ପଦ୍ମପୁର/ଝାରବନ୍ଧ-ନିଲ ଦୀପ/ଗୌରାଙ୍ଗ ଦାଶ : ବିଗତ ତିନି ବର୍ଷ ଧରି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଚାଷୀ ମଋଡିର ଶିକାର ହୋଇ ସାରିଥିବା ବେଳେ ଚଲିତ ବର୍ଷ ମଧ୍ୟ ପୁଣି ଥରେ ଏହି ଆଶଙ୍କାରେ । ଚାଷ ଆରମ୍ଭରୁ ଅଂଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଉତ୍ସାହର ସହ ଭଲ ଅମଳ ଆଶାରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ଗତ ଏକ ମାସରୁ ଉଦ୍ଧ୍ୱର୍ ସମୟ ହେଲା ଏହି ଅଂଚଳରୁ ବର୍ଷା ନ ହେବାରୁ ପୁଣି ମଋଡି ପରିସ୍ଥିତି ଦେଖା ଦେଇଛି । ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଚଣ୍ଡିଭଟା ପଂଚାୟତର ଜଟେସିରା ଗ୍ରାମରେ । ଯେଉଁଠି ଚାଷ ଅମଲ ସମୟରେ ଚାଷ ନଷ୍ଟ ହୋଇଯାଉଥିବାରୁ ଚାଷୀ ଏବେ ଧୈର୍ଯ୍ୟହରା ହୋଇ ପଡିଛନ୍ତି ।
ବିଗତ ତିନି ବର୍ଷ ଧରି ଲଗାତାର ମଋଡି ଅଂଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ସମୟରେ ଚଳିତ ବର୍ଷ ଚାଷକାମ ଆରମ୍ଭ ସମୟରେ ନିୟମିତ ବର୍ଷା ଦେଖି ଚାଷୀ ମନରେ ଆଶାର ସଂଚାର ହୋଇଥିଲା । ଋଣ କରଜ କରି କୌଣସି ଭାବେ ଚାଷୀ ସାର ବିହନ କିଣି ଚାଷକାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ଏ ବର୍ଷ ମଧ୍ୟ ଅଂଚଳର ଚାଷୀଙ୍କୁ ଦଇବ ସାହା ହୋଇ ନାହାନ୍ତି । ଠିକ ଧାନ କ୍ଷୀର ଖାଇବା ସମୟରେ ବର୍ଷାଛାଡ ହେବାରୁ ଏବେ ସବୁ ଜମି ଶୁଖିଲା ପଡିଛି । ପାଣି ଅଭାବରୁ ଜମିରେ ମାଟି ଫାଟି ଆଁ କରିବା ସହ ଧାନଗଛ ଗୁଡିକ ଶୁଖିବା ଆରମ୍ଭ କଲାଣି । ଏହି ଅବସ୍ଥା ଦେଖି ଜଟେସିରା ଅଂଚଳର ଚାଷୀ ଏବେ ମର୍ମାହତ । କିପରି ସେ ସୁଝିବ ବ୍ୟାଙ୍କ, ସମବାୟ ସମିତି, ସାହୁକାର ଓ ସାର ଦୋକାନର ଋଣ । ଏହି ଚିନ୍ତାରେ ଚିନ୍ତିତ ଚାଷୀ । ଏହା ସହ ଭଳ ଧାନ ଅମଲ ହେଲେ ପୁଅଝିଅଙ୍କ ବାହାଘର ପାଇଁ କାହୁଁ କେତେ ସ୍ୱପ୍ନ ଦେଖିଥିବା ଚାଷୀ ଏବେ ସେହି ସବୁ ସ୍ୱପ୍ନ ତା ଆଖି ଆଗରେ ଧୁଲିସାତ ହେଉଥିବା ଦେଖି ହୃଦୟରୁ କ୍ରନ୍ଦନ ବାହାରି ପଡୁଛି ।
ବିଗତ ଖରିଫ ଚାଷର ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନାର ବୀମା ରାଶି ଆଜି ପର୍ଯ୍ୟନ୍ତ ଏହି ଗ୍ରାମର ଚାଷୀ ପାଇ ପାରି ନ ଥିବା ବେଳେ ଚଳିତ ବର୍ଷ ପୁଣି ମଋଡିର ଦୁଃଖ ଚାଷୀଙ୍କୁ ସମ୍ପୁର୍ଣ୍ଣ ଅସହାୟ କରିଦେଇଛି । କିଛି ବଡ ଚାଷୀଙ୍କ ନିଜ ଜମିରେ ଗଭୀର ନଳକୁପ ରହିଥିଲେ ମଧ୍ୟ ତାହା ଏହି ଅଂଚଳରେ ଲାଗି ରହୁଥିବା ବିଦ୍ୟୁତ ଓ ଲୋଭଲଟେଜ ସମସ୍ୟା କାରଣରୁ ଅକାମୀ ହୋଇ ପଡିରହିଛି । ଜଳସେଚନ ପାଇଁ ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ, ଗଭୀର ନଳକୁପ ଖନନ ଭଳି କୌଣସି ଯୋଜନା ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ପହଂଚି ପାରି ନାହିଁ । ଗ୍ରାମରେ ଥିବା ଜଳାଶୟଗୁଡିକରୁ ଚାଷୀ ନିଜସ୍ୱ ଖର୍ଚ୍ଚରେ ପାଣି ମୋଟର ଲଗାଇ ନିଜ ଜମିକୁ ପାଣି ମଡାଇ ଥିବାରୁ ଗ୍ରାମର ଅଧିକାଂଶ ଜଳାଶୟ ଏବେ ଠୁଁ ଶୁଖି ଗଲାଣି । ତେଣୁ ଏବେ ପାଣି ମଡାଇବା ପାଇଁ ମଧ୍ୟ କୌଣସି ଜଳାଶୟରେ ପାଣି ନାହିଁ । ଏବେ ଉପରି ପରିସ୍ଥିତି ଦେଖା ଦେଇଛି ଯେ, ଚାଷୀ ବିଳରେ ଗାଇଗୋରୁ ଚରାଇବା ଆରମ୍ଭ କରି ଦେଲାଣି । ଏହି ସମସ୍ୟା ବାବଦରେ ପଦ୍ମପୁର କୃଷିଜିଲ୍ଲା ଅଧିକାରୀ ଅବଗତ ହେବା ପରେ ସେ ଏହି ସମସ୍ୟା ପ୍ରତି ଦୃଷ୍ଟି ରଖିଛନ୍ତି ଏବଂ ଖୁବ ଶିଘ୍ର ନିଜେ ସେହି ଅଂଚଳକୁ ପରିଦର୍ଶନ କରି ମଋଡି ଆକଳନ କରି କୃଷକମାନେ କିପରି କୃଷିବୀମା ପାଇପାରିବେ ସେ ବ୍ୟବସ୍ଥା କରିବେ ବୋଲି ଜଣାଇଛନ୍ତି ।
ବାରମ୍ବାର ଏହି ଅଂଚଳରେ ମଋଡି ଦେଖା ଦେଉଛି, ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଜଳସେଚନର ଏକ ସ୍ଥାୟୀ ବ୍ୟବସ୍ଥା କଲେ ଏହି ଅଂଚଳରେ କୃଷକଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବା ସହ ପଛୁଆ ଅଂଚଳ ଭାବରେ ପରିଗଣିତ ଏହି ଅଂଚଳର ବିକାଶରେ ସହାୟକ ହେବ ।