ଜଗତସିଂହପୁର,ତା-୧୭.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ତୃତୀୟ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ହର୍ଷବର୍ଦ୍ଧନ ଧଳମହାପାତ୍ର କହିଥିଲେ ଯେ ମହାବାତ୍ୟା ଭଳି ଏକ ରାଷ୍ଟବିପତ୍ତି ସମୟରେ ପୁସ୍ତକ ମେଳା ଭଳି ଏକ ସୃଜନଶୀଳ କାର୍ଯ୍ୟ ପାଇଁ ଉଦ୍ୟମ ନିଶ୍ଚିତ ଭାବେ ଅବିସ୍ମରଣୀୟ । ଏହା ସହିତ ଜଗତସିଂହପୁର ଜିଲ୍ଲାର ସମୃଦ୍ଧ ଇତିହାସ ବିଷୟରେ ମଧ୍ୟ ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଜଗତସିଂହପୁରର ପ୍ରାକ୍ତନ ଜିଲ୍ଲାପାଳ ଧନଞ୍ଜୟ ଦାସ କହିଥିଲେ ଯେ ଓଡ଼ିଆ ସାହିତ୍ୟରେ ଭାରତୀୟ ଜୀବନ ଦର୍ଶନ ଭରି ରହିଛି । ଏହା ସହିତ ସେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଥିବା ସମୟର ପୁସ୍ତକ ମେଳା ଅନୁଭୁତି ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ମିଶ୍ର ଵେଦପାଠ କରିଥିବା ବେଳେ କାର୍ଯ୍ୟକାରିଣୀ ସଭ୍ୟ ନାଟ୍ୟକାର ଡଃ କୈଳାସ ଚନ୍ଦ୍ର ମଲ୍ଲିକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ବିଶିଷ୍ଟ ସାହିତ୍ୟିକ, ଓଡ଼ିଆ ଭାଷା ଗବେଷକ ଦେବେନ୍ଦ୍ର କୁମାର ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସର ଉତ୍ସର୍ଗ କରିଥିଲେ । ଆଜିର ଉତ୍ସବରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ ପରିଷଦର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ "ଝଙ୍କଡ଼ ସାହିତ୍ୟ ସଂସଦ, ତିର୍ତ୍ତୋଲ " ପକ୍ଷରୁ କବିତା ପାଠୋତ୍ସବ ଆୟୋଜିତ ହୋଇଥିବା ବେଳେ ଅପରାହ୍ନରେ ସ୍ବାଧୀନତା ସଂଗ୍ରାମୀ"ଲୋକନାଥ ରାୟ ସ୍ମାରକୀ" ଛେଳିଆଗଡ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକନାଥ ରାୟଙ୍କ ସୁପୁତ୍ର ସମାଜସେବୀ ପ୍ରିୟନାଥ ରାୟ, ଜଗତସିଂହପୁର ମ୍ୟୁନିସିପାଲଟି୍ ର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ୍ କୁମାର ଜେନା, ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ ଓ ବିଜୟ ବୁକ୍ ପ୍ରକାଶନର ସତ୍ତାଧିକାରୀ ବିଜୟ କୁମାର ନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର୍ ପ୍ରଦୀପ୍ତ କିଶୋର ଚୌଧୁରୀ ପରିଚାଳନା କରିଥିବା ବେଳେ ଦୁର୍ଯୋଧନ ମହାରଣା,ଅବିନାଶ ସ୍ବାଇଁ ଓ ପ୍ରିୟବ୍ରତ ଦାସ ସହଯୋଗ କରିଥିଲେ । ସଂଧ୍ୟାରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ "କ୍ଲାନ୍ତ ଗଜପତି" ମଞ୍ଚସ୍ଥ ହୋଇଥିଲା। ନାଟକକୁ ସରକାରୀ ମୁଖ୍ୟ ସଚେତକ, ଓଡ଼ିଶା ତଥା ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଉଦଘାଟନ କରିଥିବା ବେଳେ ଜିଲ୍ଲାପାଳ ପାରୁଲ୍ ପଟ୍ଟାୱରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂ, ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ, ଜଗତସିଂହପୁରର କଳାକାର ମାନଙ୍କ ଦ୍ବାରା ପରିବେଷିତ ଏହି ନାଟକକୁ ମହେନ୍ଦ୍ର କୁମାର ଆଚାର୍ଯ୍ୟ ରଚନା କରିଥିବା ବେଳେ ଉତ୍କଳ ରଞ୍ଜନ ମହାନ୍ତି ନିର୍ଦ୍ଦେଶନା ଦେଇଥିଲେ । ଏହା ସହିତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରାଜ୍ୟ
ପୁସ୍ତକ ମେଳାର ତୃତୀୟ ସଂଧ୍ୟା
- Hits: 246








