ହେଡଲାଇନସ୍:

ଆଭିଜାତ୍ୟ ସମ୍ପନ୍ନ ଓଡ଼ିଆ ଭାଷାକୁ ସମୃଦ୍ଧ କରାଇବ 'ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆରଏମସି ତରଫରୁ ଆୟୋଜିତ ହେଲା ଆଲୋଚନା ଚକ୍ର

ରାଉରକେଲା,(ବସନ୍ତ କୁମାର ଜେନା): ଓଡ଼ିଆ ଭାଷା ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅଭିନବ କାର୍ଯ୍ୟକ୍ରମ 'ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ' ଆୟୋଜନ କରାଯାଉଛି। ଏହି କ୍ରମରେ ଶନିବାର ରାଉରକେଲା ମହାନଗର ନିଗମ ତରଫରୁ ଏହି ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ତଥା ସ୍ମାର୍ଟ ସିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ସ୍ଥାନୀୟ ମଧୁସୂଦନ ମାର୍ଗ ଠାରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ସେ ସବୁଜ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ତିନି ଦିନ ଧରି ସହର ପରିକ୍ରମା କରିବା ସହ ଜନସାଧାରଣଙ୍କ ମନରେ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରାଇବ।

ଏଥି ସହ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁଙ୍କ ଉପସ୍ଥିତିରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଇଥିଲା। ଏଥିରେ ରାଉରକେଲା ମହାନଗର ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ସ୍ଵଚ୍ଛ କର୍ମୀମାନେ ସାମିଲ ହୋଇଥିଲେ। ଏହା ପରେ ମହାନଗର ନିଗମ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷାର ଗୌରବମୟ ଅତୀତ, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ, "ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦର୍ଶୀ କାର୍ଯ୍ୟକ୍ରମ ବେଶ୍ ସୁଦୂରପ୍ରସାରୀ। ପ୍ରତି ପାଞ୍ଚ ବର୍ଷରେ ଏହି ସମ୍ମିଳନୀ ଆୟୋଜନ ହେବାକୁ ଥିବା ବେଳେ ଏହା ଭବିଷ୍ୟତ ପିଢ଼ି ମଧ୍ୟରେ ମାତୃଭାଷା ପ୍ରତି ମମତା ଜାଗ୍ରତ କରାଇବାରେ ଉତପ୍ରେରକ ହିସାବରେ କାର୍ଯ୍ୟ କରିବ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର କେବଳ ସରକାରୀ ସ୍ତରରେ ସୀମିତ ହୋଇ ରହିବା ଉଚିତ ନୁହେଁ। ବରଂ ପ୍ରତ୍ୟେକ ପରିବାରରେ ଓଡ଼ିଆ ଭାଷାର ବ୍ୟବହାର ଏହି ଆଭିଜାତ୍ୟ ସମ୍ପନ୍ନ ଭାଷାକୁ ଆଗକୁ ନେବାରେ ବହୁତ ସହାୟକ ହେବ। ଏତଦ୍ ସହ ଆଜିର ଏହି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଇଣ୍ଟରନେଟରେ ମଧ୍ଯ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହେବା ଆବଶ୍ୟକ ବୋଲି ସେ କହିଥିଲେ।"

ରାଉରକେଲା ସହରର ସୁପ୍ରତିଷ୍ଠିତ ସାହିତ୍ୟିକ, ଲେଖକମାନେ ଏହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ଏଥିରେ ସଭିଏଁ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କ ମଧ୍ୟରେ ଭାଷା ପ୍ରୀତି ସ୍ରୁଷ୍ଟି କରିବ ଏବଂ ଓଡ଼ିଆଙ୍କୁ ଭାଷା ସମ୍ପର୍କରେ ସଚେତନ କରାଇବ ବୋଲି କହିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଲେଖକ, ସାହିତ୍ୟିକ ଡାକ୍ତର ପ୍ରଭାତ ମଲ୍ଲିକ, ଶ୍ରୀଯୁକ୍ତ ରାଜୀବ ପାଣି, ଶ୍ରୀମତୀ ଅଙ୍ଗୁରବାଳା ପରିଡ଼ା, ଶ୍ରୀମତୀ ମୋନାଲିସା ମିଶ୍ର, ଶ୍ରୀଯୁକ୍ତ କୃପାସିନ୍ଧୁ ନାୟକ, ଶ୍ରୀଯୁକ୍ତ ରାଜକୁମାର ମହାନ୍ତିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଆଲୋଚନା ଚକ୍ର ଶେଷରେ ଆରଏମସି ଉପ ପୌରାୟୁକ୍ତ ସୁଧାଂଶୁ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ।

0
0
0
s2sdefault