ହେଡଲାଇନସ୍:

ବାଲେଶ୍ୱରକୁ ଆସିଥିବା ଅନେକ କାମକୁ କ୍ରିୟାନ୍ୱୟନ କରିବାରେ ବିଜେଡି ବାଧକ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନ ପ୍ରଚାର

• ନୀଳଗିରି, ବଡସାହୀ ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେବା ସହ ରୋଡ୍ ସୋ’ରେ ହେଲେ ସାମିଲ
• ଗାଁ ଗଣ୍ଡାରେ ୨୫ ବର୍ଷ ହେଲା ବିଶୁଦ୍ଧ ପିଇବା ପାଣି ନାହିଁ, ମୁଖ୍ୟମନ୍ତ୍ରୀ ଏହାକୁ ଭଲ କହିବେ କି?
• ପାନୀୟ ଜଳ, ଜଳସେଚନ, ମରୁଡି, ସ୍ୱାସ୍ଥ୍ୟସେବା, ଶିକ୍ଷା, ରୋଜଗାର ସମସ୍ୟାର ବିରୋଧରେ ଏଥର ଜନମତ ପରିବର୍ତ୍ତନ ହେବ
• ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଫକୀର ମୋହନ ସେନାପତି ଓଡ଼ିଆ ଭାଷା ଓ ଅସ୍ମିତା ଲଢେଇ ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ
• ସେଭଳି ଭୂମିରେ ମୁଖ୍ୟମନ୍ତ୍ରୀ ତାମିଲନାଡ଼ୁରୁ ଜଣଙ୍କୁ ଭଡ଼ାରେ ଆଣିଛନ୍ତି, ସେ ଭାଷଣ ଦେଲେ ମାଇକ ଧରି ଛିଡା ହେଉଛନ୍ତି
• ଗୁମାସ୍ତା ଫକୀର ମୋହନ ସେନାପତିଙ୍କ ଦ୍ୱାରା ରଚିତ ୫ଟି ସାହିତ୍ୟ କୃତି କହିପାରିବେ କି ?
• ବାହାର ରାଜ୍ୟର ଜଣେ ଗୁମାସ୍ତାଙ୍କୁ ଓଡ଼ିଆ ଲୋକମାନେ ନେତା କରାଇଦେବେ ନାହିଁ, ଓଡ଼ିଶାର ନେତା ଓଡ଼ିଆ ହେବ
• ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବାଲେଶ୍ୱରର ବିକାଶ ଚରମ ସୀମାରେ ପହଞ୍ଚିବ
• ବଡ଼ସାହୀରେ ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କଲେ


ବାଲେଶ୍ୱର/ନୀଳଗିରି/ବଡସାହୀ, ମଇ ୨୭ – ବାଲେଶ୍ୱରର ମାଟି ସ୍ୱାଭିମାନୀ ମାଟି । କିନ୍ତୁ ୨୫ ବର୍ଷର ସରକାରରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ । ମୋଦୀ ସରକାର ଲୋକଙ୍କ ସୁବିଧା ପାଇଁ ପ୍ରଚୁର ଅର୍ଥ ଦେଉଥିବା ବେଳେ ଏଠାରେ ଦୁର୍ନୀତି ହେଉଛି । ବାଲେଶ୍ୱରକୁ ଅନେକ କାମ ଆସିଥିବା ବେଳେ ସେ ସବୁକୁ କ୍ରିୟାନ୍ୱୟନ କରିବାରେ ବିଜେଡି ବାଧକ ସାଜିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋମବାର ବାଲେଶ୍ୱର ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ବିଜୟ ସଂକଳ୍ପ ସଭାରେ ଯୋଗଦେବା ସହ ରୋଡ ସୋ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ନୀଳଗିରି, ବଡସାହୀ ଓ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ ଏଠାରେ ପାଇପରେ ପିଇବା ପାଣି ଆସୁନି । ଗାଁ ଗଣ୍ଡାରେ ୨୫ ବର୍ଷ ହେଲା ବିଶୁଦ୍ଧ ପିଇବା ପାଣି ନାହିଁ, ମୁଖ୍ୟମନ୍ତ୍ରୀ ଏହାକୁ ଭଲ କହିବେ କି? ଜଳସେଚନର ସୁବିଧା ନାହିଁ । ନୀଳଗିରି ସରକାରୀ ହସ୍ପିଟାଲରେ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ନୀଳଗିରିରୁ ଯୁବକମାନେ କାମଧନ୍ଦା ନ ପାଇ ବାହାରକୁ ଯାଉଛନ୍ତି । ଆଦିବାସୀଙ୍କ ଜମି ବିକ୍ରି କରିବା ପାଇଁ ରାଜ୍ୟ ସରକାର ମସୁଧା କଲେ । ୨୫ ବର୍ଷ ସରକାରରେ ରହି ଯିଏ ଦୁର୍ନୀତି କରେ, ସେହି ସରକାରକୁ ବଦଳାଇବା ଦରକାର ।

ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବାଲେଶ୍ୱରରେ ଜନ୍ମ ଗ୍ରହଣ କରିଥିବା ମହାନ କବି, ଲେଖକ ଫକୀର ମୋହନ ସେନାପତି ଓଡ଼ିଆ ଭାଷା ଓ ଅସ୍ମିତା ଲଢେଇ ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ସ୍ୱାଭିମାନୀ ପ୍ରଦେଶ ତିଆରି କରିବାରେ ବାଲେଶ୍ୱର ନୀଳଗିରିର ବହୁତ ବଡ ଭୂମିକା ଅଛି । ସେଭଳି ପବିତ୍ର ଭୂମିରେ ମୁଖ୍ୟମନ୍ତ୍ରୀ ତାମିଲନାଡ଼ୁରୁ ଜଣଙ୍କୁ ଭଡ଼ାରେ ଆଣିଛନ୍ତି । ସେ ଭାଷଣ ଦେଲେ ତାଙ୍କ ପାଖରେ ମାଇକ ଧରି ଛିଡା ହେଉଛନ୍ତି । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ମାଟିର ଝିଅ ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ, ଜାଣିପାରୁନାହାନ୍ତି । ଭଡାଟିଆଙ୍କୁ କହିବାକୁ ପଡୁଛି । ଗୁମାସ୍ତା ଫକୀର ମୋହନ ସେନାପତିଙ୍କ ଦ୍ୱାରା ରଚିତ ୫ଟି ସାହିତ୍ୟ କୃତି କହିପାରିବେ କି ? ବାହାର ରାଜ୍ୟର ଜଣେ ଗୁମାସ୍ତାଙ୍କୁ ଓଡ଼ିଆ ଲୋକମାନେ ନେତା କରାଇଦେବେ ନାହିଁ । ଓଡ଼ିଶାର ନେତା ଓଡ଼ିଆ ହେବ । ଏଥର ପରିବର୍ତ୍ତନ ନିଶ୍ଚୟ ହେବ । ଓଡ଼ିଶାର ଅପମାନର ସହ୍ୟ କରାଯାଇପାରିବ ନାହିଁ । ଚଳିତ ନିର୍ବାଚନରେ ଏହାର ଜବାବ୍ ଓଡ଼ିଆ ଲୋକମାନେ ଦେବେ । ଏଥର ଓଡ଼ିଶାର ନେତା ଓଡ଼ିଆ ଲୋକ ହେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବାଲେଶ୍ୱରର ବିକାଶ ଚରମ ସୀମାରେ ପହଞ୍ଚିବ । ଜିଲ୍ଲାର ଜନତାଙ୍କ ଠାରୁ ସବୁ ଯୁବକ ଯୁବତୀଙ୍କ ଆକାଂକ୍ଷା ପୂରଣ ହେବ। ବିଜେପି ସରକାର ହେଲେ ବାଲେଶ୍ୱର ସମେତ ରାଜ୍ୟରେ ଉଚ୍ଚମାନର ଶିକ୍ଷା ପାଇଁ ସହରାଞ୍ଚଳ ସହ ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ । ଏଥିପାଇଁ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଧାନ ଏମଏସପି କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୩୧୦୦ ଟଙ୍କା କରାଯିବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । ଏହା କେବଳ ପ୍ରତିଶ୍ରୁତି ନୁହେଁ ବରଂ ମୋଦୀ ଗ୍ୟାରେଣ୍ଟିର ପ୍ରମାଣ ପତ୍ର ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବାଙ୍ଗିରିପୋଷୀ ନିର୍ବାଚନମଣ୍ଡଳୀ ହରିଶ୍ଚନ୍ଦ୍ରପୁର ଠାରେ ହନୁମାନ ମନ୍ଦିରରେ ଦର୍ଶନ କରିଥିଲେ । ସେଠାରେ ସାନ୍ତାଳି ସମାଜ ଓ ମୁଣ୍ଡାରି ଭାଷାର ଆଗଧାଡିର ନେତୃତ୍ୱ, ଗବେଷକ, ସାହିତ୍ୟକାର, ସମାଜସେବୀ ତଥା ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ବଡ଼ସାହୀରେ ଭାରତର ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ ।

0
0
0
s2sdefault