ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଗଜପତି ଦ୍ବାରା ନିର୍ଦ୍ଧାରିତ କାର୍ଯକ୍ରମ ମୁତବକ ପୂର୍ବାହ୍ନ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦିବ୍ୟଙ୍ଗ ବ୍ୟକ୍ତି , ବରିଷ୍ଠ ନାଗରିକ , ଦିବ୍ୟଙ୍ଗ ଏନ୍ ଜି ଓ ର କର୍ମକର୍ତ୍ତା , ବିଦ୍ୟାଳୟର ଛାତ୍ର ଛାତ୍ରୀ , କିନ୍ନର ଓ ବିଭାଗୀୟ କର୍ମକର୍ତ୍ତାଙ୍କ ଗହଣରେ ପଦଯାତ୍ରା ଆରମ୍ଭ କରାଯାଇଥିଲା। ଉକ୍ତ ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରାୟ ୧୫୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି ପଦଯାତ୍ରା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପରେ ଶେଷ ହୋଇଥିଲା। ଏଥିରେ ପାରଳା ସହରର ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ।
ଏହା ପରେ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସଭାପତିତ୍ଵ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ , ପାରଳା ପୌରାଧ୍ୟକ୍ଷା , ଡ଼ା.ମହମ୍ମଦ ମୁବାରକ ଅଲି , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଗଜପତି , ଶ୍ରୀ ସନ୍ତୋଷ ମହାରଣା , ସମ୍ପାଦକ , ସମର୍ଥ ସଂସ୍ଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯକ୍ରମରେ ସୁରଭି କିନ୍ନର ସ୍ବୟଂ ସହାୟକ ଗୋଷ୍ଠୀ , ରୁମୁଣ୍ଡା ଭିନ୍ନକ୍ଷମ ସ୍ବୟଂ ସହାୟକ ଦଳ ଏବଂ ଜଗତଜନନୀ ଭିନ୍ନକ୍ଷମ ସ୍ବୟଂ ସହାୟକ ଦଳ ନିଜେ ତିଆରି କରିଥିବା ଉପକରଣ ଗୁଡିକୁ ପ୍ରଦର୍ଶନୀ କରିଥିଲେ। ସଭାରେ ଚାରି ଜଣ ଦିବ୍ୟାଙ୍ଗ ଯଥା : ଅନନ୍ତ ଶବର , ପୂନିୟା ମଣ୍ଡଳ , ଟିକିମା ବରାଡ ଓ ତିରୁପତି ଗାଣ୍ଟାଙ୍କୁ ଆତ୍ମରନିର୍ଭରଶୀଳ ଦିବ୍ୟାଙ୍ଗ ଭାବେ ପ୍ରଶଂସା ପତ୍ର ସହ ସମ୍ମାନିତ କରାଯାଇଥିଲା। ପାରଳାଖେମୁଣ୍ଡି ର ସମର୍ଥ ଅନୁଷ୍ଠାନକୁ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ଯୋଗୁଁ ପ୍ରଶଂସା ପତ୍ର ଦିଆଯାଇଥିଲା।
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଧାରଣ ବର୍ଗ ଏବଂ ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ପୃଥକ ଭାବେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି ଦିବସ ଉପଲକ୍ଷେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ , ମୋହନା ଠାରେ ମଧ୍ୟ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ନିମନ୍ତେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ପରେ ପରେ ଗଜପତି ଜିଲ୍ଲା କଳା ପରିଷଦ , ପାରଳାଖେମୁଣ୍ଡି , ପାଦାମୃତ ନୃତ୍ୟାୟନ , ପାରଳାଖେମୁଣ୍ଡି , ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ , ମୋହନା ଏବଂ ନିୟତୀ ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ସହ ସମ୍ମାନିତ କରାଯାଇଥିଲା । ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

0
0
0
s2sdefault