ଭୁବନେଶ୍ୱର : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରୀ ଡାକ୍ତରଖାନା ମାନଙ୍କର କାୟାକଳ୍ପ ପୁରସ୍କାର ନିମନ୍ତେ ଆସନ୍ତା ମାସରୁ ମୂଲ୍ୟାୟନ ଆରମ୍ଭ କରାଯିବ । ଏହା ନଭେମ୍ବର ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁ ସରକାରୀ ଡାକ୍ତରଖାନ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ୭୦ ପ୍ରତିଶତରୁ ଅଧିକ ନମ୍ବର ପାଇବେ , ସେହି ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକ ପ୍ରଥମ , ୨ୟ ଓ ସାନ୍ତ୍ୱନା ମୂଳକ ପୁରସ୍କାର ପାଇଭାକୁ ଯୋଗ୍ୟ ବିବେଚିତ ହେବେ । ସରକାରୀ ଡାକ୍ତରଖାନା ଗୁଡିକରେ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରାଇବା ଓ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ନିୟମିତ କରାଇବା ଉଦ୍ଦେଶ୍ୟରେ ୨୦୧୫ ମସିହାରୁ ଏହି ପୁରସ୍କାର ବ୍ୟବସ୍ଥା ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ପରିସ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଡାକ୍ତରଖାନା ପରିସରରେ ସଂକ୍ରମଣ ନିୟନ୍ତ୍ରଣ ନିୟନ୍ତ୍ରଣ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ସରକାରୀ ଡାକ୍ତରଖାନାଗୁଡିକୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
ରାଜ୍ୟର ସମସ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ , ଉପଖଣ୍ଡ ଚିକିତ୍ସାଳ୍ୟ , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । କାୟାକଳ୍ପ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଡାକ୍ତରଖାନାଗୁଡିକୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ବାହ୍ୟ ସମୀକ୍ଷକଙ୍କ ଦ୍ୱାରା ସମୀକ୍ଷା କରାଯାଇଥାଏ । ତାପରେ ରାଜ୍ୟ ସ୍ତରୀୟ କ୍ୱାଲିଟି ଆସୁରାନ୍ସ ସମୀକ୍ଷା ବୈଠକରେ ଚୟନ କରାଯାଇଥାଏ । ଇତି ମଧ୍ୟରେ ଆମ ରାଜ୍ୟର ୨୦୦ରୁ ଅଧିକ ସ୍ୱାସ୍ଥ୍ୟ ଅନୁଷ୍ଠାନ ପୁରସ୍କାର ପାଇସାରିଲେଣି । ଏଥିରେ ଯେଉଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପ୍ରଥମ ସ୍ଥାନ ଅଧିକାର କରିବ ସେହି ଅନୁଷ୍ଠାନକୁ ୫୦ ଲକ୍ଷ , ୨ୟ ସ୍ଥାନ ପାଇଁ ୨୦ ଲକ୍ଷ ଏବଂ ସାନ୍ତ୍ୱନା ମୂଳକ ପୁରସ୍କାର ବାବଦକୁ ୩ ଲକ୍ଷ ଟଙ୍କା ମିଳିଥାଏ । ସେହିପରି ଉପଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯଥାକ୍ରମେ ୧୫ ଲକ୍ଷ , ୧୦ଲକ୍ଷ ଏବଂ ଏକ ଲକ୍ଷ ଟଙ୍କା ମିଳିଥାଏ ।
ଆଜି ଜାତୀୟ ସ୍ୱାସ୍ଥ୍ୟମିଶନ ସମ୍ମିଳନୀ କକ୍ଷରେ ଏ ନେଇ ବାହ୍ୟ ସମୀକ୍ଷକ ମାନଙ୍କର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ପଦାଧିକାରୀମାନଙ୍କ ସମେତ ଉନ୍ନୟନ ସହେଯାଗୀ ଓ ଜନସ୍ୱାସ୍ଥ୍ୟ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ ।