ହେଡଲାଇନସ୍:

ୱାଟକୋ ଦ୍ଵାରା ରାଉରକେଲାରେ ହଇଜା ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ଓ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ସମ୍ପ୍ରତି ରାଉରକେଲା ସହରରେ ବ୍ୟପିଥିବା ହଇଜା ସଂକ୍ରମଣକୁ ସୀମିତ ରଖିବା ପାଇଁ ସହରର ପ୍ରତ୍ୟେକ ପରିବାରକୁ ପ୍ରଦୂଷଣମୁକ୍ତ ଗୁଣାତ୍ମକ ଜଳ ଯୋଗାଣ ନିଶ୍ଚିତ କରିବା ସହିତ ବ୍ୟପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି |

ସହରର ୧୩ଟି ଚିହ୍ନିତ ହୋଇଥିବା ହଟସ୍ପଟ୍ ଅଞ୍ଚଳରେ ୱାଟକୋ ଦ୍ୱାରା ଜଳର ଗୁଣବତ୍ତା ପରୀକ୍ଷାକୁ ଯଥେଷ୍ଟ ଜୋରଦାର କରା ଯାଇଛି | ବିଗତ କିଛି ଦିନ ଧରି ଜଳର ଉତ୍ସ, ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ (ଡବ୍ଲୁଟିପି), ମୁଖ୍ୟ ଜଳଭଣ୍ଡାର, ବିତରଣ ନେଟୱାର୍କ ସ୍ତରରେ ହାଇପର କ୍ଲୋରିନେସନ୍ କରାଯାଇଛି | ସହରର ପ୍ରାୟ ୧୮୦୦ ହ୍ୟାଣ୍ଡ ପମ୍ପ ଏବଂ ଷ୍ଟାଣ୍ଡ ପୋଷ୍ଟଗୁଡିକରେ ମଧ୍ୟ କ୍ଲୋରିନେସନ୍ କାମ ସରିଛି | ଏଠାରେ ଉଲ୍ଲେଖ କରିବା ଗୁରୁତ୍ୱପୂର୍ଣ୍ଣ ଯେ, ପାନୀୟ ଜଳରେ ପର୍ଯ୍ୟାପ୍ତ ପରିମାଣର କ୍ଲୋରିନ୍ ମିଶିଲେ କୌଣସି କ୍ଷତିକାରକ ଜୀବାଣୁ ବଞ୍ଚିପାରେ ନାହିଁ | ତେଣୁ, ଉଭୟ ଟ୍ରିଟମେଣ୍ଟ ଏବଂ ବଣ୍ଟନ ସ୍ତରରେ କ୍ଲୋରିନେସନ୍ ଦ୍ୱାରା ପାନୀୟ ଜଳକୁ ବିଶୁଦ୍ଧ କରା ଯାଉଛି |

ରାଉରକେଲାଠାରେ ଅବସ୍ଥିତ ଆଞ୍ଚଳିକ ଜଳ ପରୀକ୍ଷଣ ଗବେଷଣାଗାର ମାଧ୍ୟମରେ ୱାଟକୋ ସହରର ବିଭିନ୍ନ ହଟସ୍ପଟରୁ ଜଳର ନମୁନା ସଂଗ୍ରହ ସହିତ ଜଳ ପରୀକ୍ଷଣ ପଦକ୍ଷେପକୁ ଯଥେଷ୍ଟ ବୃଦ୍ଧି କରିଛି | ଏଥିସହ, ସହରରେ ନିଯୁକ୍ତ ୨୭ ଜଣ ଜଳସାଥୀ ଦ୍ଵାରା ଗ୍ରାହକଙ୍କ ଘରକୁ ଯାଇ ଅବଶିଷ୍ଟ କ୍ଲୋରିନ୍ ମାତ୍ରା ଜାଣିବା ପାଇଁ ପ୍ରତିଦିନ ପ୍ରାୟ ୩୦୦ ଜଳ ନମୁନା ପରୀକ୍ଷା କରା ଯାଉଛି | ପ୍ରତ୍ୟେକ ଜଳସାଥୀ ପ୍ରତିଦିନ ଅତି କମରେ ୧୦ ଟି ଏହିଭଳି ଜଳ ନମୁନା ପରୀକ୍ଷା କରୁଛନ୍ତି | ଆଞ୍ଚଳିକ ଜଳ ପରୀକ୍ଷଣ ଗବେଷଣାଗାର ଏବଂ ଜଳସାଥୀମାନଙ୍କ ଠାରୁ ପ୍ରାପ୍ତ ଅବଶିଷ୍ଟ କ୍ଲୋରିନ୍ ମାତ୍ରା ତଥ୍ୟକୁ ୱାଟକୋ ଦ୍ଵାରା ପ୍ରତିଦିନ ତଦାରଖ ଏବଂ ବିଶ୍ଳେଷଣ କରାଯାଉଛି |

ଜଳ ଯୋଗାଣ ବଣ୍ଟନ ନେଟୱାର୍କକୁ ସମ୍ପୁର୍ଣ୍ଣ ପ୍ରଦୂଷଣମୁକ୍ତ ରଖିବା ପାଇଁ ୫୦ ରୁ ଅଧିକ ତାଲିମପ୍ରାପ୍ତ ଶ୍ରମିକ ଏବଂ ୱାଟକୋ ଅଧିକାରୀ ସହର ସାରା ସମ୍ଭାବ୍ୟ ଲିକେଜ୍ ପଏଣ୍ଟରେ ପାଇପଲାଇନ ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି | ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଅଭ୍ୟାସ ତଥା ନିରାପଦ ପାନୀୟ ଜଳର ବ୍ୟବହାର ଉପରେ ସଚେତନ କରିବା ପାଇଁ ଜଳସାଥୀମାନେ ନିଜ ନିଜ ୱାର୍ଡରେ ଘରକୁ ଘର ଯାଇ ବୁଝାଉଛନ୍ତି |

ଗତ ଚାରି ଦିନ ଧରି ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଇଂ ପି କେ ସ୍ଵାଇଁ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଇଂ ଶରତ ମିଶ୍ର ରାଉରକେଲାଠାରେ ରହି ଏହି ପଦକ୍ଷେପଗୁଡ଼ିକର ସମୟପୋଯୋଗୀ କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତି |

“ୱାଟକୋର ସମସ୍ତ ଅଧିକାରୀ ଆରମ୍ଭରୁ ହିଁ ପରିସ୍ଥିତିକୁ ସୁଧାରିବା ପାଇଁ ସଜାଗ ରହିଛନ୍ତି ଏବଂ ଏଥିପାଇଁ ସମସ୍ତ ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି | ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହେଉଛି ଏବଂ ସହରର ପ୍ରତ୍ୟେକ ଅଧିବାସୀଙ୍କୁ IS 10500 ମାନଦଣ୍ଡ ଅନୁଯାୟୀ ନିରାପଦ ପାନୀୟ ଜଳ ଯୋଗାଣ ଜାରି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ” ବୋଲି ଉଲ୍ଲେଖ କରିଛନ୍ତି ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଇଂ ପି କେ ସ୍ଵାଇଁ |

“ଆମେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ରାଉରକେଲା ମହାନଗର ନିଗମ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟମାନଙ୍କ ସହ ନିୟମିତ ଭାବେ ସ୍ଥିତି ଉପରେ ନଜର ରଖିଛୁ, ମିଳିତ ଆକଳନ କରୁଛୁ ଏବଂ ରୋଗର ବୃଦ୍ଧିକୁ ରୋକିବା ପାଇଁ ସମସ୍ତଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ଆସୁଛୁ” ବୋଲି ସେ ଆହୁରି ମଧ୍ୟ କହିଛନ୍ତି |

ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥୀ ଭାଥାନନ ୨୦ ଡିସେମ୍ବର ୨୦୨୩ ତାରିଖରେ ରାଉରକେଲାରେ ଉପସ୍ଥିତ ରହି ପରିସ୍ଥିତି ଏବଂ ୱାଟକୋ ଦ୍ଵାରା ସହରର ହଇଜା ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ
ପଦକ୍ଷେପକୁ ସମୀକ୍ଷା କରିଛନ୍ତି | ସେ ପାନପୋଶଠାରେ ଥିବା ୱାଟକୋର ୫୫ MLD ଏବଂ ୧୮ MLD ଜଳ ବିଶୋଧନାଗାର ଦୁଇଟି (WTP) ବୁଲି ଯାଞ୍ଚ କରିଥିଲେ ଓ ଜଳସାଥୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ |

0
0
0
s2sdefault