ତ୍ତିକ ସାହୁ, ଅମର ସାହୁ, ବିଜୟ ବିଶ୍ୱାଳ, ସୁବାସ ସ୍ୱାଇଁ  ପ୍ରମୁଖ ଅତିଥିମାନଙ୍କୁ ଗାନ୍ଧୀଙ୍କ ଆତ୍ମଜୀବନୀ ସତ୍ୟର ସନ୍ଧାନ ଓ ଖଦଡ ସୂତାମାଳା ପ୍ରଦାନ କରିଥିଲେ । ଅନୁରୂପ ଭାବେ ଜ୍ୟୋତି ରଥରେ ପୁଷ୍ପ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ଡଃ ପ୍ରହ୍ଲାଦ ଚରଣ ମହାନ୍ତି, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକଲକ୍ଷ୍ମୀଧର ବେହେରା ବେହେରା, ସମାଜସେବୀ ମହେନ୍ଦ୍ର ପ୍ରସାଦ ଧଳ, ବିରଜା ଦେବୀ, ସେକ୍ ଜନ୍ନତ ହୁସେନ, ସଦଭାବନା ବିଚାର ମଂଚ ଆବାହକ ଅରୁଣ ଜେନା, କବି ପ୍ରଶାନ୍ତ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଗାନ୍ଧୀମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଜ୍ୟାତି ରଥ ସହ ପଦଯାତ୍ରାରେ ବାହାରି ସହର ପରିକ୍ରମା ପୂବର୍କ ସ୍ଥାନୀୟ ପବ୍ଲିକ ସ୍କୁଲରେ ପହଞ୍ଚିଥିଲେ । ରାସ୍ତାର ଦୁଇ ପାଶ୍ୱର୍ରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ସମର ଶିକ୍ଷାର୍ଥୀ ବାହିନୀର କେଡେଟ, ରେଡକ୍ରସ ଉଇଙ୍ଗ୍ସର ଛାତ୍ରଛାତ୍ରୀ, ସ୍କାଉଟଗାଇଡ, ଏନଏସଏସର ଛାତ୍ରଛାତ୍ରୀଗଣ ଠିଆ ହୋଇ ଗାନ୍ଧୀ ଅମର ରହେ ସ୍ଲୋଗାନରେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।  ପବ୍ଲିକ ସ୍କୁଲର ମୁକ୍ତ ମଂଚରେ ଆୟୋଜିତ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ ସଭାପତିତ୍ୱ କରିଥିଲେ । ସାଂସଦ ଶ୍ରୀ ଜେନା, ସଦର ବିଧାୟକ ଶ୍ରୀ ଦାଶ, ଜିଲ୍ଲାପାଳ ଶ୍ରୀ  ରାଉତଙ୍କ ସମେତ ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର କୁମାର ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସାମ୍ପ୍ରତିକ ସମାଜରେ ଗାନ୍ଧିଜୀଙ୍କ ଆଦର୍ଶ କିପରି ଅଧିକ ପ୍ରାସଙ୍ଗିକତା ବହନ କରିବ ସେନେଇ ସବୁ ମହଲରୁ ଉଦ୍ୟମ ଜାରି ରଖିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏହି ଜ୍ୟୋତି ଯାତ୍ରା ଜାତିର ଜନକଙ୍କ ଆଦର୍ଶକୁ ଉଜ୍ଜୀବିତ କରିବାରେ ବେଶ ସହାୟକ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ପବ୍ଲିକ୍ ସ୍କୁଲ ପରିସରରେ କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସଙ୍କ ଦ୍ୱାରା ଗାନ୍ଧିଜୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା । ଜ୍ୟୋତିଯାତ୍ରା ସ୍ୱାଗତ କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ପକ୍ଷରୁ ସକ୍ରିୟ ସହଯୋଗ କରାଯାଇଥିଲା । ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ୱରରୁ ବାହାରିଥିବା ଏହି ଜ୍ୟୋତିଯାତ୍ରା ଇତିମଧ୍ୟରେ ୨୬ଟି ଜିଲ୍ଲା ପରିକ୍ରମା ସହ ଆଜି ବାଲେଶ୍ୱରରେ ପହଞ୍ଚିଥିଲା । ଆସନ୍ତା ୧୩ ତାରିଖରେ ଏହା କଟକରେ ପହଞ୍ଚି ଜ୍ୟୋତିଯାତ୍ରା ଉଦ୍ୟାପିତ କରାଯିବ ବୋଲି ଓଡ଼ିଶା ଗାନ୍ଧୀବାଦୀ ଫୋରମ୍ ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault